ପରଲୋକରେ ଆଧୁନିକ ଓଡ଼ିଆ କବିତାର ଉତ୍ସର୍ଗୀକୃତ ସାଧକ ନିତ୍ୟାନନ୍ଦ ଶତପଥୀ

ସମାଜ ପୋର୍ଟାଲ ଡେସ୍କ: ଆଧୁନିକ ଓଡ଼ିଆ କବିତାର ପ୍ରଚାର, ପ୍ରସାର ଓ ସମାଲୋଚନା କ୍ଷେତ୍ରରେ ଜଣେ ଉତ୍ସର୍ଗୀକୃତ ସାଧକ, ବିଶିଷ୍ଟ ସାହିତ୍ୟିକ ତଥା ଲୋକପ୍ରିୟ ସାହିତ୍ୟ ପତ୍ରିକା ‘ଇସ୍ତାହାର’ର ସଂପାଦକ ନିତ୍ୟାନନ୍ଦ ଶତପଥୀଙ୍କ ୮୩ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସକାଳ ୯ଟାରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ପିତା ବିଦ୍ୟାଧର ଶତପଥୀ ଓ ମାତା ଦୁର୍ଗାବତୀ ଶତପଥୀଙ୍କ ଠାରୁ ୧୯୩୭ ମସିହା ନଭେମ୍ବର ୨୫ରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ତରାଇ (ପୀତାମ୍ବରପୁର ଶାସନ)ରେ ଜନ୍ମ ଗ୍ରହଣ କରିଥିଲେ ନିତ୍ୟାନନ୍ଦ। ତାଙ୍କ ପତ୍ନୀ ପ୍ରତିଭା ଶତପଥୀ ଓ ଝିଅ ପାରମିତା ଶତପଥୀ ଉଭୟ ମଧ୍ୟ ସୁସାହିତ୍ୟିକ ଅଟନ୍ତି।

୧୯୬୯ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପନା ଆରମ୍ଭ କରିଥିବା ପ୍ରଫେସର ଶତପଥୀ ପରବର୍ତ୍ତୀ ସମୟରେ ସେଠାରେ ପ୍ରତିଷ୍ଠା କରାଯାଇଥିବା ସତ୍ୟବାଦୀ ଚେୟାରର ପ୍ରଫେସର ଭାବେ ଦାୟିତ୍ୱ ନିର୍ବାହ କରି ଅବସର ଗ୍ରହଣ କରିଥିଲେ। ‘ଇସ୍ତାହାର’ ନାମରେ ତ୍ରୈମାସିକ ସର୍ଜନାତ୍ମକ ଓ ଆଧୁନିକ ସାହିତ୍ୟ ସମାଲୋଚନା ପତ୍ରିକା ପ୍ରକାଶନ ଥିଲା ପ୍ରଫେସର ଶତପଥୀଙ୍କ ବଳିଷ୍ଠ କୃତିତ୍ୱ। ସେ ୧୯୬୪ରେ ପୂଜ୍ୟପୂଜା ସଂସଦ ଗଠନ କରିଥିଲେ ଓ ତାହା ମାଧ୍ୟମରେ ଗୋପବନ୍ଧୁ, ଗୋଦାବରୀଶ, ନୀଳକଣ୍ଠ, ମଧୁସୂଦନ, ପ୍ରହରାଜ, ଗଜପତି, ବୈକୁଣ୍ଠନାଥ ମାନସିଂହ ପ୍ରମୁଖଙ୍କ ବିଷୟରେ ସ୍ମରଣିକା ସମ୍ପାଦନା କରିଥିଲେ। ସେ ୧୯୭୯ ମସିହାରେ ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କ ଦ୍ୱାରା ସ୍ଥାପିତ ଚାରିଟେବଲ ସଂସ୍ଥାର ସାରଳା ପୁରସ୍କାର କମିଟିର ସମ୍ପାଦକ ରହିଥିଲେ। ୧୯୮୫ରେ ସେ ‘ସାମ୍ପ୍ରତିକ’ ନାମରେ ଏକ ସାହିତ୍ୟ ଅନୁଷ୍ଠାନ ମଧ୍ୟ ଗଠନ କରିଥିଲେ। ତାଙ୍କର ଉଲ୍ଲେଖନୀୟ କୃତି ମଧ୍ୟରେ କବିତା ଯୁଗେ ଯୁଗେ (୧୯୭୬), ସବୁଜରୁ ସାମ୍ପ୍ରତିକ (୧୯୭୯), ପ୍ରମୁଖ କବି କତିପୟ (୧୯୮୪), କାବ୍ୟ ପ୍ରକରଣ (୧୯୯୧), ସାରଳାରୁ ସମ୍ପ୍ରତି (୧୯୯୪) ଓ ସତୁରିରୁ ସହସ୍ରାବ୍ଦୀ ଅନ୍ୟତମ।

ପ୍ରଫେସର ଶତପଥୀ ପ୍ରଥମେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ‘ହେ ସାଥି, ହେ ସାରଥୀ’ ରଚନା କରିଥିଲେ। ଉପନ୍ୟାସ ‘ଅନିକେତ’ ବ୍ୟତୀତ ତାଙ୍କ ଆତ୍ମଜୀବନୀ ଦୁଇଟି ଭାଗରେ ‘ପ୍ରେମ ଓ ପରିତାପ’ ଏବଂ ‘ପ୍ରେମ ଓ ପ୍ରତାରଣା’ ନାମରେ ପ୍ରକାଶିତ। ସେ ତାଙ୍କ ପତ୍ନୀ ପ୍ରତିଭାଙ୍କ ସହ ପ୍ରଥମ ଯୁଗ୍ମ କବିତା ‘ଆମ କବିତା’ ପ୍ରକାଶନ କରିଥିଲେ। ବିଶେଷତଃ ୧୯୨୦ ପରବର୍ତ୍ତୀ ଆଧୁନିକ ଓଡ଼ିଆ କବିତା ଚର୍ଚ୍ଚା କ୍ଷେତ୍ରରେ ତାଙ୍କ ରଚିତ ‘ସବୁଜରୁ ସାମ୍ପ୍ରତିକ’ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଅଟେ। ସାହିତ୍ୟ କ୍ଷେତ୍ରରେ ଅନବଦ୍ୟ କୃତିତ୍ୱ ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହେବା ସହ ସମ୍ମାନଜନକ ‘ବିଷୁବ ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ଗବେଷଣା ପରିଷଦ ସଭାପତି ସୁଧୀର ଚନ୍ଦ୍ର ବେହୁରାଙ୍କ ସମେତ ଅନେକ ସାହିତ୍ୟିକ ଓ କବି ଗଭୀର ଶୋକ ପ୍ରକାଶ କରିଛନ୍ତି।

Comments are closed.