୧୫ ଦିନ ମଧ୍ୟରେ ‘ପ୍ରୋଜେକ୍ଟ ଡ଼ଲଫିନ୍: ନଦୀ ଓ ସମୁଦ୍ରରେ ଡଲ୍‌ଫିନ ସଂରକ୍ଷଣ ଏବଂ ସୁରକ୍ଷା ଯୋଜନା

ନୂଆଦିଲ୍ଲୀ: ଆଗାମୀ ୧୫ ଦିନ ମଧ୍ୟରେ ଦେଶରେ ଆରମ୍ଭ ହେବ ପ୍ରୋଜେକ୍ଟ ଡ଼ଲଫିନ୍ । ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ପ୍ରୋଜେକ୍ଟ ଲାୟନ ଓ ପ୍ରୋଜେକ୍ଟ ଡଲ୍‌ଫିନ ବିଷୟରେ ଘୋଷଣା କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଦେଶରେ ସିଂହ ଓ ଡଲ୍‌ଫିନଙ୍କ ସୁରକ୍ଷା ଏବଂ ବିକାଶ ପାଇଁ କାର୍ଯ୍ୟ କରାଯିବ । ପନ୍ଦର ଦିନ ମଧ୍ୟରେ ଏକ ସାମଗ୍ରିକ ପ୍ରୋଜେକ୍ଟ ଡଲ୍‌ଫିନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାଦ୍ୱାରା ଦେଶର ନଦୀ ଓ ସମୁଦ୍ରରେ ଡଲ୍‌ଫିନଙ୍କ ସୁରକ୍ଷା ଓ ବିକାଶ ସମ୍ଭବ ହେବ ବୋଲି ଶ୍ରୀ ଜାଭଡେକର କହିଛନ୍ତି ।  ଅନୁରୂପ ଭାବରେ ଭାରତରେ ଥିବା ଏସୀୟ ସିଂହଙ୍କ ବଂଶବୃଦ୍ଧି ପାଇଁ ପ୍ରୋଜେକ୍ଟ ଲାୟନ ସଂପର୍କରେ ସରକାର କାର୍ଯ୍ୟ କରୁଛନ୍ତି । ଏଥିରେ ସିଂହମାନଙ୍କର ବାସସ୍ଥଳୀର ବିକାଶ, ସିଂହଙ୍କ ପରିଚାଳନା, ସିଂହ ଏବଂ ତତ୍‌ଜାତୀୟ ପ୍ରାଣୀଙ୍କ ରୋଗବ୍ୟାଧି ଅନୁଧ୍ୟାନ ଓ ଚିକିତ୍ସା ଆଦି କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲଜିର ବ୍ୟବହାର କରାଯିବ । ଏଥିପାଇଁ ବିଶ୍ୱ ଶ୍ରେଣୀର ପ୍ରାଣୀ ଚିକିତ୍ସା ଓ ଗବେଷଣା ସୁବିଧା ଯୋଗାଇ ଦିଆଯିବ । ସେହଭଳି ମଣିଷ-ସିଂହ ଲଢେଇ ଜନିତ ପ୍ରସଙ୍ଗର ସମାଧାନ ଏବଂ ସିଂହଙ୍କ ସଂଖ୍ୟାବୃଦ୍ଧି କ୍ଷେତ୍ରରେ ସ୍ଥାନୀୟ ସମୁଦାୟଙ୍କୁ ନିୟୋଜିତ କରି ସେମାନଙ୍କୁ ଜୀବିକା ଅର୍ଜନର ସୁଯୋଗ ଯୋଗାଇ ଦେବା ପ୍ରତି ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଜାଭେଦକର କହିଛନ୍ତି ଯେ  ଅଙ୍ଗାରକାମ୍ଳ ପରିମାଣ ହ୍ରାସ ସହିତ ସର୍ବାଧିକ କାର୍ବନ ଷ୍ଟକ (ଅଙ୍ଗାର ଗଚ୍ଛିତ) ସ୍ତର ହାସଲ କରିବାକୁ ତାଙ୍କ ମନ୍ତ୍ରଣାଳୟ ଗୁରୁତ୍ୱର ସହ କାର୍ଯ୍ୟ କରୁଛି । ସେଥିପାଇଁ ଉନ୍ନତ ମାନର ଜଙ୍ଗଲ ସହିତ ଅଧିକ ଜଙ୍ଗଲାଞ୍ଚଳ ସୃଷ୍ଟି ଏବଂ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଉଛି । ବୃକ୍ଷ ସଂଖ୍ୟା ବୃଦ୍ଧି ପାଇଲେ ଅଙ୍ଗାରକାମ୍ଳ ଶୋଷଣ କାର୍ଯ୍ୟ ସହଜ ହେବ ଏବଂ ପରିବେଶ ଠିକ୍‌ ହେବ । ଆଜି ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ସେ ଏହା କହିଛନ୍ତି । ଏହି ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ  ବାବୁଲ ସୁପ୍ରିୟ ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀ, ଗୋଆ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ, କେତେକ ଉପମୁଖ୍ୟମନ୍ତ୍ରୀ ଏବଂ 24ଟି ରାଜ୍ୟର ଜଙ୍ଗଲ ମନ୍ତ୍ରୀ ଭିଡିଓ କନଫରେନ୍ସି ବ୍ୟବସ୍ଥାରେ 4 ଘଣ୍ଟା ବ୍ୟାପୀ ବିଚାର ଆଲୋଚନା କରିଛନ୍ତି ।

