ମତ୍ସ୍ୟଜୀବୀଙ୍କ ସମସ୍ୟା ସମାଧାନ ନିମନ୍ତେ ସ୍ବତନ୍ତ୍ର ସେଲ ଖୋଲିବାକୁ ନିଷ୍ପତ୍ତି

ଗୋପାଳପୁର ମତ୍ସ୍ୟଜୀବୀ ,ବନବିଭାଗ, ମତ୍ସ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା

ସବୁଦିନଆ ମୁହାଣ ନିର୍ମାଣ କାର୍ଯ୍ୟ ତୁରନ୍ତ କରାଯିବ
ଗୋପାଳପୁର : ଜିବନ ଜୀବିକା ନେଇ ପ୍ରଶାସନ ପକ୍ଷରୁ ଖେଳ ଖେଳାଯିବା ଏବଂ ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ ନିମନ୍ତେ ବର୍ଷ ବର୍ଷ ଧରି ନିଜର ଡଙ୍ଗା ଓ ଜାଲ ରଖୁଥିବା ସ୍ଥାନରୁ ଉଛେଦ କରାଯିବା ନିଷ୍ପତ୍ତି ବିରୋଧରେ ଗତ ୧୭ ତାରିଖରେ ମତ୍ସ୍ୟଜୀବୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ, ଟାୟାର ଜାଳି ରାସ୍ତା ଅବରୋଧ ଘଟଣାକୁ ନେଇ ସୋମବାର ମତ୍ସ୍ୟଜୀବୀ, ବନବିଭାଗ, ମତ୍ସ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଗୋପାଳପୁର ଏନ୍ଏସି ପ୍ରଶାସକ ଭି. କୀର୍ତ୍ତି ଭାସନ ଉପସ୍ଥିତ ରହି ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ମତ୍ସ୍ୟଜୀବୀଙ୍କ ଠାରୁ ପଚାରି ବୁଝିଥିଲେ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ରହିଥିବା ମତ୍ସ୍ୟଜୀବୀ ମାନେ ଗୋପାଳପୁର ବେଳାଭୂମିକୁ  ବ୍ଲୁ- ଫ୍ଲାଗ  ବିଚ୍ର ମାନ୍ୟତା ଦେବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ଵାଗତ ଜଣାଇଥିଲେ। କିନ୍ତୁ ପ୍ରଥମେ ସେମାନଙ୍କ  ଜିବନ ଜୀବିକାର ମୁଖ୍ୟ ଆୟୁଦ୍ଧ ଥିବା ଡଙ୍ଗା ଓ ଜାଲକୁ ସୁରକ୍ଷିତ ଭାବେ ରଖିବା ପାଇଁ ଭିତିଭୂମିର ବିକାଶ ସହ  ସବୁ ଦିନିଆ ମୁହାଣ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ। ଏହା ସହ ଗତ ୧୭ ତାରିଖରେ ସେମାନଙ୍କ ତରଫରୁ ପ୍ରଶାସନିକ ନିଷ୍ପତ୍ତିକୁ ବିରୋଧ କରି ଯେଉଁ ବିକ୍ଷୋଭ କରାଯାଇଥିଲା ତାହା ନେଇ  କ୍ଷମା ପ୍ରାର୍ଥନା କରିବା ସହ ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କରାଯାଇଥିବା ମାମଲାକୁ  ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ।
ଏଥି ସହ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କୁ ସରକାରୀ ଯୋଜନା, ଡଙ୍ଗା ,ବୀମା ବାବଦରେ ସଠିକ ଭାବେ ଅବଗତ କରାଯାଉ ନ ଥିବା ନେଇ ମଧ୍ୟ ଉପଜିଲ୍ଲାପାଳଙ୍କ  ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୈଠକରେ ମତ୍ସ୍ୟଜୀବୀ ଗାଁ ମୁଖିଆ  ବି. ଦାନେୟା, ଏସ. ସିମାଦ୍ରି, ଏ. କ୍ରିଷ୍ଣା, ଜୀ. ଗୋପାମ୍ମା, ପି. ସାରଦା ସମେତ ପ୍ରାୟ ୨୫ ଜଣ ମତ୍ସ୍ୟଜୀବୀ, ମତ୍ସ୍ୟ ବିଭାଗର ଉପ ନର୍ଦେଶକ ଶିବ ପ୍ରସାଦ ଭୋଇ, ଡିଏଫ୍ଓ ପ୍ରମୋଦ କୁମାର ରାଉତ, ଏଡିଏଫ୍ଓ ସୁବ୍ରତ କୁମାର ପଟନାୟକ, ଏଏଫ୍ଓ ଖଗେନ୍ଦ୍ର ରଣା, ଏଏଫ୍ଓ ବିଶ୍ଵ ଭୂଷଣ ଜେନା, କନିଷି ତହସିଲଦାର ତାପସ ରାଉତ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ ଗତ ୧୭ ତାରିିଖ ଦିନ ବ୍ଲୁ ଫ୍ଲାଗ ବିଚ ନିର୍ମାଣ ପାାଇଁ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ନେଇ ଗୋପାଳପୁର ସମେତ ଆଖପାଖ ୭ ଖଣ୍ଡ ଗ୍ରାମର ପ୍ରାୟ ଏକ ହଜାରରୁ ଅଧିକ ପୁରୁଷ ଓ ମହିଳା  ସକାଳ ପ୍ରାୟ ୧୦ଟା ଠାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୋପାଳପୁର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ସଂଧ୍ୟାରେ  ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଏନ୍ଏସି ପ୍ରସାଶନିକ ଅଧିକାରୀ ଭୀ. କୀର୍ତ୍ତି ଭାସନ ପହଞ୍ଚି ମତ୍ସ୍ୟଜୀବୀ ପ୍ରତିନିଧିଙ୍କୁ ଡକାଇ ଆଲୋଚନା କରିଥଲେ। ପ୍ରତିଶ୍ରୁତି ମିଳିବା ପରେ ମତ୍ସ୍ୟଜୀବୀ ମାନେ ବିକ୍ଷୋଭରୁ ଓହରି ଥିଲେ ଏବଂ ଆସନ୍ତା ୨୨ ତାରିଖରେ ଏହା ନେଇ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ସେ ସୂଚନା ଦେଇଥିଲେ ଯେ ଗୋପାଳପୁର ସବୁଦିନିଆ ମୁହାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବା ପରେ ବ୍ଲୁ-ଫ୍ଲାଗ ପାଇଁ ପଦକ୍ଷେପ ନିଆଯିିବ। ତାହା ସହ ମତ୍ସ୍ୟଜୀବୀଙ୍କ ସମସ୍ୟାର ତ୍ଵରିତ ସମାଧାନ ନିମନ୍ତେ  ଏକ ସେଲ୍ ଖୋଲାଯାଇ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ ଏବଂ ବିଭିନ୍ନ ଯୋଜନାକୁ ସେମାନଙ୍କୁ ଅବଗତ କରାଇବା ପାଇଁ  ମତ୍ସ୍ୟ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଗୋପାଳପୁର ବ୍ଲୁ ଫ୍ଲାଗ ବିଚ୍ ନିମନ୍ତେ ୧ କୋଟି ୨୦ ଲକ୍ଷ ଓ ସୁନାପୁର ନିମନ୍ତେ ୧ କୋଟି ୪୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ମୁହାଣ ପାଇଁ ପ୍ରାୟ ୫୦ କୋଟି ଟଙ୍କାର ପ୍ରସ୍ତାବ ରହିଛି ବୋଲି କହିଛନ୍ତି।

Comments are closed.