ପରିବର୍ତ୍ତନରେ ଜନସହଭାଗିତା

ବିଶିଷ୍ଟ ସମାଜବିଜ୍ଞାନୀ ଥୋମାସ ମାଲଥସ୍‌ ୧୭୯୮ ମସିହାରେ ଜନସଂଖ୍ୟାର ସିଦ୍ଧାନ୍ତ ସମ୍ପର୍କରେ ଏକ ପ୍ରବନ୍ଧରେ ‘ଜନସଂଖ୍ୟାର ପରିମାଣାତ୍ମକ ବିକାଶ’ ସମ୍ବନ୍ଧୀୟ ମୂଳତତ୍ତ୍ବ ବିଷୟରେ ଆଲୋଚନା କରିଥିଲେ। ‘ଖାଦ୍ୟ ମଣିଷର ଜୀବନଧାରଣର ସର୍ବନିମ୍ନ ଆବଶ୍ୟକତା ଏବଂ ଯୌନ ଆବେଗ ଉଭୟ ଲିଙ୍ଗ ପାଇଁ ଆବଶ୍ୟକ ଓ ଏହାର ଧାରା ଅବ୍ୟାହତ ରହିବ।’ ଏହି ଦୁଇ ସ୍ବୀକାର୍ଯ୍ୟ ବିଷୟ ନେଇ ସେ ଯେଉଁ ତତ୍ତ୍ବକୁ ଉପସ୍ଥାପନ କରିଥିଲେ ତାହା ଯେ କୌଣସି ରାଷ୍ଟ୍ରର ବିକାଶ ପାଇଁ ଚିନ୍ତା କରୁଥିବା ବ୍ୟକ୍ତି ବା ସରକାର ପାଇଁ ଦିଗବାରେଣୀ। ତାହା ହେଲା ମନୁଷ୍ୟର ଜୀବନଧାରଣ ଆବଶ୍ୟକତା ପରିପୂରଣ ପାଇଁ ଆବଶ୍ୟକ ଉପାଦାନକୁ ଉତ୍ପନ୍ନ କରିବା ପାଇଁ ଧରିତ୍ରୀର ଶକ୍ତିଠାରୁ ଜନସଂଖ୍ୟାର ଶକ୍ତି ବହୁଗୁଣ ଅଧିକ। ଜନସଂଖ୍ୟା ଅନିୟନ୍ତ୍ରିତ ହେଲେ ତାହା ଜ୍ୟାମିତିକ ଅନୁପାତରେ ବୃଦ୍ଧି ପାଇଥାଏ; କିନ୍ତୁ ଜୀବନଧାରଣର ଉପାୟ ସରଳ ପାଟୀଗଣିତ ହାରରେ ଅଗ୍ରସର ହୁଏ। ଏହା ଜାଣି ସୁଦ୍ଧା ସମାଜରେ ଜନସଂଖ୍ୟା ବୃଦ୍ଧି ଅନବରତ ଚାଲେ ଓ ଏହା ସମାଜର ଦୁର୍ବଳ ଶ୍ରେଣୀ ପାଇଁ ବିପତ୍ତି ଆଣିବା ସହ ସେମାନଙ୍କର ଚିରସ୍ଥାୟୀ ଉତ୍ତରଣରେ ସବୁବେଳେ ଭଟ୍ଟା ପଡ଼ିଥାଏ। ତା ଉପରେ ମହାମାରୀ, ଦୁର୍ଭିକ୍ଷ, ବନ୍ୟା, ବାତ୍ୟା, ଯୁଦ୍ଧ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଥାଏ।
ଏହି ଜନସଂଖ୍ୟା ବୃଦ୍ଧିର ପ୍ରଭାବ ପୁଣି ଦେଶର ସବୁ ଅଞ୍ଚଳରେ ସମାନ ଭାବେ ପଡ଼ିନଥାଏ। ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ପାର୍ବତ୍ୟାଞ୍ଚଳରେ ଏହାର ପ୍ରଭାବ ଭିନ୍ନ ଭାବରେ ଅନୁଭୂତ ହୋଇଥାଏ। ବିଭିନ୍ନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କାରଣରୁ ଜନସଂଖ୍ୟାର ବେଶ୍‌ କିଛି ଭାଗ ସ୍ଥାନାନ୍ତର ହୋଇଥାନ୍ତି। ଦେଶର ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଲିଯାଉଥିବା ଜନସଂଖ୍ୟା ପ୍ରାୟ ୧୪ ଶତକଡ଼ା ଥିବାବେଳେ ରାଜ୍ୟ ଭିତରେ ୮୫ ଶତକଡ଼ା ଲୋକ ଓ ଜିଲା ଭିତରେ ୩୦ ଶତକଡ଼ା ଲୋକ ସ୍ଥାନାନ୍ତର ହୋଇଥାନ୍ତି। ଏହି ସ୍ଥାନାନ୍ତର ହେଉଥିବା ଜନସଂଖ୍ୟାର ସିଂହଭାଗ ସହରାଭିମୁଖୀ ହେବା ଯୋଗୁଁ ହିଁ ସହରରେ ଖାଦ୍ୟ, ବାସଗୃହ, ଜଳ, ବିଦ୍ୟୁତ୍‌, ଗମନାଗମନ, ପ୍ରଦୂଷଣ, ଆଇନ ଶୃଙ୍ଖଳା ଆଦି ବିବିଧ ସମସ୍ୟା ଦେଖାଦେଇଥାଏ। ବ୍ୟବସାୟ, ଚାକିରି, ଶିକ୍ଷା, ବିବାହ, ଜନ୍ମ ପରର ସ୍ଥାନାନ୍ତରଣ ସହ ସୁଖକର ଜୀବନ ପାଇଁ ମନୁଷ୍ୟ ସହରାଭିମୁଖୀ ବା ଗ୍ରାମାଭିମୁଖୀ ହୋଇଥାଏ। ଦେଶର ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ ରାଷ୍ଟ୍ରର ଯେ କୌଣସି ସ୍ଥାନରେ ବସବାସ କରିବାର ଅଧିକାର ଦିଆଯାଇଛି। ତେଣୁ କିଏ ସହରାଭିମୁଖୀ ବା ଗ୍ରାମାଭିମୁଖୀ ହେଲେ ସେ ସମ୍ପର୍କରେ ବାହାରି ପ୍ରଶ୍ନ କରିବାର ଜୁ’ ନାହିଁ। ତେଣୁ ଏହି ସ୍ଥାନାନ୍ତରଣ ଜନିତ ତଥା କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହର ବା ନଗରମାନଙ୍କରେ ନାଗରିକଙ୍କ ମୌଳିକ ଓ ଆନୁଷଙ୍ଗିକ ସୁଖସୁବିଧା ଉପଲବ୍ଧ କରାଇବା ସରକାରଙ୍କ କର୍ତ୍ତବ୍ୟ। ଏହି ବିକାଶ ପାଇଁ ଆବଶ୍ୟକ ବିବିଧ ପରିବର୍ତ୍ତନ ଅନେକ ସମୟରେ ଆମ ପାଇଁ ସାମୟିକ ସମସ୍ୟା ସୃଷ୍ଟି କରିଥାଏ। ଯେମିତି ଜାଇକା କାର୍ଯ୍ୟ ପାଇଁ କଟକ-ଭୁବନେଶ୍ବର ଆଦି ମହାନଗରରେ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟରେ ଦୀର୍ଘଦିନ କାର୍ଯ୍ୟ ହେବା ସମୟରେ ଦୁର୍ଘଟଣା, ଗମନାଗମନ, ଜଳ, ବିଦ୍ୟୁତ୍‌, ପ୍ରଦୂଷଣ ସମସ୍ୟାର ଲୋକେ ସମ୍ମୁଖୀନ ହେଉଛନ୍ତି, ସେହିପରି କୌଣସି ପ୍ରକଳ୍ପ ବା ରାସ୍ତା ନିର୍ମାଣ ସମୟରେ ମଧ୍ୟ ନିର୍ଦ୍ଦିଷ୍ଟ ଅଞ୍ଚଳବାସୀ କିଛି କାଳ ପାଇଁ ଅସୁବିଧାର ସାମ୍ନା କରିଥାନ୍ତି।
ସମ୍ପ୍ରତି ଓଡ଼ିଶା ସରକାର କଟକ ସହରର ବିକାଶ ପ୍ରତି ଯେଉଁ ନୂଆ ଦୃଷ୍ଟିଭଙ୍ଗୀ ରଖିଛନ୍ତି ତାହାକୁ ଦଳମତ ନିର୍ବିଶେଷରେ ସ୍ବାଗତ କରାଯାଇଛି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ବିଶ୍ବସ୍ତରୀୟ କରିବାର ଯୋଜନା ରାଜ୍ୟ ପାଇଁ ଏକ ଗୌରବଜନକ ଓ ମର୍ଯ୍ୟାଦାଜନକ ସିଦ୍ଧାନ୍ତ। ଏହି ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ହେଉଛି ରାଜ୍ୟର ସର୍ବଶ୍ରେଷ୍ଠ ଚିକିତ୍ସାଳୟ। ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାର ଆଶା ଶେଷ ହେଲେ ରୋଗୀଟିକୁ ଏସ୍‌ସିବିକୁ ନିଆଯାଇଥାଏ। ତେବେ ଏସ୍‌ସିବିର ଏବର ସ୍ଥିତି ଯାହା ତାହା ମଧ୍ୟ ଦୁଃଖଦାୟକ। ଶଯ୍ୟା ସଂଖ୍ୟା ରୋଗୀଙ୍କ ଆବଶ୍ୟକତାକୁ ଚାହିଁ ଊଣା ଥିବାରୁ ଅଧିକାଂଶ ୱାର୍ଡରେ ରୋଗୀମାନଙ୍କୁ ଭୂମିରେ, ବାରଣ୍ଡାରେ ଗଡୁଥିବାର ଦୃଶ୍ୟ ସାଧାରଣ। ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ରୋଗୀ ଆନୁପାତିକ ନଥିବାରୁ ଚିକିତ୍ସାରେ ଅବହେଳା ସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ଏକ ବଡ଼ ସମସ୍ୟା। ପରିସର ଭିତରେ ଯଥେଷ୍ଟ ଜାଗା ନଥିବାରୁ ଚଳପ୍ରଚଳ ମଧ୍ୟ ଅସୁବିଧା। ଏସବୁକୁ ବାଦ ଦେଲେ ଘରୋଇ ଡାକ୍ତରଖାନାରେ ରୋଗୀଙ୍କ ପ୍ରତି ଯେପରି ଦୃଷ୍ଟି ଦିଆଯାଏ, ଆବଶ୍ୟକତା ଅନୁସାରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଯେପରି ସମବେଦନାର ସହ ହାଜିର ହୁଅନ୍ତି, ସେ କଥା ମଧ୍ୟ ଏସସିବିରେ ମିଳେନାହିଁ। ତେଣୁ ବିଶ୍ବସ୍ତରୀୟ ଚିକିତ୍ସାଳୟଟିଏ ହେବା ୪ କୋଟି ଓଡ଼ିଆଙ୍କ ପାଇଁ ଏକ ସ୍ବର୍ଣ୍ଣିମ ସ୍ବାସ୍ଥ୍ୟଲକ୍ଷ୍ୟ ବୋଲି କୁହାଯାଇପାରେ। ଏହି ଲକ୍ଷ୍ୟ ପୂରଣ ପାଇଁ ସରକାର କେବଳ ଏକୁଟିଆ ଯୋଜନା କରି ସିଦ୍ଧାନ୍ତ ନେଲେ ଯେ ସମ୍ଭବ ହୋଇପାରିବ ତାହା ଠିକ୍‌ ବୋଲି ମନେ କରାଯାଇ ନପାରେ। ପାଖାପାଖି ୪୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ସରକାର ସାଧାରଣ ଜନତାଙ୍କୁ ସାଙ୍ଗରେ ନେବା ଉଚିତ ଓ ଲୋକମାନେ ମଧ୍ୟ ଅକୁଣ୍ଠିତ ଚିତ୍ତରେ ସରକାରଙ୍କୁ ଏଥିରେ ସହଯୋଗ ଦେବା ଆବଶ୍ୟକ। ବିଶ୍ବସ୍ତରୀୟ ଡାକ୍ତରଖାନାର ୧୦ କି.ମି ପରିଧି ମଧ୍ୟ ବିଶ୍ବସ୍ତରୀୟ ହେବା ଆବଶ୍ୟକ। ରାସ୍ତା, ଘାଟ, ନାଳ, ନର୍ଦମା, ଜଳ, ପରିମଳ, ବିଦ୍ୟୁତ୍‌ ସବୁ ପ୍ରକାର ଉପାଦାନ ମଧ୍ୟ ଅନୁରୂପ ଭାବେ ବିକଶିତ ହେଲେ ହିଁ ବିଶ୍ବସ୍ତରୀୟ ଡାକ୍ତରଖାନା ହେଉଥିବା ସହର ମଧ୍ୟ ବିଶ୍ବସ୍ତରୀୟ ହୋଇପାରିବ। ପ୍ରଶସ୍ତ ରାସ୍ତାଘାଟ ହେଲେ ରାସ୍ତାର ଜନଗହଳି କମିପାରିବ ଓ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା ସୁବିଧାଜନକ ହେବ। ତେଣୁ ସହରର ଗଳିକନ୍ଦିଠାରୁ ଆରମ୍ଭ କରି ବୃହତ୍‌ ଅଞ୍ଚଳ ସବୁଠାରୁ ଜବରଦଖଲ ଉଚ୍ଛେଦ ହେବା ସର୍ବାଦୌ ଆବଶ୍ୟକ। କ୍ଲବଘର, ପୂଜାଘର, ସାହିଘର ପାଇଁ ବିକଳ୍ପ ବ୍ୟବସ୍ଥା କରାଗଲେ ରାସ୍ତା, ଡ୍ରେନ ଅବରୋଧ କରି ହୋଇଥିବା ଗୋଷ୍ଠୀ ଗୃହକୁ ଉଚ୍ଛେଦ କରାଯାଇପାରିବ। ସାଧାରଣ ମଣିଷ ଏ ସବୁ ବିରୋଧରେ ମୁହଁ ଖୋଲିବାକୁ ସାହସ କରନ୍ତି ନାହିଁ। ଏପରି କି ପୁଲିସ, ପ୍ରଶାସନ ଓ ରାଜନୀତିଆମାନେ ଏ ସବୁରୁ ନିରାପଦ ଦୂରତ୍ବରେ ରହନ୍ତି; ବରଂ ଯେଉଁ ଲୋକ ପ୍ରତିବାଦ କରେ ତା’ ପାଟି ଚୁପ୍‌ କରିବାକୁ ଯାହା ଆବଶ୍ୟକ ତାହା କ୍ଷମତାଶାଳୀ ଲୋକ କରିଥାନ୍ତି। ୩୦/୪୦ ବର୍ଷ ତଳେ ସହରର ଯେଉଁ ଗଳିରେ ଟ୍ରକ ଯାଉଥିଲା, ଏବେ ସେଠାରେ ରିକ୍ସା ଯିବା କଷ୍ଟକର ହେଉଛି ବୋଲି ଅନେକ ଅଭିଜ୍ଞ ଲୋକ ମତ ଦିଅନ୍ତି। ସମ୍ପ୍ରତି ପ୍ରତି ଗଳିକୁ ଅଳିଆବୁହା ଗାଡ଼ିକୁ ପଠାଯାଇ କଟକ ମହାନଗର ନିଗମ ଅଳିଆ ସଂଗ୍ରହ କରୁଥିବାରୁ ସହର ତୁଳନାତ୍ମକ ଭାବେ ପରିଷ୍କାର ରହିଥିଲେ ହେଁ ନାଳ ନର୍ଦମା ତଥା ଅନେକ ସର୍ବସାଧାରଣ ସ୍ଥାନ ପୂତିଗନ୍ଧମୟ ହୋଇ ରହିଛି।
