ସମ୍ବଲପୁରରେ ଦେହ ବ୍ୟାପାର, ସନ୍ଦେହ ଘେରରେ ପୁଲିସର ନୀରବତା

- ୫ ଗିରଫ, ୫ ରୂପଜୀବୀ ଉଦ୍ଧାର

ସମ୍ବଲପୁର: ସମ୍ବଲପୁରରେ ଅନେକ ଦିନରୁ ଅବୈଧ ଭାବରେ ଦେହ ବ୍ୟାପାର ଚାଲି ଆସୁଥିବାର ଅଭିଯୋଗ ହୋଇ ଆସୁଛି। ଏଭଳି କ୍ଷେତ୍ରରେ ଗତକାଲି ୮୬ତମ ପୁଲିସ ପ୍ରତିଷ୍ଠା ଦିବସ ଦିନ ସମ୍ବଲପୁର ପୁଲିସର ଭାବମୂର୍ତ୍ତିକୁ ପ୍ରତିଷ୍ଠା କରିବା ପାଇଁ କିଛି ସ୍ୱତନ୍ତ୍ର ଦଳ ଗଠନ କରି ସହରର ବିଭିନ୍ନ ଥାନାଞ୍ଚଳ ମାନଙ୍କରେ ଜାରି ରହିଥିବା ବିଭିନ୍ନ ଦେହ ବ୍ୟାପାର ଆଡ୍ଡା ଗୁଡିକ ଉପରେ ଚଢ଼ଉ ଅଭିଯାନ କରିଥିଲା। ଗୁରୁବାର ଦ୍ୱିହପରରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୫ଟି ସ୍ଥାନରେ ପୁଲିସ ଦଳ ମାନେ ଚଢ଼ଉ କରିଥିବା ବେଳେ ୩ଟି ସ୍ଥାନରେ ସଫଳତା ହାସଲ କରିଥିବାର ଜଣାପଡିଛି। ଚଢ଼ଉ ସମୟରେ ସମୁଦାୟ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ ଜଣ ରୂପଜୀବୀଙ୍କୁ ଉଦ୍ଧାର କରାଯାଇଛି।

ପ୍ରଥମେ ଧନୁପାଲି ଥାନା ଅର୍ନ୍ତଗତ ପୁଟିବନ୍ଧ ଓ ସରଲାକାନି ଠାରେ ଏକ ସମୟରେ ପୁଲିସ ବେଆଇନ ଭାବରେ ଚାଲିଥିବା ଦେହ ବ୍ୟାପାର ଆଡ୍ଡା ଉପରେ ଚଢ଼ଉ କରିଥିଲା। ପୁଟିବନ୍ଧ ଠାରେ ଚଢ଼ଉ ସମୟରେ ୨ ଜଣ ୨୫ ବର୍ଷିୟ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଘର ମାଲିକ ରାଜେଶ କୁମାର ମିଶ୍ର ଓ ଭଡାଟିଆ ସଦାନନ୍ଦ ନାଗଙ୍କୁ ପୁଲିସ ଗିରଫ କରିଛି। ସେହିଭଳି ସରଲାକାନି ଠାରେ ଚଢ଼ଉ ସମୟରେ ଲଇକେରା ନିବାସୀ ତଥା ସରଲାକାନି ଠାରେ ରହୁଥିବା ୩୫ ବର୍ଷିୟ ମହିଳାଙ୍କୁ ଗିରଫ କରାଯାଇଛି। ସେଠାରୁ ୨ ଜଣ ରୂପଜୀବୀଙ୍କୁ ଉଦ୍ଧାର କରାଯାଇଛି।

ସେହିଭଳି ଅଇଁଠାପାଲି ଥାନା ଠାରୁ ଅନିତି ଦୂରରେ ରହିଥିବା ଅନୁଗୁଳିଆ ପଡା ଠାରେ ଚଢ଼ଉ ସମୟରେ ପୁଲିସ ଜଣେ ରୂପଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ ଅବୈଧ୍ୟ ଦେହ ବ୍ୟାପାରରେ ସାମିଲ ଥିବା ସ୍ୱାମୀ ଓ ସ୍ତ୍ରୀଙ୍କୁ ଗିରଫ କରିଛି। ସମସ୍ତ ଚଢ଼ଉ ସ୍ଥାନ ଗୁଡିକୁ ଉତ୍ତଜକ ସାମଗ୍ରୀ, ନିରୋଧ, ଗର୍ଭ ନିରୋଧକ ବଟିକା ଆଦି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଧରାପଡିଥିବା ୩ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଛି ଏବଂ ଏ ସର୍ମ୍ପକରେ ଅଧିକ ତଦନ୍ତ ଚାଲିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ପୁଲିସର ଅସମ୍ଭବ ନିରବତାକୁ ନେଇ ପ୍ରଶ୍ନ ଚିହ୍ନ
ଗୁରୁବାର ଦ୍ୱିହପର ଠାରୁ ଅବୈଧ୍ୟ ଦେହ କାରବାର ଉପରେ କରାଯାଇଥିବା ଚଢ଼ଉ ଅଭିଯାନର ପ୍ରାୟ ୩୬ ଘଣ୍ଟା ବିତିଯିବା ପରେ ମଧ୍ୟ ସମ୍ବଲପୁର ପୁଲିସର ଅସମ୍ଭବ ନିରବତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଥା କଥାକେ ସମ୍ବଲପୁର ପୁଲିସ ପ୍ରେସ ରିଲିଜ କିମ୍ବା ପ୍ରେସ ମିଟ ଡାକି ନିଜର ସଫଳତା ବଖାଣୁଥିବା ବେଳେ କିନ୍ତୁ ଏହି ଚଢ଼ଉ ଅଭିଯାନ ସର୍ମ୍ପକରେ ଅସମ୍ଭବ ନିରବତା ଅବଲମ୍ବନ କରୁଥିବା ଘଟଣାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ କରାଯାଉଛି।

