ସିଏଏକୁ ନେଇ କେରଳ ବିଧାନସଭାରେ ହଙ୍ଗାମା: ରାଜ୍ୟପାଳଙ୍କୁ ଘେରିଲେ ବିଧାୟକ, ‘ଗୋ ବ୍ୟାକ୍‌’ ପୋଷ୍ଟର ଦେଖାଇଲେ

ଥିରୁଭାନନ୍ତପୂରମ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବାବେଳେ କେରଳ ବିଧାନସଭାର ବଜେଟ ଅଧିବେଶନରେ ୟୁନାଇଟେଡ୍‌ ଡେମୋକ୍ରାଟିକ ଫ୍ରଣ୍ଟ(ୟୁଡିଏଫ)ର ବିଧାୟକମାନେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଘରିଛନ୍ତି। ବିଧାୟକମାନେ ରାଜ୍ୟପାଳଙ୍କୁ ‘ଗୋ ବ୍ୟାକ୍‌’ ପୋଷ୍ଟର ଦେଖାଇ ବିରୋଧ କରିଛନ୍ତି। ଏହି ସମୟରେ ବିଧାନସଭାରେ ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଧ୍ୟ ଉପସ୍ଥିତ ଥିଲେ। ବିରୋଧ ଯୋଗୁ ରାଜ୍ୟପାଳ ଅପ୍ରୀତିକର ପରିସ୍ଥିତର ସାମ୍ନା କରିଥିଲେ। ବିଧାନସଭା ମାର୍ଶଲମାନେ ରାଜ୍ୟପାଳଙ୍କୁ ରାସ୍ତା କଢ଼ାଇ ତାଙ୍କ ଆସନ ପର୍ଯ୍ୟନ୍ତ ନେଇଥିଲେ। ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ନିଜ ସିଟ୍‌ରେ ବସିବାକୁ ଅନୁରୋଧ କରିଥିଲେ।

ତେବେ ବିରୋଧ ଭିତରେ ରାଜ୍ୟପାଳ ନିଜ ଅଭିଭାଷଣ ଦେଇଥିଲେ। ଏହି ସମୟରେ ୟୁଡିଏଫର ବିଧାୟକମାନେ ହୋହଲ୍ଲା କରିବା ସହିତ ଗୃହ ତ୍ୟାଗ କରି ବାହାରକୁ ଚାଲିଯାଇଥିଲେ। ନିଜ ଅଭିଭାଷଣରେ ରାଜ୍ୟପାଳ କହିଥିଲେ ଯେ, ମୁଁ ସିଏଏ ବିରୋଧରେ ଏକ ପାରାଗ୍ରାଫକୁ ପଢ଼ିବାକୁ ଯାଉଛି, କାରଣ ମୁଖ୍ୟମନ୍ତ୍ରୀ ଏଭଳି ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ସରକାରଙ୍କ ଦୃଷ୍ଟିକୋଣ ଏବଂ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇବା ଲାଗି ମୁଁ ଏହି ପାରାଗ୍ରାଫ ପଢୁଛି। ରାଜ୍ୟ ସରକାରଙ୍କ ସିଏଏ ବିରୋଧୀ ଆଭିମୁଖ୍ୟ ଉଲ୍ଲେଖ ରହିଥିବା ସନ୍ଦର୍ଭକୁ ପଢ଼ି ରାଜ୍ୟପାଳ କହିଥିଲେ, ଧର୍ମ ଆଧାରରେ ଆମ ନାଗରିକତା ସ୍ଥିର କରାଯାଇପାରିବ ନାହିଁ। କାରଣ ଏହା ଧର୍ମ ନିରପେକ୍ଷତାର ସିଦ୍ଧାନ୍ତ ବିରୋଧୀ, ଯାହା ଆମ ସମ୍ବିଧାନର ମୂଳ ଢାଞ୍ଚାର ଅଂଶ।

Comments are closed.