ମହାମାରୀ ମଧ୍ୟରେ ଉଦାହରଣ ସୃଷ୍ଟିକଲା କଟକ ଜିଲା ପ୍ରଶାସନ, ପ୍ରବାସୀ ଶ୍ରମିକଙ୍କ ଆଶାର କିରଣ ‘ପ୍ରୋଜେକ୍ଟ ଲକ୍ଷ୍ମୀ’

ଭୁବନେଶ୍ବର : କରୋନା ମହାମାରୀ ପାଇଁ ସମଗ୍ର ବିଶ୍ବର ଅର୍ଥନୀତି ଦୋହଲି ଯାଇଥିବା ବେଳେ ବେରୋଜଗାରୀ ହାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ଲୋକଙ୍କୁ ରୋଜଗାର ଯୋଗାଇବା ଏବେ ସରକାରଙ୍କ ପାଇଁ ଅନ୍ୟତମ ପ୍ରମୁଖ ଆହ୍ବାନ। ଏପରିସ୍ଥଳେ କଟକ ଜିଲା ପ୍ରଶାସନ ସମଗ୍ର ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ପ୍ରଶାସନ ପକ୍ଷରୁ ପ୍ରୋଜେକ୍ଟ ଲକ୍ଷ୍ମୀ ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ପ୍ରବାସୀ ଓଡ଼ିଆଙ୍କୁ କାମ ଯୋଗାଇବା ପାଇଁ ଉଦ୍ୟମ କରାଯାଉଛି। ଜିଲାର ବାଙ୍କୀ ଓ ଡମପଡ଼ା ବ୍ଲକ୍‌ରେ ଏହାର ଶୁଭାରମ୍ଭ କରାଯାଇ ୧୪୪ ଜଣ ପ୍ରବାସୀ ନିର୍ମାଣ ଶ୍ରମିକଙ୍କୁ ଜାତୀୟ ରାଜପଥ ଓ ଘରୋଇ ବାସଗୃହ ପ୍ରକଳ୍ପରେ କାମ ଦିଆଯାଇଛି। ଜିଲାର ୩୦ ହଜାର ପ୍ରବାସୀ ଶ୍ରମିକଙ୍କୁ କାର୍ମନିୟୋଜନ ଯୋଗାଇବା ଲକ୍ଷ୍ୟ ରହିଛି।

କ୍ବାରେଣ୍ଟାଇନ୍ ସେଣ୍ଟରରୁ ପ୍ରବାସୀ ଶ୍ରମିକଙ୍କ ତାଲିକା ସଂଗ୍ରହ କରାଯାଉଛି। ସେମାନେ କ୍ବାରେଣ୍ଟାଇନ୍ ଅବଧି ଶେ​‌ଷ କରିବା ପରେ ନିଯୁକ୍ତି ପ୍ରକ୍ରିୟା ପାଇଁ ଡ଼କାଯାଉଛି। ରାସ୍ତା ଓ ଗୃହ ନିର୍ମାଣ ଶ୍ରମିକ, ରାଜମିସ୍ତ୍ରୀ, କମାର (ବାଇଣ୍ଡିଂ/କଟର୍), ରଙ୍ଗମିସ୍ତ୍ରୀ, ରଡ୍ ମିସ୍ତ୍ରୀ, ପାଇପ୍ ମିସ୍ତ୍ରୀ, ବଢ଼େଇ, ଇଲେକ୍ଟ୍ରିସିଆନ, ୱେଲ୍ଡର ଭଳି ବିଭିନ୍ନ ବର୍ଗରେ କାମ ଯୋଗାଇ ଦେବା ପାଇଁ କ୍ଷେତ୍ର ନିଯୁକ୍ତି ବ୍ୟବସ୍ଥା ହେଉଛି। ଜିଲା ପ୍ରଶାସନର ତତ୍ବାବଧାନରେ ସମ୍ପୃକ୍ତ ସଂସ୍ଥାର ଅଧିକାରୀ ନିଜେ ଶ୍ରମିକ ଓ ମିସ୍ତ୍ରୀଙ୍କ ମନୋନୟନ କରୁଛନ୍ତି। ଗୋଟିଏ ଜିଲା ପ୍ରଶାସନ ପ୍ରଥମ ଥର ପାଇଁ ଏଭଳି ଏକ ଦକ୍ଷେପ ଗ୍ରହଣ କରିଥିବା ବେଳେ ଅନ୍ୟ ଜିଲା ପାଇଁ ଏହା ଅନୁକରଣୀୟ ବୋଲି ମତପ୍ରକାଶ ପାଇଛି।

