ଯୋଜନା ପରେ ଯୋଜନା ହେଲେ କେବେ ସରିବ ଦାଦନ ଦୁଃଖ

କଳାହାଣ୍ଡି (ବିକାଶ ଷଡ଼ଙ୍ଗୀ): କେତେ ବେଳେ ଦାଦନ ଶ୍ରମିକଙ୍କ ହାତ କଟା ଘଟଣା ତ ଆଉ କେତେ ବେଳେ ଦାଦନ ଶ୍ରମିକ ଶବ ହୋଇ ଫେରିବା ଘଟଣା ମନରୁ ନଲିଭୁଣୁ ପୁଣି ଦାଦନ ଶ୍ରମିକମାନଙ୍କୁ ରାଜ୍ୟ ବାହାରର ଇଟା ଭାଟି ମାଲିକ ନିର୍ଯାତନା ଦେବା ଅଭିଯୋଗ। ଏମିତି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରୁ।

ଗୋଲାମୁଣ୍ଡା ଥାନା ସର୍ଗିଗୁଡା ଗାଁର ଦାଦନ ଶ୍ରମିକ, ଛୋଟ ପିଲା ଠାରୁ ବଢିଲା ଝିଅଙ୍କୁ ଧରି ଇଟା ଭାଟିରେ ଇଟା ଗଢୁଛନ୍ତି। ଦିନକୁ ୧୨ ଘଣ୍ଟା ଧରି ଥରକେ ୧୦ ଖଣ୍ଡ ଇଟା ବୋହିବାକୁ ବାଧ୍ୟ କରୁଛି ଠିକାଦାର। କାମ ବଦଳରେ ସପ୍ତାହକୁ ୧୦୦ ରୁ ୧୫୦ ଟଙ୍କା ରାସନ ବାବଦକୁ ଦେଉଛି। ଏତିକିରେ ନିଅଣ୍ଟ ହେଉଥିବାରୁ ଭୋକ ଉପାସରେ କି ରୋଗରେ ପଡିଲେ ଚିକିତ୍ସା ନକରି କାମ କରିବାକୁ ବାଧ୍ୟ କରୁଛି। ନହେଲେ ମାଡ ଗାଳି ଗୁଲଜ। ଏମିତି ନିର୍ଯାତନାର କରୁଣ କାହାଣୀ କହିଛନ୍ତି ୧୦ଟି ପରିବାରର ୨୩ ଜଣ ଦାଦନ। ସେମାନେ ୨୦୧୯ ଡିସେମ୍ବର ୨୨ରୁ ତେଲେଙ୍ଗାନାର ପେଦାପାଲି ଜିଲ୍ଲା ଗରେପାଲିରେ ଆଜି ଯାଏଁ ବନ୍ଧା ପଡି ମୁକୁଳି ପାରୁନାହାନ୍ତି। ସେମାନଙ୍କ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ସର୍ମ୍ପକୀୟ।

ଅଭିଯୋଗକୁ ଭିତିକରି ଥାନା ଅଧିକାରୀ, ବିଡିଓ, ଜିଲ୍ଲାପାଳ ଓ ଶ୍ରମ ବିଭାଗ ସହ ସର୍ମ୍ପକ ରଖି ଉଦ୍ଧାର ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ କେବେ ଉଦ୍ଧାର ହେବେ ନିର୍ଯାତନା ଭୋଗୁଥିବା ଦାଦନ ଶ୍ରମିକ, ସେ ଚିନ୍ତାରେ ତାଙ୍କ ପରିବାର ଲୋକେ।

Comments are closed.