ଜିଲାସ୍ତରୀୟ ପାରମ୍ପରିକ ମଞ୍ଚ ଓ ଧର୍ମାନୁଷ୍ଠାନ ମୁଖ୍ୟଙ୍କୁ ନେଇ ବାଲ୍ୟବିବାହ ନିରୋଧ ବୈଠକ

ଯାଜପୁର : ଜିଲାରେ ବାଲ୍ୟ ବିବାହ ସଂପୂର୍ଣ୍ଣ ନିରୋଧ, ଏହାର ନିରାକରଣ ଦିଗରେ କାର୍ଯ୍ୟରତ ଟାସ୍କଫୋର୍ସ ଏବଂ ଜିଲାର ଧର୍ମାନୁଷ୍ଠାନ କର୍ମକର୍ତ୍ତା ଯଥା- ମନ୍ଦିର, ମସଜିଦ୍ ଓ ଗୀର୍ଜା ମୁଖ୍ୟମାନଙ୍କୁ ନେଇ ଗୁରୁବାର ପୂର୍ବାହ୍ନରେ ଏକ ଜିଲାସ୍ତରୀୟ ବୈଠକ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଶାସନ, ଯାଜପୁର ଓ ଆକ୍ସନଏଡ୍, ଓଡିଶା ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରି ୨୦୨୪ ସୁଦ୍ଧା ଜିଲାରେ ବାଲ୍ୟ ବିବାହ ୫୦ ପ୍ରତିଶତକୁ କମ୍ କରିବା ଏବଂ ୨୦୩୦ ସୁଦ୍ଧା ରାଜ୍ୟ ସରକାରଙ୍କ ଧାର୍ଯ୍ୟଲକ୍ଷ୍ୟ ଶୂନ ପ୍ରତିଶତକୁ ଆଣିବା ଲକ୍ଷ୍ୟକୁ ପୂରଣ କରିବାକୁ ସମ୍ମିଳିତ ଭାବେ ଟାସ୍କଫୋର୍ସର ସମସ୍ତ ସଦସ୍ୟ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ। ବିବାହ କାର୍ଯ୍ୟ ସଂପର୍ଣ୍ଣ ହେଉଥିବା ମଠ, ମନ୍ଦିର, ଗୀର୍ଜା ଓ ମସଜିଦମାନଙ୍କରେ ଅବସ୍ଥାପିତ ଧାର୍ମିକ ମୁଖ୍ୟ ବା ପୁରୋହିତମାନେ ଅଧିକ ଯତ୍ନବାନ ହେବା ଜରୁରୀ। ବାଲ୍ୟ ବିବାହ ନିରାକରଣ ପାଇଁ ସେମାନଙ୍କର ଯଥେଷ୍ଟ ଭୂମିକା ରହିଛି।

ସେହିପରି ବାଲ୍ୟ ବିବାହକୁ ରୋକିବା ଦିଗରେ ନିରନ୍ତର କାର୍ଯ୍ୟରତ ସଂଗଠନ ବ୍ୟକ୍ତି ବିଶେଷ, ସ୍ୱେଚ୍ଚ୍ଥାସେବୀ ସଂସ୍ଥା, ଅଙ୍ଗନୱାଡି କର୍ମୀମାନେ ତୃଣମୂଳ ସ୍ତରରେ ଲୋକମାନଙ୍କୁ ସଚେତନ କରାଇଲେ ଆଗାମୀ ଦିନରେ ଆମେ ନିଶ୍ଚିତ ସଫଳତା ପାଇବା ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଥିଲେ। ଟାସ୍କଫୋର୍ସର କାର୍ଯ୍ୟଧାରାକୁ ପ୍ରସାରିତ କରିବା ପାଇଁ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ କମିଟି ଗଠନ କରିବା ସହ ବାରମ୍ୱାର ବୈଠକ ଡକାଯାଇ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଜିଲା ସମାଜ ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବାଲ୍ୟ ବିବାହ ନିରାକରଣ ପାଇଁ ଉପସ୍ଥିତ ଥିବା ଜିଲାର ଧର୍ମାନୁଷ୍ଠାନ ମୁଖ୍ୟଙ୍କଠାରୁ ମତାମତ ଲୋଡା ଯାଇଥିଲା। ସମସ୍ତ ମଠ, ମନ୍ଦିର, ଗୀର୍ଜା ଓ ମସଜିଦ୍ରେ ବିବାହ ସଂପନ୍ନ କରାଇବାକୁ ହେଲେ ବିବାହ ପାଇଁ ଆସୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ସ୍କୁଲ ସାର୍ଟିଫିକେଟ ଅଥବା ଜନ୍ମ ପ୍ରମାଣ ପତ୍ର ସଂଗ୍ରହ କରିବା ଜରୁରୀ ବୋଲି ସେମାନେ ମତ ପୋଷଣ କରିଥିଲେ। ସମ୍ୱେଦନଶୀଳ ବ୍ଳକ ଓ ପଞ୍ଚାୟତ ସ୍ତରରେ ଡାକବାଜି ଯନ୍ତ୍ର ବ୍ୟାନର ଓ ହୋଡିଂ ଲଗାଇ ବ୍ୟାପକ ପ୍ରଚାର, ପ୍ରସାର କରାଯିବା ସହ ଅଙ୍ଗନୱାଡି ଓ ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିବା, ବିଦ୍ୟାଳୟ ଚ୍ଥାଡିଥିବା ୧୧ରୁ ୧୮ ବର୍ଷ ପିଲାଙ୍କୁ ପୁନଃ ବିଦ୍ୟାଳୟ ପ୍ରବେଶ କରାଇବା, ଏସ୍ଏଚ୍‌ଜିମାନଙ୍କୁ ସଚେତନତା କାର୍ଯ୍ୟରେ ସାମିଲ କରିବା, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ କରିବା ଏବଂ ଏହାର କୁପରିଣାମ ବିଷୟରେ ଜନ ସଚେତନ ସୃଷ୍ଟି କରିବା ଆଦି ପ୍ରସ୍ତାବ ବୈଠକରେ ଉପସ୍ଥାପନା କରାଯାଇଥିଲା। ଜିଲାରେ ଥିବା କଲ୍ୟାଣ ମଣ୍ଡପ, ବିବାହ ମଣ୍ଡପଗୁଡିକୁ ଚିହ୍ନଟ କରି ସେଠାରେ ହୋଇଥିବା ବିବାହ ଆଦିର ପ୍ରାକ୍ ପଞ୍ଜିକରଣ କରି ଜିଲା ଟାସ୍କଫୋର୍ସକୁ ଜଣାଇବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ଆକ୍ସନଏଡ୍‌ର ଜିଲା ସଂଯୋଜକ ସୁରେନ୍ଦ୍ର କୁମାର ଡିଗାଲ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର କାର୍ଯ୍ୟଧାରା ଏବଂ ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଳା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ଭାରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଶିଶୁ ମଙ୍ଗଳ କମିଟିର ବରିଷ୍ଠ ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି, ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ମୁଖ୍ୟ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.