ଶ୍ରମିକ ହୋଇ କାର୍ଯ୍ୟ କଲେ ପ୍ରକଳ୍ପ ନିର୍ଦେଶକ
କାର୍ଯ୍ୟ କରିବାର ତରିକା ଦେଖାଇଲେ

ଧାମରା: ଧାମରା ପଞ୍ଚାୟତରେ ଚାଲିଥିବା ମନରେଗା କାର୍ଯ୍ୟରେ ଭଦ୍ରକ ପ୍ରକଳ୍ପ ନିର୍ଦେଶକ ଶ୍ରମିକ ହୋଇ କାର୍ଯ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଶ୍ରମିକମାନଙ୍କୁ ଶ୍ରମ କରିବାର ତରିକା ଶିଖାଇ ଥିବା ଦେଖିବାକୁ ମିଳିଛି। ପ୍ରକଳ୍ପ ନିର୍ଦେଶକ ମଧୁସୁଦନ ଦାସ ଧାମରା ପଂଚାୟତରେ ପହଞ୍ଚି ଚାଲିଥିବା ମନରେଗା କାର୍ଯ୍ୟସ୍ଥଳକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ପହଞ୍ଚି ଶ୍ରମିକମାନଙ୍କୁ କାର୍ଯ୍ୟ କରୁଥିବାର ଦେଖିବାକୁ ପାଇବା ସହ ନିଜ ମୁଣ୍ଡରେ ପଗଡି ବାନ୍ଧି ମାଟି ବୋହିଥିଲେ। ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା କର୍ମୀମାନେ ଭିଡିଓରେ ଉତ୍ତୋଳନ କରିବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ପ୍ରକଳ୍ପ ନିର୍ଦେଶକ ଶ୍ରମ ଦାନ କରିବା ସହ ଉପସ୍ଥିତ ଥିବା ଧାମରା ପଞ୍ଚାୟତର ସରପଞ୍ଚ ପାପା ଜେନା, ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁଙ୍କୁ ଆଗାମୀ ଦିନରେ କୌଣସି ମେସିନରେ ମନରେଗା କାର୍ଯ୍ୟ ନ କରିବାକୁ ପରାମର୍ଶ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଡିଓ ଜ୍ୟୋତି ବିକାଶ ଦାସଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।