ଅଣ-କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେଳା ନକରିବାକୁ ରାଜ୍ୟକୁ ପରାମର୍ଶ

କୋଭିଡ-୧୯ ସମ୍ପର୍କରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ :  ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି । ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଏବଂ ଏହା ପ୍ରଭାବିତ ନ ହେବା ଉଚିତ ବୋଲି ରାଜ୍ୟଗୁଡ଼ିକୁ
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଅଣ-କୋଭିଡ ଜରୁରୀ ଚିକିତ୍ସାକୁ ଅବହେଳା କରାଯିବା ଅନୁଚିତ । ଡାଏଲିସିସ, କର୍କଟ ଚିକିତ୍ସା, ମଧୁମେହ, ଗର୍ଭବତୀ ମହିଳା ଏବଂ ହୃଦରୋଗୀମାନଙ୍କୁ ଯଥେଷ୍ଟ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଗୁରୁତ୍ବାରୋପ କରାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ବୁଧବାର ସାରା ଦେଶର ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲର ସଦସ୍ୟମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ । ସେ ପିଏମ କେୟାର୍ସ ପାଣ୍ଠିକୁ ୯.୧ କୋଟି ଟଙ୍କା ଏବଂ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ରିଲିଫ ପାଣ୍ଠିକୁ ୧୨.୫ କୋଟି ଟଙ୍କା ଦାନ ନିମନ୍ତେ ଲାୟନ୍ସ କ୍ଲବର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାଛଡ଼ା ଲକ୍ଷାଧିକ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ଚିକିତ୍ସା ଲାଗି ସୁରକ୍ଷା ଉପକରଣ ଯୋଗାଇ ଦେବା ନିମନ୍ତେ ସେମାନଙ୍କର ଯୋଗଦାନକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସମେତ ସମସ୍ତ ସମର୍ପିତ ଅଂଶୀଦାର ଓ ଭାଗୀଦାରଙ୍କୁ ନେଇ ଭାରତ କୋଭିଡ-୧୯ ବିରୋଧରେ ବିଜୟୀ ହୋଇପାରିବ।
ସ୍ବାସ୍ଥ୍ୟ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦାନ ରାଜ୍ୟ ଓ ଜିଲ୍ଲାଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ କୋଭିଡ -୧୯ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ବିଭିନ୍ନ ମୁକାବିଲା କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଭିଡିଓ କନଫରେନ୍ସ ଅବସରରେ ଜିଆଇଏସ ଡ୍ୟାଶବୋର୍ଡ ପରିଚାଳନା, କୋଭିଡ-୧୯ ପୋର୍ଟାଲ ଏବଂ ସମର୍ପିତ ଆରଟି-ପିସିଆର ରେଫରାଲ ଆପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆତ୍ମନିରୀକ୍ଷଣ ଉପକରଣ ଭାବେ ଆରୋଗ୍ୟ ସେତୁ ଆପର ଉପଯୋଗ ନିମନ୍ତେ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ।
କୋଭିଡ-୧୯ ମୁକାବିଲା ସମ୍ପର୍କରେ ଡିଏଚଆର ସଚିବ ଡ. ବଳରାମ ଭାର୍ଗବ ଏବଂ ଆଇସିଏମଆର ଡିଜି ନମୁନା ସଂଗ୍ରହ ସମୟରେ ସତର୍କତା ଅବଲମ୍ବନ କରିବା ଏବଂ ଏହା ସହିତ ଜଡ଼ିତ ଫର୍ମ ପୂରଣ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ରାଜ୍ୟଗୁଡ଼ିକୁ ସୂଚିତ କରାଯାଇଥିଲା ଯେ ଆରଟି-ପିସିଆର ଆପ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ଏହାକୁ ତୁରନ୍ତ ବ୍ୟବହାର କରାଯିବା ଉଚିତ।
ବର୍ତ୍ତମାନସୁଦ୍ଧା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୬୯୫ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ଏହାଦ୍ବାରା ମୋଟ ଆରୋଗ୍ୟ ହାର ୨୪.୫ପ୍ରତିଶତରେ ପହଞ୍ଚିଛି । ମୋଟ ସୁନିଶ୍ଚିତ ସଂକ୍ରମିତ ମାମଲା ୩୧,୩୩୨ରେ ପହଞ୍ଚିଛି ।

 

Comments are closed.