ଚାଷୀ ସମସ୍ୟାର ସମାଧାନ ପାଇଁ ବିଜେପିର ଆନ୍ଦୋଳନ : ୧୩ରେ ୩ ଘଣ୍ଟିଆ ଚକା ବନ୍ଦ

ସମ୍ବଲପୁର : ଚାଷୀ ମାନଙ୍କ ସମସ୍ୟାସର ସମାଧାନ ପାଇଁ ବିଜେପି ପକ୍ଷରୁ ପୂର୍ବରୁ ବିଭିନ୍ନ ପ୍ରକାରର ଆନ୍ଦୋଳନ କରାଯାଇଥିବା ସତ୍ୱେ ଏ ପର୍ଯ୍ୟନ୍ତ ସେମାନଙ୍କର ସମସ୍ୟାର ସମାଧାନ କରାଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଏଣୁ ଆସନ୍ତା ୧୩ ତାରିଖରେ ଶନିବାର ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟିଆ ଚକା ଜାମ କରିବ ବିଜେପି। ଏ ସର୍ମ୍ପକରେ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ସ୍ଥାନୀୟ କଚେରୀ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ବିଜେପି ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ରେଙ୍ଗାଲି ବିଧାୟକ ତଥା ଦଳର ରାଜ୍ୟ ଉପ ସଭାପତି ନାଉରୀ ନାୟକ ଓ ସାଧାରଣ ସମ୍ପାଦକ ପୂର୍ବତନ ବିଧାୟକ ରବି ନାୟକ ଯୋଗ ଦେଇ କହିଥିଲେ ଯେ ଦଳ ପକ୍ଷରୁ ବାରମ୍ବାର ଚାଷୀ ମାନଙ୍କ ସମସ୍ୟା ପାଇଁ ଦାବି ସତ୍ୱେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି। ଚାଷୀ ମାନଙ୍କ ସମସ୍ୟାର ସମାଧାନ ଏବଂ ଶୁପ୍ତ ରାଜ୍ୟ ସରକାରଙ୍କୁ ଚେତାଇବା ପର୍ଯ୍ୟନ୍ତ ବିଜେପି ତାର ଲଢ଼େଇ ଜାରି ରଖିବ। ଏ ପର୍ଯ୍ୟନ୍ତ ୨୨ ହଜାରରୁ ଉର୍ଦ୍ଧ ଚାଷୀଙ୍କ ଟୋକନ ଅବଧି ହୋଇ ଯାଇଥିବା ବେଳେ ଏବେ ମଧ୍ୟ ପଶ୍ଚିମ ଓଡିଶା ବିଭିନ୍ନ ମଣ୍ଡି ମାନଙ୍କରେ ୧୬ ଲକ୍ଷ ଟନରୁ ଅଧିକ ଧାନ ଗଜା ହୋଇ ସାରିଛି। ମଣ୍ଡିର ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ କହିବା ସତ୍ୱେ ଏ ପର୍ଯ୍ୟନ୍ତ ବ୍ୟବସ୍ଥା ସୁଧିରୀ ନାହିଁ। ଏଣୁ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରୀ ବ୍ୟାପକ ହେବା ସହିତ ଚକାବନ୍ଦ ସମୟରେ ଯେଉଁ କ୍ଷତି ହେବ ସେଥି ପାଇଁ ସମ୍ପୁର୍ଣ୍ଣ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସାଧାରଣ ସମ୍ପାଦକ ରବି ନାୟକ କହିଛନ୍ତି।