ରାଜ୍ୟ ସରକାରମାନେ ବନୀକରଣ ଏବଂ ବୃକ୍ଷରୋପଣ କାର୍ଯ୍ୟରେ କାମ୍ପା ପାଣ୍ଠି ସ୍ୱତନ୍ତ୍ରଭାବେ ବିନିଯୋଗ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । କାମ୍ପା ପାଣ୍ଠିର 80 ଭାଗ ପର୍ଯ୍ୟନ୍ତ ବୃକ୍ଷରୋପଣ ଓ ବନୀକରଣରେ ବିନିଯୋଗ କରି ଅବଶିଷ୍ଟ 20 ଶତାଂଶ ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 2019 ଅଗଷ୍ଟରେ କେନ୍ଦ୍ର ସରକାର ବନୀକରଣ ପାଇଁ ବିଭିନ୍ନ ରାଜ୍ୟକୁ କାମ୍ପା ପାଣ୍ଠିରେ 47,436 କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଶ୍ରୀ ଜାଭଡେକର ଆହୁରି କହିଛନ୍ତି ଯେ ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ସ୍କୁଲ ନର୍ସରୀ ସ୍କିମ୍‌ ଘୋଷଣା କରିବେ ।

ନଗର ବନ ସ୍କିମ୍‌ ଯୋଜନା ଚଳିତବର୍ଷ ବିଶ୍ୱ ପରିବେଶ ଦିବସରେ ଘୋଷଣା କରାଯାଇଥିଲା । ଏଥିରେ 200 ନଗର ବନ ସୃଷ୍ଟି କରାଯିବ । ଜଙ୍ଗଲ ଓ ଅନ୍ୟାନ୍ୟ ପତିତ ଜମିରେ ସୃଷ୍ଟି ହେବାକୁ ଥିବା ଏହି ବନ ଏନ୍‌ଜିଓ, କର୍ପୋରେଟ ସଂସ୍ଥା, ଶିଳ୍ପ ସଂସ୍ଥା, ଜଙ୍ଗଲ ବିଭାଗ ଓ ଅନ୍ୟାନ୍ୟ ସଂଗଠନର ସହଯୋଗରେ ସୃଷ୍ଟି କରାଯିବ । ଏହା କିପରି କାର୍ଯ୍ୟକାରୀ ହେବ ସେ ନେଇ ଆଜିର ବୈଠକରେ ମଧ୍ୟ ସବିଶେଷ ଆଲୋଚନା ହୋଇଛି । ପ୍ରାରମ୍ଭିକଭାବେ ଏଥିପାଇଁ ଜମି ଅଧିଗ୍ରହଣ କରି ବାଡ଼ାବନ୍ଦୀ ବ୍ୟବସ୍ଥା କରାଯିବ । ତା’ପରେ ସେହି ଜମିରେ ମାଟିର ଆର୍ଦ୍ରତା ଓ ଉର୍ବରତା ବୃଦ୍ଧି କାମ ଆରମ୍ଭ ହେବ । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା- ପୌର ନିଗମ ମାନତ୍ୟପ୍ରାପ୍ତ ସହରଗୁଡିକର ଆଖପାଖରେ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଯାହା ସହରର ପ୍ରଦୂଷଣ ନିୟନ୍ତ୍ରଣ କରିବ । ଏହି ଜଙ୍ଗଲଗୁଡିକ ସହରର ଫୁସ୍‌ଫୁସ୍‌ ଭଳି କାର୍ଯ୍ୟ କରିବ ।

