ବିକାଶ ନାମରେ ସମ୍ବଲପୁରର ପ୍ରମୁଖ ମାର୍ଗ ଗୁଡିକ ବନ୍ଦ : ବିଭାଗୀୟ ମନମୁଖୀ କାର୍ଯ୍ୟକୁ ବିରୋଧ

ସମ୍ବେଦନହୀନ ଜନପ୍ରତିନିଧି ଓ ପ୍ରଶାସନ, ଅସହାୟ ଜନତା

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁରରେ ଏବେ ଅନେକ ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି। କିନ୍ତୁ ଜନପ୍ରତିନିଧି ଏବଂ ପ୍ରଶାସନିକ ସମ୍ବେଦନହୀନତା ଏବଂ ସ୍ଥାଣୁତା ଯୋଗୁଁ ବିକାଶ ମୂଳକ କାର୍ଯ୍ୟରେ ସଂପୃକ୍ତ ବିଭାଗ ମନମୁଖୀ ଓ ଠିକାଦାର ପୋଷା ନିତି ଅବଲମ୍ବନ କରି ଜନତାଙ୍କୁ ହଇରାଣ କରିବାର କୌଣସି ସୁଯୋଗ ଛାଡୁ ନାହାନ୍ତି। ଏହା ସହିତ ବିକାଶ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟ ଠାରୁ ଅନେକ ବିଳମ୍ବରେ ଚାଲୁଥିବା, ନିମ୍ନମାନର କାର୍ଯ୍ୟ, ମନମୁଖୀ କାର୍ଯ୍ୟ ଆଦି ଅନେକ ଅଭିଯୋଗ ହୋଇ ଆସୁଥିବା ବେଳେ, ଏଥି ପ୍ରତି କିନ୍ତୁ ଜନପ୍ରତିନିଧି ମାନେ କିମ୍ବା ଜିଲା ପ୍ରଶାସନ କେହି ଧ୍ୟାନ ଦେଉ ନାହାନ୍ତି। ଫଳରେ ସହରବାସୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବୃଦ୍ଧି ପାଉଛି।

ସମ୍ବଲପୁରରେ ଗମନାଗମନର ସୁବିଧା ଏବଂ ଟ୍ରାଫିକ ସମସ୍ୟାର ନିରାକରଣ ନାମରେ ବିଗତ ୭ ବର୍ଷ ହେବ କେନ୍ଦ୍ରସ୍ଥଳିରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ତାହା କେବେ ଶେଷ ହେବ କେହି କହିବାରେ ଏ ପର୍ଯ୍ୟନ୍ତ ଅସମର୍ଥ। ନିର୍ମାଣ ଆରମ୍ଭରୁ ବିନା ସର୍ଭିସ ରୋଡରେ କାର୍ଯ୍ୟ ଏ ପର୍ଯ୍ୟନ୍ତ ଜାରି ରହିଛି। ଏହା ସହିତ ଏ ପର୍ଯ୍ୟନ୍ତ ବ୍ରିଜର ଉଭୟ ପାର୍ଶ୍ବରୁ ପ୍ରବେଶ ଦ୍ୱାର ଗୁଡିକରେ ଜମି ଅଧିଗ୍ରହଣ କରାଯାଇ ନାହିଁ । ବ୍ରିଜ ନିର୍ମାଣର ଗୁଣବତ୍ତା ଓ ଶୀଘ୍ର ତ୍ୱରାନ୍ୱିତ ପାଇଁ ଜନତା ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କାହାରି କାନକୁ ଏ ପର୍ଯ୍ୟନ୍ତ ଶୁଣାଯାଇ ନାହିଁ।

