ଅଧ୍ୟାପିକାଙ୍କ ୱାଶିଂମେସିନ୍ ବିକ୍ରି, ୧୯ ହଜାର ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର: ଅନଲାଇନରେ ୱାଶିଂମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା। ୧୯ ହଜାର ଟଙ୍କା ଲୁଟିନେଲେ ସାଇବର ଠକ। ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଥିବା ରେଶମା ମହାପାତ୍ର ଓଏଲ୍ଏକ୍ସରେ ନିଜ ୱାଶିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଏହାକୁ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଲୁଟି ନେଇଥିବା ନେଇ ସେ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ସେ ସାଇବର୍ ହେଲ୍ପ ଡେସ୍କରେ ମଧ୍ୟ ଜଣାଇଛନ୍ତି। ତେବେ ଅଧ୍ୟାପିକାଙ୍କ ଅଭିଯୋଗ ପରେ ପୁଲିସ ଖୋଳତାଡ ଆରମ୍ଭ କରିଛି।

ସୂଚନା ଅନୁସାରେ ଗତ ସପ୍ତାହରେ ଅଧ୍ୟାପିକା ଜଣକ ଓଏଲଏକ୍ସରେ ୱାଶିଂ ମେସିନ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଇଥିଲେ। ଆଉ ତା’ ପରଠାରୁ ୱାଶିଂମେସିନ କିଣିବା ପାଇଁ ଅନେକ ବ୍ୟକ୍ତି କଲ୍ କରୁଥିଲେ। ତେବେ ମଙ୍ଗଳବାର ଜଣେ ବ୍ୟକ୍ତି କଲ୍ କରି ହିନ୍ଦୀରେ କଥା ହୋଇ ୱାଶିଂମେସିନ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲା। ଷ୍ଟେସନ ପାଖ ମମତା ଫର୍ଣ୍ଣିଚରରୁ କହୁଛି, କହି ଅଧ୍ୟାପିକାଙ୍କ ବିଶ୍ୱାସ ଜିତିଥିଲା। ଆଉ ତା’ପରେ ଲୋକପଠାଇ ୱାଶିଂମେସିନ୍ ନେବ ବୋଲି କହିଥିଲା।

ତେବେ ଏଥିପାଇଁ ସେ ନିଜେ ଆସିପାରିବନାହିଁ, ଅନଲାଇନ୍ ପେମେଣ୍ଟ କରିବ ବୋଲି ଅଧ୍ୟାପିକାଙ୍କୁ କହିଥିଲା। ଆଉ ତା’ପରେ ପ୍ରଥମେ ୫ ଟଙ୍କା ପଠାଇ ମହିଳାଙ୍କୁ ଗୁଗୁଲ ପେ ନମ୍ବର ମାଗିଥିଲା। ନମ୍ବର ନେଇ ଏକ ସ୍କାନ୍ କୋଡ଼୍ ପଠାଇଥିଲା ସାଇବର ଠକ। ନୂଆ ପେମେଣ୍ଟ ମୋଡ଼ର ବାହାନା କରି ଅଧ୍ୟାପିକାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା। ଆଉ ଏଥିରେ ସଫଳ ହେବା ପରେ ଟଙ୍କା ପଠାଇବ କହିଲା ଦୁର୍ବୃତ୍ତ। ତେବେ ଟଙ୍କା ଥିବା ଆକାଉଣ୍ଟକୁ ହିଁ ଟଙ୍କା ପଠାଇ ହେବ ବୋଲି ବ୍ୟକ୍ତିଜଣକ କହିଥିଲା।ଆଉ ଏଥିପାଇଁ ନିଜ ସ୍ୱାମୀଙ୍କ ଆକାଉଣ୍ଟରୁ ଦୁଇ ଦୁଇ ଥର ୯୫୦୦ ଲେଖାଏଁ ଟଙ୍କା ଆଣିଥିଲେ। ତେବେ ଆକାଉଣ୍ଟକୁ ଟଙ୍କା ଆସୁ ଆସୁ ଥରଥର କରି ଦୁଇ ଥରରେ ସବୁ ଟଙ୍କା କଟିଗଲା। ଫଳରେ ଅଧ୍ୟାପିକାଙ୍କ ଚେତା ପଶିଲା। ସେତେବେଳକୁ ଆକାଉଣ୍ଟ ଖାଲି ହୋଇସାରିଥିଲା। ଆଉ ତା’ପରେ ସେ ଠକେଇର ଶିକାର ହୋଇଥିବା ଜାଣି ରେଶମା ତୁରନ୍ତ ପୋଲିସରେ ଅଭିଯୋଗ କରିଥିଲେ।

Comments are closed.