ସାକ୍ଷୀ ସୁରକ୍ଷା ଯୋଜନା : ଏକ ଅନୁଚିନ୍ତା

ଯେକୌଣସି ମାମଲା ବିଶେଷକରି ଫୌଜଦାରୀ ମାମଲାର ଵିଚାର ସମୟରେ ସାକ୍ଷ୍ୟ ପ୍ରମାଣ ଏକ ଅପରିହାର୍ଯ୍ୟ ଆବଶ୍ୟକତା। କାରଣ ଆପରାଧିକ ମକଦ୍ଦମାଗୁଡ଼ିକରେ ଦଲିଲ୍ ଦସ୍ତାବିଜର ସେତେଟା ଆବଶ୍ୟକତା ନ ଥାଏ। ସାକ୍ଷୀମାନେ ନିଜ ନିଜର ପଞ୍ଚେନ୍ଦ୍ରିୟ ଦ୍ୱାରା ଗ୍ରହଣ କରିଥିବା ଯେକୌଣସି ଭାବନା ଅଥବା ସ୍ମୃତିକୁ ବିଚାର ସମୟରେ ପ୍ରକାଶ କରନ୍ତି। ଏହାର ପ୍ରାସଙ୍ଗିକତା, ବୋଧଗମ୍ୟତା ଓ ଉପାଦେୟତାକୁ ଘଟଣା ସହିତ ତୁଳନାତ୍ମକ ଭାବେ ବିଚାରକୁ ନେଇ ଅଭିଯୁକ୍ତକୁ ଦୋଷୀ କିମ୍ୱା ନିର୍ଦୋଷ ଭାବେ ଅଦାଲତ ଗ୍ରହଣ କରେ ଏବଂ ସେହି ଅନୁଯାୟୀ ରାୟ ପ୍ରକାଶ ପାଏ। ବିଚାର ସମୟରେ ଘଟଣାକୁ ପ୍ରମାଣ କରିବା ନିମନ୍ତେ ସାକ୍ଷୀ ନ ଦେଇ ପାରିଲେ ଘଟଣାଟି ଯେତେ ସତ ହୋଇଥିଲେ ମଧ୍ୟ ମୁଦାଲା ନି​‌େ​‌ର୍ଦାଷ ପ୍ରମାଣିତ ହୁଏ ଏବଂ ପୀଡ଼ିତର ପୀଡ଼ା ଅନେକାଂଶରେ ବଢ଼ିଯାଏ। ଏଥିପାଇଁ କେତେକ ବିଚାର ପ୍ରକ୍ରିୟାକୁ ଦାୟୀ କରୁଥିବା ବେଳେ ଅନ୍ୟ କେତେକ ସାକ୍ଷୀମାନଙ୍କର ମିଥ୍ୟା ବୟାନକୁ ଦାୟୀ କରନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଘଟଣାର ପ୍ରତ୍ୟକ୍ଷଦର୍ଶୀ କିମ୍ୱା ପାରିପାର୍ଶ୍ୱିକ ଘଟଣାର ସାକ୍ଷୀମାନେ ତଦନ୍ତ ସମୟରେ ଉପଯୁକ୍ତ ଭାବେ ବୟାନ ଦେଉଥିଲେ ମଧ୍ୟ କୋର୍ଟର କାଠଗଡ଼ାରେ ଠିଆ ହୋଇ ସତ କଥା ଲୁଚାଉଛନ୍ତି ଯାହାକି ମୁଦାଲାର ଖଲାସ ହେବା ବାଟକୁ ସୁଗମ କରୁଛି। ଏହାର ଅନେକ କାରଣ ମଧ୍ୟରୁ ଗୋଟିଏ ହେଲା ଅପରାଧୀମାନଙ୍କର ପ୍ରଭାବରେ ଭୟଭୀତ ହୋଇ ସାକ୍ଷୀମାନେ ଏଭଳି ପନ୍ଥାକୁ ଆପଣେଇ ନେଉଛନ୍ତି।
ଇଂରେଜମାନେ ଆଇନର ଶାସନକୁ ଗୁରୁତ୍ୱ ଦେଇ ଅନେକ ଆଇନ ପ୍ରଣୟନ କରିଅଛନ୍ତି। ମାତ୍ର ପରିତାପର ବିଷୟ ଏହି କି ଯେ କୌଣସି ଫୌଜଦାରୀ ଆଇନରେ ସାକ୍ଷୀର ସଂଜ୍ଞା ପ୍ରଦାନ କରାଯାଇ ନାହିଁ ଏବଂ ସାକ୍ଷୀର ନିରପେକ୍ଷତାକୁ ବଜାୟ ରଖିବା ନିମନ୍ତେ କୌଣସି