ଏଭଳି ମନମୁଖୀ କାର୍ଯ୍ୟ ପ୍ରାୟତଃ ସମସ୍ତ ବିକାଶ ମୂଳକ କାର୍ଯ୍ୟ ଗୁଡିକରେ ଚାଲୁଥିବା ବେଳେ ଏବେ ସହରର ଦୁଇଟି ପ୍ରମୁଖ ରାସ୍ତା ମୋଦିପଡ଼ା ଛକରୁ କୁଞ୍ଜେଲପଡ଼ା ଏବଂ ମୋଦିପଡ଼ା ଛକରୁ କ୍ଷେତରାଜପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଗୁଡିକୁ ପୂର୍ତ୍ତ ବିଭାଗ ଯୋଜନା ବିହୀନ ଭାବରେ ବ୍ରିଜ ନିର୍ମାଣ ଆଳରେ ପୂର୍ତ୍ତ ବିଭାଗ ବନ୍ଦ କରି ଦେଇଛି। ବିଗତ ଦୁଇ ବର୍ଷରୁ ଉର୍ଦ୍ଧ ସମୟରେ ହେବ ଧୋବିଜୋର ନାଳ ଉପରେ ଉଭୟ ରାସ୍ତା ପାଇଁ ରହିଥିବା ପୁରୁଣା ବ୍ରିଜ ଗୁଡିକ ଜରାଜିର୍ଣ୍ଣ ହୋଇ ପଡ଼ିଥିବାରୁ ଟେଣ୍ଡର ହୋଇ ପଡ଼ି ରହିଥିଲା। ତେବେ ମୋଦିପଡ଼ା ଛକରୁ କୁଞ୍ଜେଲପଡ଼ା ପର୍ଯ୍ୟନ୍ତ ଯାଉଥିବା ରାସ୍ତାରେ ବ୍ରିଜ ନିର୍ମାଣ ସକାଶେ ବିନା ସର୍ଭିସ ରୋଡରେ ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରି ଦିଆଯାଇ ପ୍ରାୟ ଏକ ମାସ ହେବ କାର୍ଯ୍ୟ ଚାଲିଛି। ସହରର ପୁୁରୁଣା ବସ୍ତି ଅଞ୍ଚଳକୁ ଯାତାୟାତ ପାଇଁ ଏହା ପ୍ରମୁଖ ମାର୍ଗ ହୋଇଥିବାରୁ ଏହାକୁ ନେଇ ପ୍ରବଳ ଜନଅସନ୍ତୋଷ  ରହିଛି। ଏହି ଦୁର୍ଦ୍ଦଶାର ଅନ୍ତ ହୋଇ ନ ଥିବା ବେଳେ ବୋଝ ଉପରେ ନଳିତା ବିଡା ସଦୃଶ ପୁର୍ନବାର ମନମୁଖୀ କାର୍ଯ୍ୟ କରି ପୂର୍ତ୍ତ ବିଭାଗ ଫାର୍ମ ରୋଡରେ ରହିଥିବା ବ୍ରିଜକୁ ମଧ୍ୟ ସେହିଭଳି ସମ୍ପୁର୍ଣ୍ଣ ବନ୍ଦ କରି ବିନା ସର୍ଭିସ ରୋଡରେ କାର୍ଯ୍ୟ ଆରମ୍ଭ କରିଛି। ଫଳରେ ମୋଦିପଡ଼ା, ଫାର୍ମ ରୋଡ, ବଡବଜାର, କମଳି ବଜାର, କ୍ଷେତରାଜପୁର, ଦୁର୍ଗାପାଲି, ଚେରୁଆପଡ଼ା, ହାଉସିଂ ବୋର୍ଡ କଲୋନୀ ଆଦି ବିଭିନ୍ନ ଅଞ୍ଚଳରେ ରହିଥିବା ଶତାଧିକ ପଡ଼ାର ଲକ୍ଷାଧିକ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ କରୋନାର ସଂକ୍ରମଣରେ ଆଶାତୀତ ବୃଦ୍ଧି ଓ ଗ୍ରୀଷ୍ମର ପ୍ରଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ମାନ ଘଟୁଥିବା ବେଳେ ପ୍ରଶାସନର ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଅଞ୍ଚଳକୁ ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ, ଦମକଳ ଗାଡି ଆଦି ମଧ୍ୟ ଯାତାୟାତ କରି ପାରୁ ନାହିଁ। ଫଳରେ କୌଣସି ସମୟରେ ମଧ୍ୟ ବଡ ଅଘଟଣର ଆଶଙ୍କା ସବୁ ସମୟରେ ଲାଗି ରହିଛି।

ସାଧାରଣତଃ ନିୟମାନୁଯାୟୀ ପ୍ରଥମେ ସର୍ଭିସ ରୋଡ ନିର୍ମାଣ କରି ଜନତାଙ୍କ ଗମନାଗମନର ସୁବିଧା ପରେ ଯାଇ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଉଚିତ। କିନ୍ତୁ ସମ୍ବଲପୁର ଠାରେ ଜନପ୍ରତିନିଧି ଏବଂ ଜିଲା ପ୍ରଶାସନ ନିଦାବିଷ୍ଣ ସାଜି ସବୁକୁ ଆଖିବୁଜି ଦେଇଥିବାରୁ ଏଭଳି ଅବସ୍ଥା ଉପୁଜୁଛି। ଗୁଣାତ୍ମକ ବ୍ରିଜ ନିର୍ମାଣ ସହିତ ତୁରନ୍ତ ଶେଷ କରିବା ଏବଂ ଡାଇଭର୍ଶନ ରାସ୍ତା କରାଯାଇ ଅତି କମରେ ଆମ୍ବୁଲାନ୍ସ, ଦମକଳ ଗାଡି ଏବଂ ହାଲୁକା ଯାନ ଯାତାୟାତ ପାଇଁ ବ୍ୟବସ୍ଥା କରିବା ପାଇଁ ପୁର୍ବରୁ ସମ୍ବଲପୁର ନାଗରିକ କଲ୍ୟାଣ ସମିତି ଦାବି କରିଥିବା ବେଳେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଏ ସର୍ମ୍ପକରେ ପୂର୍ତ୍ତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତକାର କରିଥିଲା। ମଞ୍ଚର କର୍ମକର୍ତ୍ତା ମାନେ ସାକ୍ଷାତକାର ସମୟରେ ତୁରନ୍ତ ଏହି ନିର୍ମାଣାଧିନ ବ୍ରିଜ ଗୁଡିକ ନିକଟରେ ବିକଳ୍ପ ରାସ୍ତା ପ୍ରଦାନ ସହିତ ଉଭୟ ପାର୍ଶ୍ବରେ ବେସରକାରୀ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇ ଟ୍ରାଫିକ ବ୍ୟବସ୍ଥାକୁ ସୁଚାର ରୂପେ ପରିଚାଳନା କରିବା ପାଇଁ ଦାବି କରିଥିଲେ। ସାକ୍ଷାତକାର ସମୟରେ ମଞ୍ଚର ଉପଦେଷ୍ଟା ତଥା ଜିଲା ଓକିଲ ସଂଘର ସଭାପତି ଡ. ପ୍ରମୋଦ ରଥ, ଆବାହକ ଭବାନୀ ଶଙ୍କର ଭୋଇ, ମାନସ ରଞ୍ଜନ ବକ୍ସୀ, ଦେବାଶିଷ ବେହେରା, ରାହୁଲ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

 

Comments are closed.