ପ୍ରଫେସର କାଳୀପଦ ଏବେ ମାଟିର ମଣିଷ

ବାରିପଦା: ‘ଛୋଟ ମୋର ଗାଁଟି/ଭୂଗୋଳ ପୋଥି ପତରେ ପଛେ/ନ ଥାଉ ତାର ନାଁଟି…’, ଅମର କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଲେଖନୀରୁ ଝରିଯାଇଥିବା ଏକ କାଳଜୟୀ କବିତାର ଏହି ପଦ। ମଞ୍ଚରେ ବହୁ ବକ୍ତା ନିଜ ଭାଷଣରେ ଏହି ପଦ କହି ଜନ୍ମମାଟିକୁ ନ ଭୁଲିବା ପାଇଁ ଶ୍ରୋତାଙ୍କୁ ଲମ୍ବା ଉପଦେଶ ଦେଇଥାନ୍ତି। ମାତ୍ର ସେମାନେ ନିଜ ଗାଁକୁ ଭୁଲି ହୋଇଯାଇଥାନ୍ତି ସହରୀ। ଏ ପରିପ୍ରେକ୍ଷୀରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ଅବସରପ୍ରାପ୍ତ ପ୍ରଫେସର ତଥା ଡେପୁଟି ରେଜିଷ୍ଟ୍ରାର, ଡ. କାଳୀପଦ ମହାନ୍ତ। ମୟୂରଭଞ୍ଜ ଜିଲା, ଶିମିଳିପାଳ ପାଦ ତଳି ଅଞ୍ଚଳର ନିପଟ ମଫସଲରେ ରହି ଚାଷ କାମରେ ରତ ଅଛନ୍ତି ସେ।

ବାରିପଦାଠାରୁ ୨୦ କିମି ଦୂର ଶାମାଖୁଣ୍ଟା ବ୍ଲକ ଅସନବଣି ଗାଁର ଡ.କାଳୀପଦ ମହାନ୍ତ। ୩୨ ବର୍ଷର ଅଧ୍ୟାପନା କ୍ୟାରିଅର। ଶେଷରେ ଡେପୁଟି ରେଜିଷ୍ଟ୍ରାର ପଦରେ ଥାଇ ୨୦୧୬ରେ ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ। ଚାକିରି କାଳରେ ୟୁଜିସି ସ୍କେଲରେ ମୋଟା ଅଙ୍କର ଦରମା ପାଉଥିଲେ। ଏବେ ମୋଟା ଅଙ୍କର ପେନସନ। ତାଙ୍କ ବଡ଼ ପୁଅ ମଧ୍ୟ ପଣ୍ଡିଚେରୀରେ ଏକ ଆର୍କିଟେକଚର ସଂସ୍ଥା ଖୋଲିଛନ୍ତି। ସେ ଚାହିଁଥିଲେ କେଉଁ ବଡ଼ ସହରରେ ଚାକ୍ୟଚକ୍ୟଭରା କୋଠା କରି ରହିପାରିଥାନ୍ତେ। ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀରେ ସମୟ ବିତାଇପାରିଥାନ୍ତେ। ମାତ୍ର ମାଟି ପ୍ରତି ମୋହ। ସେ ସହରରେ ନ ରହି ସପତ୍ନୀକ ଫେରିଆସିଲେ ନିଜ ଜନ୍ମ ମାଟି ଅସନବଣି ଗାଁକୁ। ଚାଳ ଘର ହେଲା ତାଙ୍କର ବାସସ୍ଥଳୀ। ଗାଁରେ ଥିବା ନିଜର ୨୦ ଏକର ଜମିରେ ସେ ଚାଷ କାର୍ୟ୍ୟ ଆରମ୍ଭ କଲେ। ଧାନ, ପନିପରିବା ଚାଷ କରିବା ସହ ଜାତି ଜାତିକା ଫୁଲ ଓ ଫଳ ଗଛ ଲଗାଇଲେ। ଫୁଲରୁ କିଛି କିଛି ପଇସା ପାଉଥିବାବେଳେ ଫଳ ଉତ୍ପାଦନ ହେଲେ ଉପାର୍ଜନର ବାଟ ମଧ୍ୟ ଫିଟିବ। ସେ ପୋଖରୀ ଖୋଳି ମାଛ ଚାଷ କରିବା ସହ କୁକୁଡା ଓ ଛେଳି ଚାଷ କରୁଛନ୍ତି। ମାଛ ଚାଷରୁ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରି ଏ ଦିଗରେ ଅନ୍ୟମାନଙ୍କୁ ଉତ୍ସାହିତ କରିଛନ୍ତି। ଏବେ ୬୩ ବର୍ଷ ବୟସରେ ବି ଲଙ୍ଗଳ ଧରି ହଳ କରିବା ସହ ବିଭିନ୍ନ ମେସିନ ଚଳାଉଛନ୍ତି। ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏ କ୍ଷେତରେ ଖଟୁଛନ୍ତି। କାଳୀପଦ ବାବୁ ୩ ଜଣ ସ୍ଥାୟୀ ମଜୁରିଆଙ୍କୁ ନିଯୁକ୍ତି ଦେଇଥିବାବେଳେ ବର୍ଷର ବିଭିନ୍ନ ସମୟରେ ୨୦/୩୦ ଜଣ ମଜୁରିଆ ତାଙ୍କ କ୍ଷେତରେ କାମ କରିଥାନ୍ତି। ସେ ଜୈବିକ ସାର ଦେଇ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଚାଷ କରନ୍ତି। ଏ କ୍ଷେତ୍ରରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା।