ଲକ୍‌ ଡାଉନ୍ ପରଠାରୁ ବିଭିନ୍ନ ରାଜ୍ୟରେ ରହୁଥିବା ଲକ୍ଷାଧିକ ଲୋକ ଓଡ଼ିଶାର ବିଭିନ୍ନ ଜିଲାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ ସଂଖ୍ୟା ଢ଼େର ଅଧିକ। ସେଥିରୁ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା କିଛି କମ୍ ନୁହେଁ। ତାମିଲନାଡ଼ୁ, ଗୁଜରାଟ, ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ରହି ନିର୍ମାଣ କାର୍ଯ୍ୟରେ ବହୁ ସଂଖ୍ୟକ ଓଡ଼ିଆ ଲୋକ ନିୟୋଜିତ ହୋଇଥିଲେ। ସେମାନେ ଏବେ ନିଜ ନିଜ ଜିଲାରେ ବେରୋଜଗାର ହୋଇବସିଛନ୍ତି। ପରିସ୍ଥିତିକୁ ଦେଖି ଅନେକ ଲୋକ ଆଉ ଫେରିବାକୁ ଚାହୁଁନାହାନ୍ତି। କରୋନା ପାଇଁ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବାରୁ କାମ ଆରମ୍ଭ ହେବାର ସମ୍ଭାବନା ମଧ୍ୟ କମ। ପାଖରେ ଯାହା କିଛି ଅର୍ଥ ଥିଲା ତାହା ଏବେ ସରିବାକୁ ବସିଲାଣି। ଏତେ ସଂଖ୍ୟକ ଲୋକ ରୋଜଗାର ହରାଇ ଥିବାରୁ ରାଜ୍ୟର ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ଆଉ ଏହା ସୁଦୂର ପ୍ରସାରୀ ହେବ ବୋଲି କୁହାଯାଉଛି।

ଏପଟେ ଓଡ଼ିଶାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଣଓଡ଼ିଆ ଶ୍ରମିକ ନିଜ ନିଜ ଘରକୁ ଚାଲି ଯାଇଥିବାରୁ କାମ ଆରମ୍ଭ ହୋଇପାରୁ ନାହିଁ। ଜାତୀୟ ରାଜପଥ, ସଡ଼କ, ସରକାରୀ ଓ ଘରୋଇ ପ୍ରକଳ୍ପ ବନ୍ଦ ହୋଇ ରହିଛି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଛି। ଏପରିସ୍ଥିତିରେ ଶ୍ରମିକ ଓ ନିର୍ମାଣ ସଂସ୍ଥା ସହ ଯୋଗସୂତ୍ର ସ୍ଥାପନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ତେବେ ରାଜ୍ୟର ପ୍ରଥମ ଜିଲା ଭାବେ କଟକରେ ପ୍ରବାସୀ ଶ୍ରମିକଙ୍କୁ ନିର୍ମାଣ କାର୍ଯ୍ୟ ପାଇଁ ମନୋନୟନ କରାଯାଇଛି। କୁଶଳୀ, ଅଣକୁଶଳୀ, ଅଦ୍ଧ କୁଶଳୀ ଶ୍ରମିକଙ୍କୁ କାମ ଦିଆଯାଉଛି। ଜିଲା ଶ୍ରମ କାର୍ଯ୍ୟାଳୟ ଏଥିରେ ମୁଖ୍ୟ ଭୂମିକା ନେଉଛି। ଅପରପକ୍ଷେ ଅନ୍ୟ ପ୍ରବାସୀମାନଙ୍କୁ କିଛି କାମ ଧନ୍ଦା ଆରମ୍ଭ ଲାଗି ଆର୍ଥିକ ସହାୟତା ପ୍ରଦାନ ପାଇଁ ବ୍ୟାଙ୍କରେ କେଉଁ ପ୍ରକାର ସୁବିଧା ରହିଛି ତାହା ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଦେଖୁଛନ୍ତି। ଯଦ୍ବାରା ପ୍ରବାସୀ ଶ୍ରମିକମାନେ ଆତ୍ମନିର୍ଭରଶୀଳ ହୋଇପାରିବେ। ଏହା ଅନ୍ୟ ଜିଲା ପ୍ରଶାସନ ପାଇଁ ଉଦାହରଣ ବୋଲି କୁହାଯାଇପାରେ।

ପ୍ରବାସୀ ଓଡ଼ିଆ ଶ୍ରମିକ ମଞ୍ଚର ଆବାହକ ସୁଦର୍ଶନ ଛୋଟରାୟଙ୍କ ମତରେ ରାଜ୍ୟକୁ ଏବେ ପ୍ରାୟ ୬ ଲକ୍ଷ ଲୋକ ଫେରିଥିବା ବେଳେ ସେମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗର ଶ୍ରମିକଙ୍କ ସଂଖ୍ୟା ଅର୍ଦ୍ଧାଧିକ। ନିର୍ମାଣ ଶ୍ରମିକଙ୍କ ପାଇଁ କାମ ଯୋଗାଇ ଦେବା ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାକୁ ଅନ୍ୟ ଜିଲା ପ୍ରଶାସନ ଅନୁକରଣ କରିବା ଉଚିତ। ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ କିଛି ନିର୍ଦେଶନାମା ଜାରି କରିପାରିବେ। ତେବେ ନିର୍ମାଣ ଶ୍ରମିକଙ୍କ ସହିତ ରୋଜଗାର ହରାଇ ବସିଥିବା ସବୁ ବର୍ଗର ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଜବ୍ କାର୍ଡ ଦେବା ସହ ଗ୍ରାମାଞ୍ଚଳରେ କର୍ମନିୟୋଜନ ସୃଷ୍ଟିକୁ ସମାନ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ଛୋଟରାୟ ମତ ଦେଇଛନ୍ତି।

Comments are closed.