ସାବଧାନତା ଅବଲମ୍ୱନ କରାଯାଇନାହିଁ। ସ୍ୱାଧୀନୋତ୍ତର ଭାରତରେ ମଧ୍ୟ ସାକ୍ଷୀ ସୁରକ୍ଷା ସମ୍ୱନ୍ଧରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଅବଶ୍ୟ ମାଲିମାଥ କମିଟି ରିପୋର୍ଟ ଓ ଜାତୀୟ ଆଇନ୍ କମିସନ ରିପୋର୍ଟଗୁଡ଼ିକରେ ସାକ୍ଷୀର ପରିଚୟ ଗୋପନ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆମ ଦେଶର ଉଚ୍ଚତମ ନ୍ୟାୟାଳୟ ମହେନ୍ଦ୍ର ଚାୱଲା ବନାମ ଭାରତ ସରକାର ମୋକଦ୍ଦମା ବିଚାର କରି ସମସ୍ତ ରାଜ୍ୟମାନଙ୍କୁ ସାକ୍ଷୀ ସୁରକ୍ଷା ଯୋଜନା ପ୍ରଣୟନ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ। ତଦନୁସାରେ ରାଜ୍ୟମାନେ ସାକ୍ଷୀ ସୁରକ୍ଷା ଯୋଜନା ପ୍ରଣୟନ କରିଛନ୍ତି।
ଓଡ଼ିଶା ସରକାର ଏ ସଂକ୍ରାନ୍ତ ଯୋଜନା ୨୦୧୮ କାର୍ଯ୍ୟକାରୀ କରିଛନ୍ତି। ସାକ୍ଷୀ ସୁରକ୍ଷା ଯୋଜନାରେ ସାକ୍ଷୀର ସଂଜ୍ଞା ନିରୂପଣ କରାଯାଇଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଦୁଇଗୋଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ସେଗୁଡ଼ିକ ହେଲା ଜିଲା ପ୍ରାଧିକୃତ ଅଧିକାରୀ ଏବଂ ସାକ୍ଷୀ ସୁରକ୍ଷା କକ୍ଷ। ଜିଲା ପ୍ରାଧିକୃତ ଅଧିକାରୀ ଜିଲାର ପବ୍ଲିକ ପ୍ରସିକ୍ୟୁଟର, ଜିଲାପାଳ ଓ ପୁଲିସ ଅଧୀକ୍ଷକଙ୍କୁ ନେଇ ଗଠିତ ଏକ ସଂସ୍ଥା, ଯାହାର ସଭ୍ୟ ସଚିବ ହେଲେ ଜିଲାର ପବ୍ଲିକ ପ୍ରସିକ୍ୟୁଟର। କୌଣସି ସାକ୍ଷୀ ନିଜର ତଥା ନିଜ ପରିବାରର ଧନ ଜୀବନ ଅସୁରକ୍ଷିତ ଥିବା ଅନୁଭବ କଲେ, ଉକ୍ତ ତଥ୍ୟକୁ ଉଦ୍ଦିଷ୍ଟ ଫର୍ମରେ ( ପ୍ରତ୍ୟେକ ଥାନାରେ ଉପଲବ୍ଧ) ପ୍ରାଧିକୃତ ଅଧିକାରୀଙ୍କର ସଭ୍ୟ ସଚିବଙ୍କ ନିକଟରେ ଦାଖଲ କରିବେ। ଉକ୍ତ ଦରଖାସ୍ତକୁ ବିଚାରକୁ ନେଇ ପ୍ରାଧିକୃତ ଅଧିକାରୀ ଏକ ଆଦେଶ ଦେବେ। ଉକ୍ତ ଆଦେଶ ଆଧାରରେ ଜିଲାର ପୁଲିସ ଡି.ଏସ୍.ପି କିମ୍ୱା ଏ.ସି.