ମାଟି ମାଆ, ଫୁଲଫଳଭରା ସବୁଜ କ୍ଷେତକୁ ପର କରି ସହରମୁହାଁ ହେଉଥିବା ଯୁବ ପିଢ଼ି ପାଇଁ ପ୍ରଫେସର କାଳୀପଦ ମହାନ୍ତ ନିଶ୍ଚିତ ଭାବେ ଆଲୋକବର୍ତ୍ତିକା। ବିରଳ ଜୈବ ମଣ୍ଡଳ ଶିମିଳିପାଳର ସୁରକ୍ଷା ପାଇଁ ସେ ମଧ୍ୟ ଅଭିଯାନ ଚଳାଇ ପ୍ରକୃତିର ସୁରକ୍ଷା ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଦେଉଛନ୍ତି। ସେ କହନ୍ତି, ପ୍ରକୃତି କୋଳରୁ ଯେଉଁ ଆନନ୍ଦ ମିଳେ, ତାହା ଆଉ କେଉଁଠି ମିଳେନି। ଚାଷ କାମ ଦ୍ୱାରା ମନ ସଦା ଚଞ୍ଚଳ ଓ ପ୍ରଫୁଲ୍ଲ ରହେ। ସବୁଜ ଗଛ, ସୁନ୍ଦର ଫୁଲଫଳକୁ ଦେଖି ମନ ଅପୂର୍ବ ଆନନ୍ଦରେ ପୂରିଉଠେ। ସବୁ ଚିନ୍ତା, ଅବସାଦ ଦୂରେଇଯାଏ। ଫଳରେ ଶରୀର ନୀରୋଗ ରହେ।

ସୂଚନାଯୋଗ୍ୟ ଯେ ୧୯୫୫ ମସିହା ଡିସେମ୍ବର ୧ ତାରିଖରେ ଅସନବଣି ଗାଁରେ ଭୂମିଷ୍ଠ ହୋଇଥିଲେ କାଳୀପଦ ବାବୁ। ରାଜତନ୍ତ୍ରବେଳେ ବାଘ ଶିକାରୀ ଭାବେ ଖ୍ୟାତି ଲାଭ କରିଥିବା ଅତୁଲ ଚନ୍ଦ୍ର ମହାନ୍ତ ଓ ଶାନ୍ତିଲତା ଦେବୀଙ୍କର ସେ ମଧ୍ୟମ ପୁତ୍ର। ୧୯୭୬ରେ ବାରିପଦା ଏମପିସି କଲେଜରୁ ଦର୍ଶନଶାସ୍ତ୍ର ସମ୍ମାନରେ ଟପ୍ପର ହୋଇ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ୧୯୭୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ। ୧୯୮୪ରେ ମେଘାଳୟର ସିଲଂଠାରେ ନର୍ଥ ଇଷ୍ଟ ହିଲ ୟୁନିଭର୍ସିଟିରୁ ଡକ୍ଟରେଟ ଓ ଡିଲିଟ ଉପାଧି ହାସଲ କଲେ। ଏହା ପରେ ସିଲଂସ୍ଥିତ ଏସଟି ଆଣ୍ଟୋନୀ କଲେଜରେ ଦର୍ଶନଶାସ୍ତ୍ରରେ ଅଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଭାବେ ଯୋଗଦେଲେ। ସେହି କଲେଜରୁ ଆସୋସିଏଟ ପ୍ରଫେସର ଭାବେ ୨୦୦୯ରେ ଅବସର ଗ୍ରହଣ କରିଥିଲେ। ସେହି ବର୍ଷ ନୂତନ ଭାବେ ପ୍ରତିଷ୍ଠିତ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ ଝାଡଖଣ୍ଡର ଫାଉଣ୍ଡର ଅଫିସର ଭାବେ ଦାୟିତ୍ୱ ଗ୍ରହଣ କଲେ। ଏଠାରେ ଡେପୁଟି ରେଜିଷ୍ଟ୍ରାର ରହି ୨୦୧୬ରେ ଅବସର ନେଲେ। ତାଙ୍କ ଧର୍ମପତ୍ନୀ ସୁଦୀପ୍ତା ମହାନ୍ତ ଅବିଭକ୍ତ ବିହାରର ପରିବହନ ବିଭାଗର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବନବିହାରୀ ମହାନ୍ତଙ୍କର ନାତୁଣୀ।

Comments
Loading...