‘ପ୍ରକୃତ’ ଶିକ୍ଷା ଓ ପୋଷ୍ୟ ବିଦ୍ୟାଳୟ

ସରକାରୀ ସ୍କୁଲର ପିଲାଙ୍କ ପାଇଁ ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ଥାନ ସଂରକ୍ଷଣକୁ ନେଇ ସରକାରଙ୍କ ନିଷ୍ପତ୍ତି ଘୋଷଣାର କିଛିଦିନ ପରେ ପୋଷ୍ୟ ବିଦ୍ୟାଳୟ ଯୋଜନା ସଂପର୍କରେ ସୂଚନା ଓ ବିଜ୍ଞାପନ ପ୍ରକାଶ ପାଇଛି। ପ୍ରଥମ ନିଷ୍ପତ୍ତିଟି ପରେ ମନେହେଲା ସରକାରୀ ସ୍କୁଲଗୁଡ଼ିକର ସ୍ଥିତି କେତେ ଦୟନୀୟ ତାହାକୁ ସରକାର ଯେପରି ସ୍ୱୀକାର କରୁଛନ୍ତି। ଏବେ ସେହି ସ୍କୁଲଗୁଡ଼ିକର ବିକାଶ ପାଇଁ ପୋଷ୍ୟ ବିଦ୍ୟାଳୟ ଯୋଜନା ଏକ ମୂଲ୍ୟବାନ ଓ ସମୟୋଚିତ ପଦକ୍ଷେପ, ଏହା ବୋଧହୁଏ ସରକାର ଦର୍ଶାଇବାକୁ ଚାହାନ୍ତି।

ପୋଷ୍ୟ ସ୍କୁଲ ଯୋଜନାରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ନିବେଦନ ଖବରକାଗଜଗୁଡ଼ିକରେ ବିଜ୍ଞାପନ ମାଧ୍ୟମରେ ପ୍ରକାଶିତ ହୋଇଛି। ଏଥିରେ ଯେଉଁ ମହତ୍ତ୍ବପୂର୍ଣ୍ଣ ବିଷୟଟି କୁହାଯାଇଛି ତାହା ହେଲା ‘ପ୍ରକୃତ ଶିକ୍ଷା ହେଉଛି ବିକାଶର ଆଧାର। ଶିକ୍ଷା ହିଁ ସଭ୍ୟତା, ସଂସ୍କୃତି ଏବଂ ସଂସ୍କାରକୁ ଆଗକୁ ନେଇ ସୁସ୍ଥ ପରିବର୍ତ୍ତନର ଭିତ୍ତି ସ୍ଥାପନ କରିଥାଏ।’ ବାସ୍ତବରେ ଏହି ଲକ୍ଷ୍ୟଟି ଘୋଷିତ ଯୋଜନା ମାଧ୍ୟମରେ ହାସଲ କରାଯାଇ ପାରିବ କି – ତାହାକୁ ପ୍ରଶ୍ନ କରାଯାଇଛି ଏହି ଆଲେଖ୍ୟରେ।

ଯୋଜନାଟି ‘ମୋ ସ୍କୁଲ କାର୍ଯ୍ୟକ୍ରମ’ର ଅନ୍ତର୍ଭୁକ୍ତ ବୋଲି ଜଣାପଡ଼ିଛି। ସ୍ଥାନୀୟ ଉଦ୍ୟମକୁ ଉତ୍ସାହିତ କରିବା ପାଇଁ ମୋ ସ୍କୁଲ କାର୍ଯ୍ୟକ୍ରମଟି ଉଦ୍ଦିଷ୍ଟ। ଏହାଦ୍ୱାରା ସ୍କୁଲଗୁଡ଼ିକର କିପରି ବିକାଶ ବା ସାମଗ୍ରିକ ଉନ୍ନତି ହୋଇଛି ସେ ସଂପର୍କରେ ସଂପୂର୍ଣ୍ଣ ସୂଚନା ମିଳିନାହିଁ; କିନ୍ତୁ ଇତିମଧ୍ୟରେ ଘୋଷଣା କରାଯାଇଛି ପୋଷ୍ୟ ବିଦ୍ୟାଳୟ ଯୋଜନା ଏବଂ ଏହା ଉପରେ ଖୁବ୍‍ ଗୁରୁତ୍ୱ ଦିଆଯାଉଥିବା ମନେହୁଏ।