ଏ ସର୍ମ୍ପକରେ ଉପ ସଭାପତି ନାଉରୀ ନାୟକ କହିଛନ୍ତି ଯେ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାରର ଆନ୍ଦୋଳନ ଓ ପ୍ରତିବାଦ ସତ୍ୱେ ଏ ପର୍ଯ୍ୟନ୍ତ ଚାଷୀ ସମସ୍ୟା ସମାଧାନ ହୋଇ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡୁଛି ପଶ୍ଚିମ ଓଡିଶାର ଚାଷୀ ମାନଙ୍କ ପାଇଁ କୌଣସି ଦରଦ ନ ଥିବାର ଜଣାପଡ଼ିଯାଇଛି। ଚାଷୀର ଟୋକନ ଲେପ୍ସ ହୋଇ ଯାଇଥିବା ବେଳେ ମଣ୍ଡିରେ ଧାନ ପଡ଼ି ରହିଥିବା ସତ୍ୱେ ତାର ବିକ୍ରି ପାଇଁ କୌଣସି ବ୍ୟବସ୍ଥା କରୁ ନାହାନ୍ତି। ଏଣୁ ଆସନ୍ତା ଶନିବାର ଦିନ ପଶ୍ଚିମ ଓଡିଶା ଅର୍ନ୍ତଗତ ୫ଟି ଲୋକସଭାର ୩୫ଟି ବିଧାନସଭା କ୍ଷେତ୍ର ସମେତ ବୌଦ୍ଧ ଜିଲାର ୨ଟି ବିଧାନସଭା କ୍ଷେତ୍ର ସମେତ ସମୁଦାୟ ୩୭ ବିଧାନସଭା କ୍ଷେତ୍ର ଅଞ୍ଚଳରେ ରହିଥିବା ସମସ୍ତ ଜାତୀୟ, ରାଜ୍ୟ ରାଜପଥ ଗୁଡିକୁ ୩ ଘଣ୍ଟା ପାଇଁ ଅବରୋଧ କରାଯିବ। ଏହି ସମୟରେ ଜରୁରୀ କାଳୀନ ସେବା, ବିବାହ କାର୍ଯ୍ୟ ଆଦି ପାଇଁ ଜନତାଙ୍କୁ ଯାତାୟାତ ପାଇଁ ଛଡା ଯିବ। ଆଗାମୀ ଦିନରେ ବିଧାନସଭାରେ ମଧ୍ୟ ବିଜେପିର ବିଧାୟକ ମାନେ ସରକାରଙ୍କୁ ଘେରିବେ ଏବଂ ଚାଷୀର ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ବିଜେପି ତାର ଲଢ଼େଇ ଜାରି ରଖିବ ବୋଲି ବିଧାୟକ ନାଉରୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଜିଲା ସଭାପତି ଗିରିଶ ପଟେଲ, ସୀମାଞ୍ଚଳ ଖଟେଇ, ରାମଚନ୍ଦ୍ର ମେହେର, ଦେବେନ୍ଦ୍ର ମହାପାତ୍ର ଓ ମାନସ ବକ୍ସୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ପ୍ରାୟ ୨ ମାସ ହେବ ବିଜେପି ଚାଷୀ ମାନଙ୍କ ଧାନ ବିକ୍ରି ଓ ଟୋକନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରଖିଛି। ଗତ ୨୧ ତାରିଖରେ ସମ୍ବଲପୁର ଠାରେ ପଶ୍ଚିମ ଓଡିଶାସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ, ରାଜସ୍ୱ କମିଶନର କାର୍ଯ୍ୟାଳୟ ଘେରାଓ ପରେ ଗିରଫ ହେବା ପରେ ପ୍ରାୟ ଗୋଟିଏ ଦିନ ଟାଉନ ଥାନାରେ ବିରୋଧି ଦଳ ନେତା, ସାଂସଦ, ବିଧାୟ. ରାଜ୍ୟ ବିଜେପି ସଭାପତି ଓ ଅନ୍ୟ ନେତା ମାନେ ଅଟକ ରହିଥିଲେ। ଏହାକୁ ନେଇ ହାଇଭୋଲଟେଜ ଡ୍ରାମା ପରେ ପ୍ରଶାସନ ସହିତ ବୈଠକ ପରେ ସରକାରକୁ କିଛି ଦିନର ମହଲତ ଦିଆଯାଇଥିଲା। ତେବେ ଚାଷୀ ସମସ୍ୟାର ସମାଧାନ ହୋଇ ନ ଥିବା ଅଭିଯୋଗରେ ଗତ ୨୯ ତାରିଖରେ ପଶ୍ଚିମ ଓଡିଶାର ସମସ୍ତ ଜିଲାପାଳ ଓ ଉପ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

 

Comments are closed.