ବାଉନ ବଜାର ତେପନ ଗଳି ବିଶିଷ୍ଟ ହଜାରେ ବର୍ଷର କଟକ ସହରରେ କୌଣସି ନୂତନ ରାସ୍ତା ନିର୍ମାଣ ଓ ପୁରାତନ ରାସ୍ତା ପ୍ରଶସ୍ତୀକରଣର ସମ୍ଭାବନା ନଥିବା ବେଳେ ଯୋବ୍ରାଠାରୁ ରାଣୀହାଟ ପର୍ଯ୍ୟନ୍ତ ରାସ୍ତାକୁ ଜବରଦଖଲ ମୁକ୍ତ କରି ଯେପରି ପ୍ରଶସ୍ତ ଓ ଶୋଭାମୟ କରାଯାଇପାରିଲା ତାହା ନଗରବାସୀଙ୍କୁ ବିମୋହିତ କରିବା ସହ ବିଶ୍ବସ୍ତରୀୟ ଡାକ୍ତରଖାନା ସମ୍ପର୍କରେ ଏକ ନୂଆ ଆଶା ସଞ୍ଚାର କରୁଛି। ଖାନନଗରଠାରେ ୧୨ ଏକର ଜମି ନିର୍ଦ୍ଧାରିତ କରି ବସ୍‌ଷ୍ଟାଣ୍ଡ ତଥା ଗୋପାଳପୁରଠାରେ ସାଟେଲାଇଟ୍‌ ବସ୍‌ଷ୍ଟାଣ୍ଡ ପାଇଁ ଚବିଶ ଏକର ଜମିରେ ପାଚେରି ନିର୍ମିତ ହୋଇଛି। ବିରୂପା ନଦୀ ପାର୍ଶ୍ବରେ ମଧ୍ୟ ୩୨ ଏକର ଜମିକୁ ନୂତନ ପ୍ରକଳ୍ପ ପାଇଁ ଚିହ୍ନଟ କରାଯାଇଛି। ଚାଉଳିଆଗଞ୍ଜସ୍ଥିତ ଷଷ୍ଠ ବାଟାଲିୟନ ଭିତରେ ଥିବା ଏକାନବେ ଏକର ଜମିରୁ ମାତ୍ର ୩୫ ଏକର ଜମି ଅର୍ଦ୍ଧ ବ୍ୟବହୃତ ହୋଇ ବାକି ବିସ୍ତୀର୍ଣ୍ଣ ଅଞ୍ଚଳ ଅବ୍ୟବହୃତ ହୋଇ ରହିବା ଦ୍ବାରା ନା ସରକାରଙ୍କର ନା ଜନସାଧାରଣଙ୍କର କାହାରି କାର୍ଯ୍ୟରେ ଆସୁନଥିଲା, ଏହାକୁ ଏବେ ବ୍ୟବହାର କରାଯାଇ ବସ୍ତିବାସିନ୍ଦାଙ୍କୁ ସ୍ବଳ୍ପ ମୂଲ୍ୟରେ ବାସଗୃହ ଯୋଗାଇ ଦିଆଯିବ। ବିଗତ ବହୁ ବର୍ଷ ଧରି ନେତାମାନେ ବିସ୍ଥାପିତ ହେଉଥିବା ବସ୍ତିବାସିନ୍ଦାଙ୍କୁ ସହର ବାହାରକୁ ଠେଲିନଦେଇ ସହର ଭିତରେ ଥଇଥାନ କରିବା ପାଇଁ ଦାବି କରି ଆସୁଥିଲେ। ଦ୍ବିତୀୟତଃ ବସ୍ତିରେ ରହୁଥିବା ଲୋକମାନେ ହିଁ ସହରବାସୀଙ୍କୁ ବିଭିନ୍ନ ସେବା ପ୍ରଦାନ କରିଥାନ୍ତି। ତୃତୀୟତଃ ସାମାଜିକ ସମାନତା ଦୃଷ୍ଟିରୁ ସହର ବିକାଶରେ ସେମାନଙ୍କର ଯଥେଷ୍ଟ ଭୂମିକା ଥିବାରୁ ସହରରେ ହିଁ ସେମାନେ ଅବସ୍ଥାପିତ ହେବା ଆବଶ୍ୟକ। ରାଜତନ୍ତ୍ର ସମୟରେ ମଧ୍ୟ ସେବାକାରୀମାନେ ରାଜନଅର ମଧ୍ୟରେ ରହିବାର ବ୍ୟବସ୍ଥା ଥିଲା। ସମ୍ପ୍ରତି କେତେକ ରାଜନୈତିକ ବ୍ୟକ୍ତି ଏହି ଗୃହ ନିର୍ମାଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଦୁର୍ଭାଗ୍ୟଜନକ। ଆଜି ଏକବିଂଶ ଶତାବ୍ଦୀରେ ଗୋଟିଏ ଅଞ୍ଚଳରେ ଗରିବଲୋକ ରହିଲେ ‘ଚୋରି ଡକାୟତି ବଢ଼ିବ ତଥା ଲୁଟତରାଜ ମାରପିଟ ଓ ଅନ୍ୟାନ୍ୟ ଅପରାଧ ଘଟିବ’ ଏପରି ମତାମତ ଆଦୌ ଗ୍ରହଣୀୟ ନୁହେଁ। ସହରର ବିଶାଳ ସୌଧରେ ରହୁଥିବା ଶହ ଶହ ଲୋକଙ୍କ ଚରିତ୍ର ଓ କେଳେଙ୍କାରୀର ରହସ୍ୟ ଉନ୍ମୋଚନ ହେଲାପରେ ଅନ୍ତତଃ ଏପରି ଆଲୋଚନା ଅଯଥାର୍ଥ। ତେବେ ଆର୍ଥିକ ଅନଗ୍ରସର ଓ ଗରିବ ଲୋକଙ୍କ ନାମରେ ନିର୍ମିତ ହେବାକୁ ଥିବା ଏହି ଗୃହ ଗରିବର ମୁଖାଭିତରେ ପ୍ରଶାସନ ଓ ରାଜନୀତିରେ ଥିବା କ୍ଷମତାଶାଳୀ ଲୋକଙ୍କ ହାତକୁ କିପରି ଖସିନଯିବ ତାହା ଜାଗ୍ରତ ପ୍ରହରୀ ଭାବେ ଜଗିବା ଆମର କର୍ତ୍ତବ୍ୟ ହେବା ଉଚିତ। ଏହି ନିର୍ମାଣ କାର୍ଯ୍ୟ ସରକାର ଟେଣ୍ଡର କରି ଠିକାଦାରଙ୍କୁ ଦେବା ବଦଳରେ ପିପିପି ଭିିିିତ୍ତିରେ ସଂସ୍ଥାମାନଙ୍କୁ ଦେବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିକରେ।
ପରିବର୍ତ୍ତନରେ ଜନସହଭାଗିତା ଏକାନ୍ତ ଆବଶ୍ୟକ। ତେଣୁ ସରକାର ଏହି ବିକାଶ କାର୍ଯ୍ୟରେ ନଗରବାସୀଙ୍କ ସହଯୋଗ ନିଅନ୍ତୁ ଓ ନଗରବାସୀ ନୀରବଦ୍ରଷ୍ଟା ନ ହୋଇ ସେମାନଙ୍କଠାରେ ନିହିତ ଜ୍ଞାନକୌଶଳ ତଥା ଅନ୍ୟାନ୍ୟ ଉପାଦାନର ବିନିଯୋଗ ପାଇଁ ସହଯୋଗର ହାତ ବଢ଼ାନ୍ତୁ। ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଯୁବକ ସଂଘ, ମହିଳାମଣ୍ଡଳୀ ତଥା ପୂଜାକମିଟିର ସଦସ୍ୟସଦସ୍ୟା ସଚେତନତା ସୃଷ୍ଟି କରିବା ସହ ବିଶେଷଜ୍ଞମାନେ ଏହି ବୃହତ୍‌ ପ୍ରକଳ୍ପର ଗୁଣବତ୍ତାର ମାନ ରକ୍ଷା କରିବାରେ କିପରି ସହାୟକ ହୋଇପାରିବେ ସେଥିପାଇଁ ପ୍ରଶାସନ ତା’ର ଦ୍ବାର ଉନ୍ମୁକ୍ତ ରଖୁ ଓ ଭିତ୍ତିଭୂମି ସୃଷ୍ଟି କରୁ।

ପ୍ରଭାସ ଆଚାର୍ଯ୍ୟ

ସମ୍ପାଦକ, ‘ସମାଜ ରିଲିଫ କମିଟି’
ଗୋପବନ୍ଧୁ ଭବନ, କଟକ-୧
ମୋ:୯୪୩୭୦୨୦୩୪୮

Comments are closed.