ପି ସାକ୍ଷୀଙ୍କ ବାବଦରେ ଏକ ବିପଦ ବିଶ୍ଳେଷଣ ପତ୍ର ଦାଖଲ କରିବେ। ଯଦି ସାକ୍ଷୀର ଧନଜୀବନ କିମ୍ୱା ପରିବାରବର୍ଗଙ୍କ ଉପରେ କିଛି ବିପଦ ଆଶଙ୍କା ଥାଏ ତେବେ ଜିଲା ପ୍ରାଧିକୃତ ଅଧିକାରୀ ଅନ୍ତରୀଣ ସୁରକ୍ଷା ଆଦେଶ ପ୍ରଦାନ କରିପାରିବେ। ବିପଦ ବି​‌େ​‌ଶ୍ଳଷଣ ପତ୍ର ପାଞ୍ଚଟି କାର୍ଯ୍ୟ ଦିବସ ମଧ୍ୟରେ ଦାଖଲ କରାଯିବ ଏବଂ ତହିଁରେ ସାକ୍ଷୀଙ୍କ ପ୍ରତି ଥିବା ବିପଦର ପ୍ରକାର ଭେଦ ଏବଂ ନିରାକରଣ ନିମନ୍ତେ ସୁରକ୍ଷା ସମ୍ୱନ୍ଧୀୟ ମତାମତ ସନ୍ନିବେଶିତ ହେବ। ଜିଲା ପ୍ରାଧିକୃତ ଅଧିକାରୀ ଚୂଡ଼ାନ୍ତ ଫଇସଲା ଶୁଣାଇବା ପୂର୍ବରୁ ସାକ୍ଷୀ ଓ ତାଙ୍କ ପରିବାରବର୍ଗଙ୍କ ସହିତ ଫୋନ ମାଧ୍ୟମରେ ବାର୍ତ୍ତାଳାପ କରିପାରିବେ। ଏହି ପ୍ରକ୍ରିୟାଟି ବିପଦ ବି​‌େ​‌ଶ୍ଳଷଣ ପତ୍ର ପାଇବାର ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ସମାପନ ହେବ। ଯଦି ଏ ବାବଦରେ ସାକ୍ଷୀ କିମ୍ୱା ତାଙ୍କ ପରିବାରର କୌଣସି ସଦସ୍ୟଙ୍କର ଶୁଣାଣି କରାଯାଏ, ତାହା ନିବୁଜ କୋଠରି ମଧ୍ୟରେ ହେବାର ବ୍ୟବସ୍ଥା ହୋଇଛି। ସାକ୍ଷୀମାନଙ୍କ ପ୍ରତି ଥିବା ବିପଦ ଆଧାରରେ ସେମାନଙ୍କୁ ଶ୍ରେଣୀଭୁକ୍ତ କରାଯାଇ ବିହିତ ପଦକ୍ଷେପ ନେବା ନିମନ୍ତେ ବ୍ୟବସ୍ଥା ହୋଇଛି। ଜିଲା ପ୍ରାଧିକୃତ ଅଧିକାରୀଙ୍କ ପ୍ରଦତ୍ତ ସାକ୍ଷୀ ସୁରକ୍ଷା ଆଦେଶକୁ ରାଜ୍ୟସ୍ତରରେ ଗଠିତ ସାକ୍ଷୀ ସୁରକ୍ଷା କକ୍ଷ କାର୍ଯ୍ୟକାରୀ କରାଇବେ ଏବଂ ଜିଲା ପୁଲିସ ଅଧୀକ୍ଷକଙ୍କଠାରୁ ନିୟମିତ ଭାବେ ରିପୋର୍ଟ ତଲବ କରିପାରିବେ। ଆମ ରାଜ୍ୟରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚକୁ ସାକ୍ଷୀ ସୁରକ୍ଷା କକ୍ଷ ଭାବେ ଘୋଷଣା କରାଯାଇଛି।
ସାକ୍ଷୀମାନଙ୍କ ସୁରକ୍ଷା ନିମନ୍ତେ ଯେଉଁ ବ୍ୟବସ୍ଥାମାନ ଏହି ଯୋଜନାରେ ସନ୍ନିବେଶିତ କରାଯାଇଅଛି, ସେଗୁଡ଼ିକ ହେଲା – ମକଦ୍ଦମାର ତଦନ୍ତ କିମ୍ୱା ବିଚାର ସମୟରେ ସାକ୍ଷୀ ଓ ଅଭିଯୁକ୍ତର ଏକ ସ୍ଥାନରେ ମୁହାଁମୁହିଁ ନ କରିବା, ସାକ୍ଷୀଙ୍କ ମୋବାଇଲ ଫେ।ନ୍ ଏବଂ ଇମେଲ୍କୁ ଆସୁଥିବା କଲ୍ ଓ ମେଲ୍ ଯାଞ୍ଚ କରିବା, ଟେଲିଫେ।ନ କମ୍ପାନୀ ସହିତ ଯୋଗସୂତ୍ର ରଖି ସାକ୍ଷୀଙ୍କର ମୋବାଇଲ ଫେ।ନ ନମ୍ୱରକୁ ପରିବର୍ତ୍ତନ କରିବା, ସାକ୍ଷୀଙ୍କ ଘର ସାମ୍ନାରେ ସି.ସି.ଟି.ଭି କ୍ୟାମେରା ଓ ଆଲର୍ଟ ସିକ୍ୟୁରିଟି ଡୋର ଆଦି ଯୋଗାଇ ଦେବା, ସାକ୍ଷୀମାନଙ୍କର ନାମ ଠିକଣା, ପିତାମାତାଙ୍କ ନାମ ଓ ବୃତ୍ତି ଆଦି ଗୋପନ ରଖି ଛଦ୍ମନାମ ପ୍ରଦାନ କରିବା, ଜରୁରୀକାଳୀନ ସମ୍ପର୍କ ବ୍ୟବସ୍ଥା କରିବା, ସାକ୍ଷୀର ଘର ନିକଟବର୍ତ୍ତୀ ଇଲାକାରେ ନିୟମିତ ପୁଲିସ ପହରା ଦେବା, ସାକ୍ଷୀଙ୍କୁ ସାମୟିକ ଭାବେ ସମ୍ପର୍କୀୟଙ୍କ ଘରକୁ କିମ୍ୱା ନିକଟସ୍ଥ ସହରକୁ ସ୍ଥାନାନ୍ତରିତ କରିବା, ସାକ୍ଷ୍ୟ ଶୁଣାଣି ତାରିଖ ଦିନ ସରକାରୀ ଗାଡ଼ିରେ ସାକ୍ଷୀଙ୍କୁ କୋର୍ଟକୁ ନେବା ଆଣିବା କରିବା, କୋର୍ଟରେ ରୁଦ୍ଧଦ୍ୱାର ସାକ୍ଷ୍ୟ ଗ୍ରହଣ କରିବା ଏବଂ ଭିଡିଓ ଲିଙ୍କ୍ ବ୍ୟବସ୍ଥା କରିବା, ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ସାକ୍ଷ୍ୟ ପ୍ରଦାନରେ କୌଣସି ମହଲତ ନ ଦେବା, ସାକ୍ଷ୍ୟ ପ୍ରଦାନ ସମୟରେ ସମ୍ପର୍କୀୟଙ୍କୁ ରହିବା ପାଇଁ ଅନୁମତି ଦେବା, ଆବଶ୍ୟକ ସ୍ଥଳେ ସାକ୍ଷୀମାନଙ୍କର ପ୍ରତିପୋଷଣ, ବାସ ସ୍ଥାନାନ୍ତରଣ ଓ କାମଧନ୍ଦା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା।
ସାକ୍ଷୀ ସୁରକ୍ଷା ଯୋଜନାର କୌଣସି ପ୍ରତିକାରକୁ ସାକ୍ଷୀ ନିଜର ଅଧିକାର ଭାବରେ ଦାବି କରିପାରିବେ ନାହିଁ। ସାକ୍ଷୀମାନେ ଅପରାଧୀଙ୍କ ଚାପର ବଶବର୍ତ୍ତୀ ନ ହୋଇ, ଏହି ଯୋଜନାର ଉପଯୋଗ କରି ଯଦି ନିର୍ଭୀକ ଭାବେ ସାକ୍ଷ୍ୟ ପ୍ରଦାନ କରନ୍ତି, ତେବେ ଦଣ୍ଡବିଧାନ ହାର ନିଶ୍ଚିତ ଭାବେ ବୃଦ୍ଧି ହୋଇ ପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।

 

-ଚିତ୍ତରଞ୍ଜନ କାନୁନ୍‌ଗୋ
ଉପ-ନିର୍ଦେଶକ
କ୍ରାଇମ୍ ବ୍ରାଞ୍ଚ, ଓଡିଶା
ଫୋ: ୮୯୧୭୨୭୬୬୩୦

 

Comments
Loading...