ଛାତ୍ରଛାତ୍ରୀଙ୍କ ଭଳି ପରୀକ୍ଷା ଦେବେ ଅଧ୍ୟାପକ

ଭୁବନେଶ୍ୱର: ଏଣିକି ଛାତ୍ରଛାତ୍ରୀଙ୍କ ଭଳି ପରୀକ୍ଷା ଦେବେ ଅଧ୍ୟାପକ। ରାଜ୍ୟରେ କାର୍ୟ୍ୟରତ ଅଧ୍ୟାପକଙ୍କୁ ଦିଆଯିବ ପ୍ରଶିକ୍ଷଣ। ଅଧ୍ୟାପକଙ୍କର ବଢିବ ଦକ୍ଷତା। ଦେଶର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଏହି ପ୍ରଶିକ୍ଷଣ ଦେବେ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକ ନୂଆଶୈଳୀରେ ପାଠ ପଢାଇବା ସହ ଗବେଷଣାକୁ ନୂଆ ଦିଗ ମିଳିବ। ପ୍ରଶିକ୍ଷଣ ସରିବା ପରେ ଅଧ୍ୟାପକଙ୍କର ପରୀକ୍ଷା କରାଯିବ। ଏହି ଯୋଜନାକୁ ସଫଳ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦେଶର ଦୁଇ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ସହ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି।

ରାଜ୍ୟରେ ୫୦୦ରୁ ଉର୍ଦ୍ଧ୍ବ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜ ଅଧ୍ୟାପକଙ୍କୁ ଜାତୀୟ ସ୍ତରର ପ୍ରତିଷ୍ଠିତ ଅଭିଜ୍ଞ ପ୍ରଫେସରଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ଦେଶର ଦୁଇ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ବବିଦ୍ୟାଳୟ ଓ ହାଇଦରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହ ଚୁକ୍ତିପତ୍ର ସ୍ବାକ୍ଷର କରାଯାଇଛି। ଉକ୍ତ ଦୁଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟର ଅଧ୍ୟାପକଙ୍କୁ ପ୍ରଶିକ୍ଷଣ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ ପ୍ରକ୍ରିୟାରେ ପ୍ରଶିକ୍ଷଣ ଦିଆଯିବ। ଅଧ୍ୟାପକ ନିଜ ଘରେ ରହି ଅନ୍‌ଲାଇନ୍‌ରେ ପ୍ରଶିକ୍ଷଣ ନେଇ ସେମାନଙ୍କର ଦକ୍ଷତାର ବିକାଶ କରିପାରିବେ। ଅଧ୍ୟାପକଙ୍କୁ ନିୟମିତ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଜରିଆରେ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ଥିବା ଶିକ୍ଷାନୁଷ୍ଠାନରେ ଅଧ୍ୟାପକମାନଙ୍କୁ ନିୟମିତ ଭାବେ ପ୍ରଶିକ୍ଷଣ ଦେବାକୁ ଯୋଜନା ରହିଛି। ଏବେ କରୋନା ସ୍ଥିତି ଥିବାରୁ ଅନ୍‌ଲାଇନ୍‌ରେ ରିଫ୍ରେସର ପ୍ରଶିକ୍ଷଣ ଦେବାକୁ ସ୍ଥିର ହୋଇଛି। ପରବର୍ତ୍ତୀ ପର୍ୟ୍ୟାୟରେ ଅଫ୍‌ଲାଇନ୍‌ରେ ପ୍ରଶିକ୍ଷଣ ଦିଆଯିବ।

ଏହି ଯୋଜନା ଜରିଆରେ ଅଧ୍ୟାପକଙ୍କର ସାମଗ୍ରିକ ବିକାଶ ହୋଇପାରିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ଏକାଧିକ ବ୍ୟାଚ୍‌ କରାଯାଇ କେବଳ କଲେଜ ଅଧ୍ୟାପକଙ୍କ ପାଇଁ ଏହି ପଶ୍ରିକ୍ଷଣ ଦିଆଯିବ। ସମସ୍ତ ବିଷୟ ବଦଳରେ ନିର୍ଦିଷ୍ଟ ଭାବେ କିଛି ବିଷୟକୁ ଚିହ୍ନଟ କରାଯାଇ ସେଥିରେ ଅଧ୍ୟାପକଙ୍କୁ ଅନ୍‌ଲାଇନ୍‌ରେ ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରଶିକ୍ଷଣ ବାବଦକୁ ରାଜ୍ୟ ସରକାର ଦୁଇ ବିଶ୍ବବିଦ୍ୟାଳୟକୁ ଅର୍ଥ ପ୍ରଦାନ କରିବେ। କଲେଜ ଅଧ୍ୟାପକ ଘରେ ରହି ଦେଶର ପ୍ରମୁଖ ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କଠାରୁ ପ୍ରଶିକ୍ଷଣ ପାଇପାରିବେ। ନିୟମିତ ପ୍ରଶିକ୍ଷଣ ଜରିଆରେ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପାଠପଢା ଶୈଳୀ, ଗବେଷଣା ଭଳି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ପରବର୍ତ୍ତୀ ପର୍ୟ୍ୟାୟରେ ଅଧ୍ୟାପକ ମଧ୍ୟ ଉକ୍ତ ବିଶ୍ବବିଦ୍ୟାଳୟ ଯିବାର କାର୍ୟ୍ୟକ୍ରମ ରହିଛି। ଉଚ୍ଚଶିକ୍ଷା ବିଭାଗ ଓ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ପ୍ରଚେଷ୍ଟାରେ ଏହି କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି।

ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କହିଛନ୍ତି ୨୦୨୧-୨୨ରୁ ଅଧ୍ୟାପକଙ୍କୁ ପ୍ରଶିକ୍ଷଣ ଦେବାକୁ ଯୋଜନା ରହିଛି। ଏହାଦ୍ବାରା ଅଧ୍ୟାପକଙ୍କୁ ଅଧିକ ସୁଯୋଗ ମିଳିବା ସହ ଜ୍ଞାନର ପରିସୀମା ବଢିବ। ବିଦ୍ୟାର୍ଥୀଙ୍କୁ ଅଧ୍ୟାପକ ନୂଆ‌େ‌ଶୖଳୀରେ ପାଠ ପଢାଇବା ସହ ଗବେଷଣାକୁ ନୂଆ ଦିଗ ମିଳିବ ।

Comments are closed.