ଆମ ରାଜ୍ୟରେ ସ୍କୁଲ ଶିକ୍ଷା ବିଭାଗ ଅଧୀନରେ ୬୬୫୯୪ ସଂଖ୍ୟକ ପ୍ରାଥମିକ ସ୍କୁଲ, ୮୦୭୬ ସଂଖ୍ୟକ ସରକାରୀ ଓ ସାହାଯ୍ୟପ୍ରାପ୍ତ ହାଇସ୍କୁଲ ରହିଛି, ଏହା ବ୍ୟତୀତ ୮୧୪ଟି ସ୍ୱୀକୃତ ହାଇସ୍କୁଲ ମଧ୍ୟ ଅଛି। ଏହା ବ୍ୟତୀତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ବହୁ ସଂଖ୍ୟକ ଯଥାକ୍ରମେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ପରିଚାଳିତ ହେଉଛି। ଏତେ ସଂଖ୍ୟାର ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବା ପାଇଁ ଏତେ ଉଚ୍ଚ ପଦାଧିକାରୀ ମିଳିବେ କି ନାହିଁ ତାହା ହେଉଛି ପ୍ରଥମ ପ୍ରଶ୍ନ। ଦ୍ୱିତୀୟଟି ହେଉଛି ଯେଉଁ ପଦାଧିକାରୀମାନେ ଗୋଟିଏ ବା ଦୁଇଟି ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବେ, ସେମାନଙ୍କ ଉପରେ ପ୍ରକୃତରେ ରାଜ୍ୟର ସମସ୍ତ ସ୍କୁଲର ବିକାଶ ନ୍ୟସ୍ତ। ଉଦାହରଣ ସ୍ୱରୂପ ମୁଖ୍ୟ ସଚିବ ବା ଅତିରିକ୍ତ ମୁଖ୍ୟ ସଚିବ ଯଦି ଗୋଟିଏ ଦୁଇଟି ସ୍କୁଲର ସର୍ବାଙ୍ଗୀଣ ବିକାଶ ପାଇଁ ଧ୍ୟାନ ଦେବେ, ଏହାର ଫଳାଫଳ ଦୁଇପ୍ରକାର ହୋଇପାରେ। ହୁଏତ ଗୋଟିଏ ସ୍କୁଲର ଅଭିଜ୍ଞତାକୁ ଆଧାର କରି ସେମାନେ ରାଜ୍ୟର ସବୁ ସ୍କୁଲର ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟାନ୍ୱୟନର ପଦକ୍ଷେପ ନେଇପାରନ୍ତି। ଅଥବା ଗୋଟିଏ ସ୍କୁଲ କଥା ବୁଝିବାକୁ ସେମାନଙ୍କୁ ଏତେ ସମୟ ଦେବାକୁ ପଡ଼ିବ ଯେ ସାମଗ୍ରିକ ସମସ୍ୟାଗୁଡ଼ିକୁ ବୁଝିବା ପାଇଁ ସେମାନେ କମ୍‍ ସମୟ ପାଇବେ। ଏହା ମଧ୍ୟରୁ କେଉଁଟି ଘଟିବ ତାହା ସମୟ ହିଁ କହିବ; କିନ୍ତୁ ପୋଷ୍ୟ ବିଦ୍ୟାଳୟ ଓ ଅଣପୋଷ୍ୟ ବିଦ୍ୟାଳୟ ଏଗୁଡ଼ିକ ମଧ୍ୟରେ ନୂଆ ଭାବରେ ଏକ ବୈଷମ୍ୟ ସୃଷ୍ଟିହେବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ।