ସେହିଭଳି ସ୍କୁଲ ନର୍ସରୀ ଯୋଜନାରେ ପିଲାମାନଙ୍କୁ ବୃକ୍ଷଲତାର ଯତ୍ନ, ବୃକ୍ଷରୋପଣ ଏବଂ ସେଗୁଡିକର ସୁରକ୍ଷା ଆଦି ବିଷୟରେ ଶିକ୍ଷା ଦିଆଯିବ । ଏହା ଉପରେ ବୈଠକରେ ମଧ୍ୟ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ପିଲାମାନଙ୍କ ମନରେ ଜଙ୍ଗଲ ଓ ପରିବେଶ ପ୍ରତି ଏକ ଗଠନମୂଳକ ଧାରଣା ସୃଷ୍ଟି କରିବା ପାଇଁ ଏହି ସ୍କୁଲ ନର୍ସରୀ କାର୍ଯ୍ୟକାରୀ ହେବ । ଏଥିପାଇଁ ଉଦ୍ଦିଷ୍ଟ ନିର୍ଦ୍ଦେଶାବଳୀକୁ ରାଜ୍ୟମାନଙ୍କ ଅବଗତି ନିମନ୍ତେ ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ । ଆଜିର ବୈଠକରେ ଦେଶର 13ଟି ପ୍ରମୁଖ ନଦୀର ବିକାଶ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବ୍ୟାପକ ଆଲୋଚନା ହୋଇଥିଲା । ଜଙ୍ଗଲ ସହିତ ନଦୀର ସଂପର୍କକୁ ନିବିଡ କରି ଏହାର ଉପତ୍ୟକାର ବିକାଶ, ଭୂତଳ ଜଳସ୍ତରର ଉନ୍ନତି, ମୃତ୍ତିକା କ୍ଷୟ ରୋକିବା, ନଦୀପାର୍ଶ୍ଵ ଜଙ୍ଗଲ ସୃଷ୍ଟି, ଜଳ ସଂରକ୍ଷଣ ଓ ନଦୀର ପ୍ରଦୂଷଣ ଦୂର ପାଇଁ ଆଲୋଚନା ହୋଇଥିଲା । ଏଥିରେ ମଧ୍ୟ ଲିଆଡର ଟେକ୍ନୋଲଜିର ବ୍ୟବହାର, ଦୂରସମ୍ବେଦୀ ଉପଗ୍ରହର ଉପଯୋଗ ଆଦି ସଂପର୍କରେ ଆଲୋଚନା ହୋଇଛି । ଏହାଦ୍ୱାରା ନଦୀର କ୍ଷୟପ୍ରାପ୍ତ ଅଞ୍ଚଳ ଓ ପ୍ରଦୂଷିତ ଇଲାକାକୁ ସହଜରେ ଚିହ୍ନଟ କରାଯାଇପାରିବ ।

ବୈଠକରେ ମଧ୍ୟ ଜାତୀୟ ଟ୍ରାନ୍‌ଜିଟ ବ୍ୟବସ୍ଥା ପ୍ରବର୍ତ୍ତନ ନେଇ ଆଲୋଚନା ହୋଇଥିଲା । ଜଙ୍ଗଲଜାତ ଦ୍ରବ୍ୟର ସୁଗମ ପରିବହନ ପାଇଁ ଏହି ଟ୍ରାନ୍‌ଜିଟ ବ୍ୟବସ୍ଥା ପୋର୍ଟାଲ୍‌ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ । ବୈଠକରେ ବିଭିନ୍ନ ରାଜ୍ୟ ସରକାର ମନ୍ତ୍ରଣାଳୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସଂକ୍ରାନ୍ତ ନିଜର ପ୍ରସ୍ତୁତି ଓ ସ୍ଥିତି ସଂକ୍ରାନ୍ତ ରିପୋର୍ଟ ଦେଇଥିଲେ । କେନ୍ଦ୍ର ସରକାର ବନୀକରଣ ଓ ଜଙ୍ଗଲ ବିକାଶ ପାଇଁ ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସେଥିରେ ଆବଶ୍ୟକ ସାହାଯ୍ୟ ସହଯୋଗ କରିବାକୁ ରାଜ୍ୟମାନେ ଆଗ୍ରହ ପ୍ରକାଶ କରିଥିଲେ । ଜଙ୍ଗଲ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଯେଉଁସବୁ ଜାତୀୟ ଏବଂ ଆନ୍ତର୍ଜାତୀୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ଶୀଘ୍ର ପୂରଣ କରିବା ନିମନ୍ତେ କି ପ୍ରକାର କାର୍ଯ୍ୟ କରାଯାଇପାରିବ ସେଥିପାଇଁ ଏହି ବୈଠକ ଆୟୋଜିତ ହୋଇଥିଲା ।

Comments are closed.