୫ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟର ସୁବିଧା ପାଉନାହାନ୍ତି ବିଦ୍ୟାର୍ଥୀ

ଅଧାରେ ଅଟକିଛି ପାଇଖାନା,ବିଦ୍ୟାଳୟ ଆଗରେ ଜମୁଛି ଆଣ୍ଠୁଏ ପାଣି

ଗୁରୁଡିଝାଟିଆ : ୫-ଟି ଯୋଜନାରେ ବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମ ଏକ ମହନୀୟ ପଦକ୍ଷେପ। ଯାହାଦ୍ୱାରା ବିଦ୍ୟାଳୟର କଳେବର ସଂପୂର୍ଣ୍ଣ ବଦଳିଯାଇ ନୂଆ ରୂପରେ ଝଲସୁଛି । ଏଥିପାଇଁ ମଧ୍ୟ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା। କିନ୍ତୁ କେତେକ ସ୍ଥାନରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତଦାରଖର ଅବହେଳା ଓ ସ୍ଥାଣୁତା ପାଇଁ ବିଦ୍ୟାଳୟ ରୂପାନ୍ତରଣ ଶୁଭ ଉଦଘାଟନ ହୋଇସାରିଥିଲେ ମଧ୍ୟ ଅନେକ କାର୍ଯ୍ୟ ଅସଂପୂର୍ଣ୍ଣ ହୋଇ ପଡିରହିଛି । ଯାହାଦ୍ୱାରା ବିଦ୍ୟାର୍ଥୀମାନେ ପ୍ରକୃତ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାର ଉଦାହରଣ ହେଉଛି ଖୁଣ୍ଟୁଣୀ ସ୍ଥିତ ରାଧାନାଥ ବିଦ୍ୟାପୀଠ । ଏବେବି ଶୌଚାଳୟଟି ଅଧାଗଢା ଅବସ୍ଥାରେ ପଡିରହିଥିବାରୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଦ୍ୟାଳୟ ସମ୍ମୁଖଟି ସଠିକ୍ ଢଙ୍ଗରେ ମାଟି ପୁରଣ କରାଯାଇନଥିବାରୁ ଅସାରାଏ ବର୍ଷାରେ ଆଣ୍ଠୁଏ ପାଣି ଜମିରହିଛି। ଏହାଦ୍ୱାରା ବିଦ୍ୟାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହ ବର୍ଷାବେଳେ ପାଣିକାଦୁଅରେ ପଚପଚ ହେବାକୁ ପଡୁଛି। ଦୀର୍ଘଦିନ ଧରି ସମ୍ମୁଖ ପାଚେରୀ ଜବରଦଖଲରେ ରହିଥିଲା। ପ୍ରଶାସନର ପଦକ୍ଷେପ ପରେ ପାଚେରୀ ଉପରୁ ଜବରଦଖଲ ମୁକ୍ତ ହୋଇଥିଲେ ମଧ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେବି ବାକି ରହିଛି ।

ତତ୍ସହିତ ବିଦ୍ୟାଳୟର ସମ୍ମୁଖ ଫାଟକଟି ନିମ୍ନମାନର ଲଗାଯାଇଛି ବୋଲି ଅଭିଭାବକମାନେ ଦାବି ଜରିଛନ୍ତି। ପ୍ରକାଶଯୋଗ୍ୟ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ରଙ୍ଗଲେପିବା, ପାଇଖାନାର ପୁନଃଉଦ୍ଧାର ଓ ନୂତନ ପାଇଖାନା ନିର୍ମାଣ ଆଦି କ୍ଷେତ୍ରରେ ଖର୍ଚ୍ଚ ପାଇଁ ୧୭ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ପଞ୍ଚାୟତ ନିଜସ୍ୱ ପାଣ୍ଠିରୁ ମଧ୍ୟ ୭ଲକ୍ଷ ଟଙ୍କା ବିଦ୍ୟାଳୟର ଉନ୍ନତିକରଣ ପାଇଁ ପ୍ରଦାନ କରିଛି । ୧୯୬୨ ମସିହାରେ ପୂଣ୍ୟାତ୍ମା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ନାମରେ ନାମିତ ଏହି ବିଦ୍ୟାପୀଠଟି ଖୁଣ୍ଟୁଣୀ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ପ୍ରଜ୍ୱଳନ କରିଆସିଛି । ଏହି ପୁରାତନ ବିଦ୍ୟାପୀଠଟି ୫-ଟି ରୂପାନ୍ତରଣ କାର୍ଯ୍ୟ କରିବା ପାଇଁ ରାଜ୍ୟସରକାର ସ୍ୱୀକୃତି ଦେବା ସହିତ ଅର୍ଥ ପ୍ରଦାନ କରିଛନ୍ତି । ଠିକାଦାର କାର୍ଯ୍ୟାଦେଶ ପାଇ ନିର୍ମାଣ କାର୍ଯ୍ୟ ମଧ୍ୟ କରିଛି। ହେଲେ ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ବିଦ୍ୟାର୍ଥୀମାନଙ୍କ ଉପକାରରେ ଆସିପାରୁନଥିବାରୁ ଅଭିଭାବକମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଠଗଡ ଉପଖଣ୍ଡ ପ୍ରଶାସନ ଏହାର ସଠିକ୍ ଅନୁଧ୍ୟାନ କରି ବିହୀତ ପଦକ୍ଷେପ ନେବା ପାଇଁ ବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନର କର୍ମକର୍ତ୍ତା ଓ ଅଭିଭାବକମାନେ ଦୃଢ ଦାବି ଜଣାଇଛନ୍ତି।

Comments are closed.