୭ଟି ସ୍ଥାନରେ ଚଢ଼ଉ : ୪ଟି ସ୍ଥାନରୁ ଶିଶୁପାଳ
ସମ୍ବଲପୁର ପୁଲିସର ସ୍ୱତନ୍ତ୍ର ଦଳ ଗୁଡିକ ଗୁରୁବାର ଦ୍ୱିପହରରୁ ରାତ୍ରି ପର୍ଯ୍ୟନ୍ତ ସମୁଦାୟ ୫ଟି ସ୍ଥାନ ଏବଂ ଶୁକ୍ରବାର ସକାଳୁ ୨ଟି ସ୍ଥାନରେ ଚଢ଼ଉ କରିଥିବାର ଜଣାପଡିଛି। ସେଥି ମଧ୍ୟରୁ ଗୁରୁବାର ରାତ୍ରିରେ ୨ଟି ସ୍ଥାନ ଏବଂ ଶୁକ୍ରବାର ସକାଳୁ କରିଥିବା ୨ଟି ସ୍ଥାନରେ ଚଢ଼ଉ କରି ଶିଶୁପାଳ ହୋଇ ଖାଲି ହାତରେ ଫେରିଥିବାର ଜଣାପଡିଛି।

ରାଣୀ ମହୁମାଛିକୁ ଛତ୍ର ଛାୟା !!!
ଏହି ଚଢ଼ଉ ସମୟରେ ସହର ସାରା ଚାଲିଥିବା ଦେହ ବ୍ୟାପରରେ ସହରର ଉପକଣ୍ଠସ୍ଥ ଏକ ଗ୍ରାମ (ମହାନଗର ଅଧିନ) ର ଜଣେ ମହିଳା ରାଣୀ ମହୁମାଛି ରୂପେ ରହିଥିବା ବେଳେ କିନ୍ତୁ ତାକୁ ଜାଣିଶୁଣି ଖସାଇ ଦିଆଯାଇଥିବାର ଚର୍ଚ୍ଚା ଜୋରରେ ଚାଲିଛି। ଅନେକ ଦିନରୁ ଉକ୍ତ ମହିଳା ଜଣକ ଏହି କାରବାରରେ ଲିପ୍ତ ଥିବା ବେଳେ କିନ୍ତୁ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟା ରହିଥିବାରୁ ତାଙ୍କ ଉପରେ ହାତ ମାରିବାକୁ ପୁଲିସ ପଛ ଘୁଞ୍ଚା ଦେଉଥିବାର ଅନୁମାନ କରାଯାଉଛି।

ହାଇପ୍ରୋଫାଇଲ ସେକ୍ସ ରାକେଟକୁ ନେଇ ନୀରବତା !!!
ସମ୍ବଲପୁରରେ ବହୁଦିନରୁ ସେକ୍ସ ର‍୍ୟାକେଟ୍‍ ଚାଲିଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ଗତକାଲିର ଚଢ଼ଉ ସମୟରେ ଧରାପଡିଥିବା ବ୍ୟକ୍ତି ମାନେ ଏହି ବେପାରର ଛୋଟିଆ ମାଛ ବୋଲି ଜଣାପଡିଛି। ସହରର ଅନେକ ବଡବଡିଆ ସ୍ଥାନ ଗୁଡିକରେ ନିୟମିତ ସେକ୍ସ କାରବାର ଚାଲିଥିବା ବେଳେ ଜାଣିଶୁଣି ସେ ଗୁଡିକ ଉପରୁ ଆଖି ବୁଜି ଦିଆଯାଉଥିବାର ଅଭିଯୋଗ ହେଉଛି।

ଥାନାଗୁଡିକୁ ଭରସାରେ ନ ନେଇ ସିଧାସଳଖ ଚଢ଼ଉ
ସହରର ବିଭିନ୍ନ ସ୍ଥାନରେ ଅବୈଧ୍ୟ ଦେହ ବ୍ୟାପାର ଉପରେ ଅଙ୍କୁଶ ପାଇଁ ହୋଇଥିବା ଚଢ଼ଉ ସମୟରେ ସଂପୃକ୍ତ ଥାନା ଗୁଡିକୁ ମଧ୍ୟ ଭରସାରେ ନ ନେଇ ସିଧାସଳଖ ଏସପିଙ୍କ ନିର୍ଦ୍ଦେଶରେ ସ୍ପେଶାଲ ସ୍କ୍ୱାର୍ଡ ଦଳ ଓ ରିର୍ଜଭ ପୁଲିସର ସ୍ୱତନ୍ତ୍ର ପୁଲିସ ଦଳକୁ ନିଆଯାଇଥିଲା। ସ୍ୱତନ୍ତ୍ର ଦଳ ମାନେ ଚଢ଼ଉ ସ୍ଥଳ ଗୁଡିକରେ ପହୁଞ୍ôଚବା ପରେ ଯାଇ ସଂପୃକ୍ତ ଥାନା ଗୁଡିକୁ ଖବର ଦିଆଯାଇଥିବାର କୁହାଯାଉଛି।

Comments are closed.