ଅନୁଭୂତିରୁ ଜଣାଯାଏ ଯେ ପୁରାତନ ଛାତ୍ର ସଂଘ ଅନେକ ବର୍ଷ ଧରି ସକ୍ରିୟ ଥିବା ସ୍କୁଲରେ ମଧ୍ୟ ସେମାନେ ସେହି ସ୍କୁଲର ଶିକ୍ଷାଦାନ ଓ ଅନ୍ୟାନ୍ୟ ବିଭାଗରେ, ଯାହାକୁ ସାମଗ୍ରିକ ବିକାଶ ବୋଲି କୁହାଯାଇ ପାରିବ, ସେଥିରେ ବେଶି କିଛି ପରିବର୍ତ୍ତନ ଆଣି ପାରିନାହାନ୍ତି। ଏହାର ମୁଖ୍ୟ କାରଣ ହେଉଛି ସ୍କୁଲରେ ଯଥେଷ୍ଟ ସଂଖ୍ୟାରେ ଶିକ୍ଷକଙ୍କ ଅଭାବ, ନିଯୁକ୍ତ ହୋଇଥିବା ଶିକ୍ଷକମାନଙ୍କର ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟରେ ଅଧିକ ସମୟ ବିନିଯୋଗ ଏବଂ ଅନେକ କ୍ଷେତ୍ରରେ ପୁରାତନ ଛାତ୍ରସଂଘ ଓ ଅବସରପ୍ରାପ୍ତ ଶିକ୍ଷକମାନଙ୍କର ଶିକ୍ଷାଦାନରେ ସହଯୋଗ କରିବାର ଇଚ୍ଛା ଓ ଆଗ୍ରହ ଥିଲେ ମଧ୍ୟ ବର୍ତ୍ତମାନର ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ଅସହଯୋଗ ମନୋଭାବ। ନିକଟରେ ଜଣେ ସ୍କୁଲଶିକ୍ଷା ବିଶାରଦ ଏହି ସମ୍ବାଦପତ୍ରର ଏକ ସ୍ତମ୍ଭରେ ଲେଖିଥିଲେ କିପରି ଅପେକ୍ଷାକୃତ ଦକ୍ଷ ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରେ ଅଧିକ ସମୟ ଦେବାକୁ ପଡୁଥିବାରୁ ସେମାନେ ଶିକ୍ଷାଦାନ କାର୍ଯ୍ୟପାଇଁ ଯଥେଷ୍ଟ ସମୟ ଦେଇପାରୁ ନାହାନ୍ତି।

ମନେ କରାଯାଉ ପଦାଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଏହି ପରାମର୍ଶକୁ ଗୁରୁତ୍ୱର ସହ ଗ୍ରହଣ କରିବେ ଏବଂ ପୋଷ୍ୟ ସ୍କୁଲକୁ ବାରମ୍ବାର ଗସ୍ତ କରିବେ। ଏହାଦ୍ୱାରା ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନଙ୍କ ଉପରେ ଚାପ ବଢ଼ିବ କିନ୍ତୁ କମିବ ନାହିଁ; ବରଂ ଚିରାଚରିତ ଶିକ୍ଷାଦାନ କାର୍ଯ୍ୟ ବ୍ୟାହତ ହେବାର ସମ୍ଭାବନା ଅଛି। ପଦାଧିକାରୀଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ଏବଂ ତାଙ୍କର ପରିଦର୍ଶନ ସମୟରେ ଯେପରି କୌଣସି ତ୍ରୁଟିବିଚ୍ୟୁତି ତାଙ୍କର ଦୃଷ୍ଟିଗୋଚର ନହେବ ଓ ସବୁକିଛି ପରିଚ୍ଛନ୍ନ ଦେଖାଯିବ ସେଥିପାଇଁ ପ୍ରସ୍ତୁତ ହେବାଲାଗି ସେମାନଙ୍କୁ ଯଥେଷ୍ଟ ସମୟ ଓ ଶକ୍ତି ଦେବାକୁ ପଡ଼ିବ। ଏମିତି ବି ସେମାନେ ବିଭିନ୍ନ କାଗଜପତ୍ର ଠିକ୍‍ ରଖିବା, ରିପୋର୍ଟ ଲେଖିବା ଇତ୍ୟାଦି କାର୍ଯ୍ୟରେ ଅନେକ ସମୟ ବିନିଯୋଗ କରୁଥିବା ଦେଖାଯାଏ। ପାଠପଢ଼ା ବାହାରର ପାଖାପାଖି ତିରିଶଟି କାମ ଏବଂ ସେଥିପାଇଁ ପଚାଶ ରେକର୍ଡ ରଖିବାକୁ ହୁଏ ବୋଲି ଜଣେ ଅନୁଭବୀ ଶିକ୍ଷକ ନିକଟରେ ଏକ ସ୍ତମ୍ଭରେ ଲେଖିଥିଲେ। ଅନେକ ସ୍କୁଲରେ ନିଯୁକ୍ତ ହୋଇଥିବା ସବୁ ଶିକ୍ଷକଙ୍କର ଉପଯୁକ୍ତ ତାଲିମ ଓ ଆବଶ୍ୟକ ମନୋବୃତ୍ତି ନଥାଏ। ହୁଏତ କିଛି ଶିକ୍ଷକ ଥାଆନ୍ତି ଯେଉଁମାନେ ପାଠ ଭଲ ଭାବରେ ଜାଣିଥାନ୍ତି ଏବଂ ସେହିମାନଙ୍କୁ ହିଁ ରେକର୍ଡ ରଖିବା ଓ ରିପୋର୍ଟ ଲେଖିବା ଦାୟିତ୍ୱ ଦିଆଯାଇଥାଏ ବୋଲି ଉପ​‌େ​‌ରାକ୍ତ ସ୍ତମ୍ଭକାର ନିଜ ଅନୁଭୂତିରୁ ଲେଖିଥିଲେ। ପାଠ ନ ପଢ଼ାଇଲେ କେହି ପ୍ରଶ୍ନ ନ କରିପାରନ୍ତି; କିନ୍ତୁ ରିପୋର୍ଟ ପଠାଇବାରେ ତ୍ରୁଟି ହେଲେ ଦଣ୍ଡ ନିଶ୍ଚୟ- ଏକଥା ଏକାଧିକ ସ୍କୁଲର ଶିକ୍ଷକ କହୁଥିବା ଏ ଆଲୋଚକ ଶୁଣିଛି।

ଯେଉଁ ପଦାଧିକାରୀମାନେ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବେ ସେମାନେ ସମସ୍ତେ ଯେ ‘ପ୍ରକୃତ’ ଶିକ୍ଷା କ’ଣ ସେ ସଂପର୍କରେ ଅବହିତ ବା ଅଭିଜ୍ଞ ତାହା କହିହେବ ନାହିଁ। ଗୁଣାତ୍ମକ ଶବ୍ଦଟି ଶିକ୍ଷା କ୍ଷେତ୍ରରେ ଅଧିକ ବ୍ୟବହାର ହେଉଥିବା ଏକ ଶବ୍ଦ, ଯଦିଓ ‘ପ୍ରକୃତ’ ଶିକ୍ଷାଠାରୁ ଏହାର ଗାମ୍ଭୀର୍ଯ୍ୟ ଓ ମହତ୍ତ୍ୱ ଅପେକ୍ଷାକୃତ କମ୍‍। ଗୁଣାତ୍ମକ ଶିକ୍ଷାର ଅର୍ଥ ସଂପର୍କରେ ପଦାଧିକାରୀମାନଙ୍କର ଅଧିକ ଧାରଣା ଥିବା ଆଶା କରାଯାଇପାରେ। ତେବେ ପ୍ରଶ୍ନ ହେଉଛି ପୋଷକ ଅଧିକାରୀମାନେ ଗୁଣାତ୍ମକ ଶିକ୍ଷା ପରିସରକୁ ପ୍ରବେଶ କରିବାକୁ ଚାହିଁବେ ବା ତାଙ୍କର ଆଗ୍ରହ ଓ ପ୍ରାଥମିକତା କେବଳ ଭିତ୍ତିଭୂମି ବିକାଶରେ ସୀମିତ ହୋଇ ରହିବ। କହିବା ବାହୁଲ୍ୟ ଯେ ଭିତ୍ତିଭୂମି ବିକାଶ କରିବା ସହଜ, କିନ୍ତୁ ଗୁଣାତ୍ମକ ଶିକ୍ଷା ପାଇଁ ଅନେକ ବେଶି ପରିଶ୍ରମ ଓ ଆତ୍ମ ଚିନ୍ତନ କରିବାକୁ ପଡ଼ିବ। ଯଦି ‘ପ୍ରକୃତ’ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ତାହେଲେ ଆମ ଶିକ୍ଷା ବ୍ୟବସ୍ଥା ଯେଉଁ ଦିଗରେ ଗତି କରୁଛି ସେହି ଦିଗରେ ପରିବର୍ତ୍ତନର ମଧ୍ୟ ଆବଶ୍ୟକ ହୋଇପାରେ। ପୃଥିବୀରେ ଅନେକ ଦାର୍ଶନିକ, ଦୂରଦର୍ଶୀ ଶିକ୍ଷକ ଓ ଶିକ୍ଷାବିତ୍‍ ପ୍ରକୃତ ଶିକ୍ଷା କ’ଣ ସେ ସଂପର୍କରେ ବହୁ ଆଲୋଚନା କରିଯାଇଛନ୍ତି। ପୋଷକ ଅଧିକାରୀମାନଙ୍କୁ ଶିକ୍ଷାର ସେହିସବୁ ଦର୍ଶନ ମଧ୍ୟରେ ପ୍ରବେଶ କରିବାକୁ ପଡ଼ିବ ପ୍ରକୃତ ଶିକ୍ଷା କ’ଣ ବୁଝିବା ପାଇଁ।

ପୋଷ୍ୟ ସ୍କୁଲ ସଂପର୍କରେ ଏକ ବ୍ୟକ୍ତିଗତ ଅଭିଜ୍ଞତା ଏଠାରେ ବର୍ଣ୍ଣନା କରିବା ପ୍ରାସଙ୍ଗିକ ହେବ। ଅଳ୍ପ କିଛି ବର୍ଷ ତଳେ କେତେଜଣ ଶିକ୍ଷାପ୍ରେମୀ ବନ୍ଧୁ ରାଜଧାନୀର ଏକ ଆଶ୍ରମ ସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କଲେ। ସରକାରଙ୍କର ପୋଷ୍ୟ ସ୍କୁଲ ଯୋଜନାରେ ଯାହାସବୁ ଲକ୍ଷ୍ୟ ଅଛି ସେହିସବୁ ଲକ୍ଷ୍ୟ ବୁଝାମଣା ପତ୍ରରେ ଉଲ୍ଲେଖ ଥିଲା। ଆଶ୍ରମ ସ୍କୁଲର ଶିକ୍ଷକମାନଙ୍କ ସହ ଆଲୋଚନା କରି ଅନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ ହେଲା। ସେଥିରେ ଥିଲା ପିଲାଙ୍କ ପାଇଁ ଲେଖା ପଢ଼ା ଓ କ୍ରୀଡ଼ା ସାମଗ୍ରୀ ଯୋଗାଣ, ସୃଜନଶୀଳତାର ବିକାଶ, ପରିମଳ ବ୍ୟବସ୍ଥାରେ ଉନ୍ନତି, ଜାତୀୟ ଦିବସଗୁଡ଼ିକର ଯଥାବିଧି ପାଳନ, ଆବଶ୍ୟକ ଅନୁଯାୟୀ ଅତିଥି ଶିକ୍ଷକଙ୍କ ଜରିଆରେ ଶିକ୍ଷାଦାନ ଇତ୍ୟାଦି। ଅଳ୍ପ କିଛି ମାସ ମଧ୍ୟରେ ବିଦ୍ୟାଳୟଟିର ପରିବେଶରେ ଓ ଶିକ୍ଷାଦାନରେ କିଛି ଉନ୍ନତି ପରିଲକ୍ଷିତ ହେଲା। କିନ୍ତୁ ତାହା ସହିତ ଖାଦ୍ୟ ଯୋଗାଣ ଓ ଅନ୍ୟାନ୍ୟ ବିଷୟରେ ଗୁରତର ଦୁର୍ନୀତି ଓ ଭ୍ରଷ୍ଟାଚାରର ଗୋଟିକ ପରେ ଗୋଟିଏ ଫର୍ଦ ମଧ୍ୟ ଉନ୍ମୋଚିତ ହେବାକୁ ଲାଗିଲା। ତା ପରେ ଆରମ୍ଭ ହେଲା ପ୍ରଥମେ ଶିକ୍ଷକମାନଙ୍କର ଅସହଯୋଗ ଏବଂ ପରେ ସଂପୃକ୍ତ ବିଭାଗର ଅସହଯୋଗ। ଏହା ମଧ୍ୟରେ ଆଉ ଏକ ସ୍କୁଲ ପୋଷ୍ୟ ଭାବରେ ଗ୍ରହଣ କରିବା ପାଇଁ ଉପରୋକ୍ତ ବନ୍ଧୁମାନେ ଯେଉଁ ପ୍ରସ୍ତାବ ବିଭାଗକୁ ଦେଇଥିଲେ ତାହାର ଭବିଷ୍ୟତ କ’ଣ ହୋଇଥିବ ତାହା ଅନୁମାନ କରାଯାଇପାରେ। ପୋଷ୍ୟ ବିଦ୍ୟାଳୟ ବିଷୟ ଚିନ୍ତା କରିବା ପୂର୍ବରୁ ଏହିସବୁ ଅନୁଭୂତିକୁ ବିଚାରକୁ ନେବା ଉଚିତ ହୋଇଥାନ୍ତା।

ମୋ ସ୍କୁଲ, ପୋଷ୍ୟ ବିଦ୍ୟାଳୟ, ହାପିନେସ୍‍ କିଟ୍‍ ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମର କିଛି ତାତ୍କାଳିକ ପ୍ରଚାର ମୂଲ୍ୟ ଥାଇପାରେ, କିନ୍ତୁ ମୂଳ ସମସ୍ୟାଗୁଡ଼ିକର ସମାଧାନ ନକରି ଏଗୁଡ଼ିକୁ ବେଶି ଗୁରୁତ୍ୱ ଦେବା ଏକ ପଳାୟନପନ୍ଥୀ ମନୋଭାବ ବୋଲି ବିଚାର କରାଯାଇ ପାରିବ। ଅବଶ୍ୟ ଶିକ୍ଷାର ମୌଳିକ ବିକାଶ କରିବା ଅପେକ୍ଷାକୃତ ସମୟ ସାପେକ୍ଷ ଏବଂ ଏଥିରେ ସମୟ ଓ ପୁଞ୍ଜି ବିନିଯୋଗ କଲେ ଆଖିଦୁରୁଶିଆ କିଛି ହେଉଛି ବୋଲି ଜଣାପଡ଼ି ନପାରେ।

ଯଦି ସରକାର ପ୍ରକୃତରେ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ କରି ଶିକ୍ଷାର ମାନ ବୃଦ୍ଧି କରିବାକୁ ଚାହୁଥାନ୍ତି, ତାହେଲେ ହୁଏତ ଆଗକୁ ଯିବା ପୂର୍ବରୁ କିଛି ପାଦ ଫେରିବାକୁ ପଡ଼ିବ। ନିର୍ଭୁଲ ଓ ରୁଚିପୂର୍ଣ୍ଣ ପାଠ୍ୟପୁୁସ୍ତକ ପ୍ରସ୍ତୁତି, ଆବଶ୍ୟକ ସଂଖ୍ୟାର ଶିକ୍ଷକ ମୁତୟନ, ସବୁ ସ୍ତରର ଓ ସବୁ ବିଷୟର ଶିକ୍ଷକଙ୍କ ପାଇଁ ଉଚ୍ଚମାନର ତାଲିମ, ଭାଷା ଶିକ୍ଷାରେ ଗୁରୁତ୍ୱ ଇତ୍ୟାଦି ବିଷୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ, ଯାହାକୁ ଏପର୍ଯ୍ୟନ୍ତ ଅବହେଳା କରାଯାଇଛି। ସର୍ବୋପରି ଏହା ବୁଝିବାକୁ ପଡ଼ିବ ଯେ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଉନ୍ନତିର ନକ୍ସାଟି ଆସିବା ଦରକାର ଅନୁଷ୍ଠାନଗୁଡ଼ିକ ସହିତ ଓତପ୍ରୋତ ଭାବେ ଜଡିତ ଶିକ୍ଷକ,ଶିକ୍ଷାର୍ଥୀ ଓ ଅଭିଭାବକଙ୍କଠାରୁ। ସେମାନଙ୍କୁ ହିଁ କେନ୍ଦ୍ରରେ ରଖିଲେ କ୍ରମଶଃ ହ୍ରାସ ପାଉଥିବା ଶିକ୍ଷକମାନଙ୍କର ଭାବମୂର୍ତ୍ତିରେ ମଧ୍ୟ ପରିବର୍ତ୍ତନ ଆସିବ ଏବଂ ସେମାନଙ୍କ ଜରିଆରେ ଆସିବ ଗୁଣାତ୍ମକ ଶିକ୍ଷାଦାନରେ ଉନ୍ନତି। ସେମାନଙ୍କ ମଧ୍ୟରେ ଥିବା ନିଜସ୍ୱ ଅଥଚ ସୁପ୍ତ ଆସ୍ପୃହାଟିକୁ ଜାଗ୍ରତ କରିବା ପାଇଁ ତଳୁ ଉପରଯାଏ ଅନୁକୂଳ ପରିବେଶଟିଏ ସୃଷ୍ଟି କରିବାକୁ ପଡ଼ିବ। ସରକାର ଚାହିଁଲେ ଏହା କରିପାରିବେ; କିନ୍ତୁ ପୋଷ୍ୟ ବିଦ୍ୟାଳୟ ଯୋଜନା ମାଧ୍ୟମରେ ଏହା ହୋଇପାରିବ – ଏଥିରେ ରହିଛି ଏକ ବିରାଟ ପ୍ରଶ୍ନବାଚୀ।

ଅରବିନ୍ଦ ବେହେରା

ଏନ-୧,ଏ/୭, ଆଇ.ଆର.ସି.ଭିଲେଜ୍‍, ଭୁବନେଶ୍ୱର
ମୋ : ୯୪୩୭୦୩୬୭୪୦

Comments
Loading...