ମା’ ସମଲେଶ୍ୱରୀଙ୍କ ଆଳତିର ସିଧା ପ୍ରସାରଣ ପ୍ରସ୍ତାବ

ସମ୍ବଲପୁର: କରୋନା ସଙ୍କଟ ଯୋଗୁଁ ଏବେ ଦେଶ ଲକ ଡାଉନ ରହିଛି। ଏଣୁ ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକୁ ମଧ୍ୟ ଭକ୍ତ ମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ରଖାଯାଇଛି। ଏହି ସଙ୍କଟଜନକ ପରିସ୍ଥିତିରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଯଥା ସମ୍ଭବ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ଡିଜିଟାଲ ମାଧ୍ୟମରେ କରାଯାଉଛି। ଏବେ ଲକ ଡାଉନ ଯୋଗୁ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ମନ୍ଦିର ବନ୍ଦ ରହିଛି। ତେଣୁ ଭକ୍ତମାନେ ନିତ୍ୟ ଦର୍ଶନରୁ ବଞ୍ଚିତ ରହିବା ସହିତ ପବିତ୍ର ଚୈତ୍ର ମାସରେ ମଧ୍ୟ ମା ସମଲେଶ୍ୱରୀଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। ଏଣୁ ଏହି ଡିଜିଟାଲ ଯୁଗରେ ପ୍ରତ୍ୟହ ମା’ଙ୍କ ନିତ୍ୟ ଦର୍ଶନ ନିମନ୍ତେ ସୁଯୋଗ ଦେବା ପାଇଁ ତାଙ୍କର ଆଳତିର ସିଧା ପ୍ରସାରଣ କରିବା ପାଇଁ ପ୍ରସ୍ତାବ ଦେଇଛି ମା ସମଲେଶ୍ୱରୀ ମହିମା ପ୍ରଚାର ସମିତି।
ଦେଶର ଅନ୍ୟତମ ପ୍ରମୁଖ ମନ୍ଦିର ତିରୁମଲାର ଶ୍ରୀ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର, କଟରାର ମା ବୈଷ୍ଣୋ ଦେବୀ ମନ୍ଦିର, ସିରିଡି ସାଇ ମନ୍ଦିରଙ୍କ ଆଳତି ପ୍ରତ୍ୟହ ସିଧା ପ୍ରସାରଣ ୟୁଟ୍ୟୁବ ଓ ଅନଲାଇନ ୱେବ ସାଇଟ ମାଧ୍ୟମରେ କରାଯାଉଥିବା ଭଳି ବ୍ୟବସ୍ଥା ମା ସମଲେଶ୍ୱରୀ ମନ୍ଦିରରେ ମଧ୍ୟ କରାଯିବାକୁ ସମିତି ପ୍ରସ୍ତାବ ଦେଇଛି। ଅନଲାଇନ ଦର୍ଶନ ବ୍ୟବସ୍ଥା ଦ୍ୱାରା କେବଳ ଲକ ଡାଉନ ସମୟରେ ନୁହେଁ, ଏହା ପରେ ମଧ୍ୟ ଆଳତି ଓ ଅନ୍ୟ ରିତିନିତିର ସିଧା ପ୍ରସାରଣ ଜାରି ରହିଲେ ଦୂରଦୁରାନ୍ତରେ ଏପରିକି ବିଦେଶରେ ରହୁଥିବା ଭକ୍ତ ମାନେ ମା’ଙ୍କ ଦର୍ଶନ ପାଇ ପାରିବେ। ଭକ୍ତଙ୍କ ଧାର୍ମିକ ଭାବନାକୁ ଧ୍ୟାନରେ ରଖି ମା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଏହି ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଇ ବିଚାର କରନ୍ତୁ ବୋଲି ମହିମା ପ୍ରଚାର ସମିତିର ତ୍ରିବିକ୍ରମ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି।