କପିଳେଶ୍ବର ମନ୍ଦିରରେ ତାଲା : ଉପବାସରେ ଦିଅଁ

-ମଲିଆଙ୍କ ଅସହଯୋଗରୁ ଅଚଳାବସ୍ଥା: ମନ୍ଦିର ପ୍ରଶାସନ, -ପାଳିଆ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ: କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ବର : ଖୋଲିଲାନି କପିଳେଶ୍ବର ମନ୍ଦିର ତାଲା। ତୁଟିଲାନି ମଲିଆ ଖୁଣ୍ଟିଆ ସେବାୟତଙ୍କ ବିବାଦ। ଦୀର୍ଘ ୬ବର୍ଷର ବିବାଦ ସମାଧାନ କରିବାକୁ ଯାଇ ମନ୍ଦିର ପ୍ରଶାସନକୁ ନିରାଶ ହେବାକୁ ପଡ଼ିଛି। ମନ୍ଦିର ଫାଟକରୁ ତାଲା ଖୋଲିନଥିଲା କି ଦିଅଁଙ୍କ ସେବାପୂଜା ହୋଇନଥିଲା। ଦିନସାରା ପ୍ରଭୁ କପିଳନାଥଙ୍କୁ ଖାଡ଼ା ଉପବାସ ରହିବାକୁ ପଡ଼ିଥିଲା। ଏଭଳି ଦୃଶ୍ୟ ଏକାମ୍ରକ୍ଷେତ୍ରର କପିଳେଶ୍ବରସ୍ଥିତ ପ୍ରଭୁ କପିଳନାଥଙ୍କ ମନ୍ଦିରରେ ଦେଖିବାକୁ ମିଳିଥିଲା। ମନ୍ଦିର ବାହାରେ ଉଭୟ ନିଯୋଗର ସେବାୟତ ବସି ରହିଥିଲେ। ମନ୍ଦିର ଓ ପୁଲିସ ପ୍ରଶାସନ ମଧ୍ୟ ଜଗି ରହିଥିଲେ।
ଶୁକ୍ରବାର ମଲିଆ ସେବାୟତ ନିଯୋଗଙ୍କ ସ୍ବର ହଠାତ୍‌ ବଦଳି ଯାଇଥିଲା। ପାଳିଆ ସେବାୟତ ଅସୁସ୍ଥତା ଦର୍ଶାଇ କାର୍ଯ୍ୟରେ ଯୋଗ ଦେଇନଥିଲେ। ଏପରିକି ତାଙ୍କ ବଦଳରେ ମନ୍ଦିର ପ୍ରଶାସନ ଅନ୍ୟ ସେବାୟତ ଯୋଗାଇବାକୁ ନିଯୋଗ ସଭାପତି ତଥା ସମ୍ପାଦକଙ୍କୁ କହିଥିଲେ ମଧ୍ୟ ନିଯୋଗ ତରଫରୁ ମନ୍ଦିର ପ୍ରଶାସନକୁ ଅସହଯୋଗ କରାଯାଇଥିଲା। ଯାହାଫଳରେ ଦିନ ସାରା ମନ୍ଦିର ତାଲା ଖୋଲି ପାରିନଥିଲା। ମନ୍ଦିର, ଜିଲା ପ୍ରଶାସନ, ତିନିଜଣିଆ ତଦାରଖ କମିଟି ଓ ଦେବୋତ୍ତର କମିସନର ମଲିଆ ସେବାୟତଙ୍କ ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପୂର୍ବରୁ ଶ୍ରୀଲିଙ୍ଗରାଜ ସେବାୟତ ଅନେକ ଥର ଦିଅଁଙ୍କ ନୀତି ବନ୍ଦ କରି ଉପବାସ ରଖିଥିବା ନଜିର ରହିଥିବା ବେଳେ ଏବେ କପିଳେଶ୍ବର ମନ୍ଦିରରେ ଅନୁରୂପ ପରିସ୍ଥିତି ଉପୁଜୁଛି।
ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦେଶକୁ ଶୁକ୍ରବାର ପାଳନ କରାଯାଇଥାନ୍ତା। ଦେବୋତ୍ତର କମିସନର ଜିଲା ପ୍ରଶାସନକୁ ଏନେଇ ନିର୍ଦେଶ ଦେଇଥିଲେ। ଖୋର୍ଦ୍ଧା ଜିଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସନତ କୁମାର ମହାନ୍ତି ମଲିଆ ଖୁଣ୍ଟିଆ ସେବାୟତଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ଉଭୟ ସେବାୟତ ହାଇକୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ସେବାପୂଜା କରିବାକୁ ସହମତି ପ୍ରକାଶ କରିଥିଲେ। ଜିଲାପାଳଙ୍କ ନିର୍ଦେଶକ୍ରମେ ମନ୍ଦିର ପ୍ରଶାସନ ଶୁକ୍ରବାର ଉଭୟ ସେବାୟତଙ୍କୁ ନେଇ ଦିଅଁଙ୍କ ସେବାପୂଜା ଲାଗି ସମସ୍ତ ପ୍ରସ୍ତୁତି ଚଳାଇଥିଲା। ଭୋର୍‌ ସାଢ଼େ ୫ଟାରେ ମନ୍ଦିର ପହଡ଼ ଖୋଲିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା। ଏଥିପାଇଁ ମନ୍ଦିର ପ୍ରଶାସନ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଶ୍ରୀଲିଙ୍ଗରାଜ ଥାନାଧିକାରୀଙ୍କ ନେତୃତ୍ବରେ ୧ ପ୍ଲାଟୁନ ଫୋର୍ସ ମୁତୟନ କରିଥିଲେ। ଉଭୟ ସେବାୟତ ନିଯୋଗଙ୍କ ସେବାପୂଜା ତଦାରଖ କରିବା ପାଇଁ ଜିଲାପାଳ ତିନି ଜଣିଆ ତଦାରଖ କମିଟି ଗଠନ କରିଥିଲେ। କମିଟି ଭୋର୍‌ରୁ ମନ୍ଦିର ନିକଟରେ ପହଞ୍ଚିଯାଇଥିଲେ। ଭୋର୍‌ ୫ଟାରେ ଖୁଣ୍ଟିଆ ସେବାୟତ ତାଙ୍କ ନୀତି କରିବାକୁ ମନ୍ଦିରରେ ଉପସ୍ଥିତ ଥିଲେ। କିନ୍ତୁ ମଲିଆ ସେବାୟତ ମନ୍ଦିରକୁ ଯାଇନଥିଲେ। ମନ୍ଦିର ଯୋଗାଡ଼ିଆ ଫାଟକରେ ଚାବି ଝୁଲାଇ ଚାଲିଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ତଦାରଖ କମିଟି ସଙ୍ଗେ ସଙ୍ଗେ ମଲିଆ ସେବାୟତ ନିଯୋଗର ସଭାପତି ତଥା ସମ୍ପାଦକଙ୍କ ସହ ଆଲୋଚନା କରି ପାଳିଆ ସେବାୟତଙ୍କ ବଦଳରେ ଅନ୍ୟ ଜଣେ ସେବାୟତ ଯୋଗାଇ ଦେବାକୁ କହିଥିଲେ। ମଲିଆ ନିଯୋଗ ତରଫରୁ ମନ୍ଦିର ପ୍ରଶାସନକୁ ଅସହଯୋଗ କରିବାରୁ ମନ୍ଦିର ପହଡ଼ ସନ୍ଧ୍ୟା ସୁଦ୍ଧା ଖୋଲିପାରିନଥିଲା। ପ୍ରଭୁ କପିଳନାଥଙ୍କ ସେବାନୀତିରେ ଅଚଳାବସ୍ଥା ଜାରି ହୋଇଥିଲା। ଶେଷରେ ତଦାରଖ କମିଟି ସମସ୍ତ ବିଷୟ ଉପରେ ବିଚାର ବିମର୍ଶ କରିବା ପରେ ମନ୍ଦିର ପ୍ରଶାସନକୁ ଅଚଳାବସ୍ଥା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଦେବବ୍ରତ ସାହୁ କପିଳେଶ୍ବର ମନ୍ଦିର ବନ୍ଦ ଏବଂ ମଲିଆ ସେବାୟତଙ୍କ ଅସହଯୋଗ ସମ୍ପର୍କରେ ଦେବୋତ୍ତର କମିସନର ଚିତ୍ତରଞ୍ଜନ ମହାପାତ୍ର ଓ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ଜିଲାପାଳ ସନତ କୁମାର ମହାନ୍ତିଙ୍କୁ ଲିଖିତ ଭାବେ ଜଣାଇଥିଲେ। ହେଲେ ରିପୋର୍ଟ ହସ୍ତଗତ ହେବା ପର୍ଯ୍ୟନ୍ତ ଜିଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।

ଦେବୋତ୍ତର କମିସନର ଚିତ୍ତରଞ୍ଜନ ମହାପାତ୍ର କହିଛନ୍ତି, ଟ୍ରଷ୍ଟବୋର୍ଡ ସଭାପତି ଆଇନ ଉଲ୍ଲଘଂନକାରୀଙ୍କ ବିରୋଧରେ ୩୨ ଧାରାରେ ପଦକ୍ଷେପ ନେଇପାରିବା କ୍ଷମତା ରହିଛି। କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଅଦ୍ୟାବଧି ସ୍ପଷ୍ଟ କରିନାହାନ୍ତି। ମନ୍ଦିର ଟ୍ରଷ୍ଟବୋର୍ଡର ସଦସ୍ୟ ତଥା ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି, ମଲିଆ ସେବାୟତଙ୍କ ଅସହଯୋଗ ଯୋଗୁଁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ଧର୍ମୀୟ ଭାବନା କ୍ଷୁଣ୍ଣ କରିବା ଓ ହାଇକୋର୍ଟଙ୍କ ନିର୍ଦେଶ ଅବମାନନା ଅଭିଯୋଗରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଥାନାରେ ଏତଲା ଦେବାକୁ କହାଯାଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଦେବବ୍ରତ ସାହୁ କହିଛନ୍ତି, ମଲିଆ ନିଯୋଗର ପାଳିଆ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ପରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଲିଆ ସେବାୟତ ନିଯୋଗ ସମ୍ପାଦକ ଚନ୍ଦ୍ରଭାନୁ ମହାପାତ୍ର କହିଛନ୍ତି, ହାଇକୋର୍ଟଙ୍କ ନିର୍ଦେଶକୁ ନିଯୋଗ ତରଫରୁ ସମ୍ମାନ ଜଣାଇ ସଭାପତି ଓ ସମ୍ପାଦକ ଭୋର୍‌ ସମୟରେ ମନ୍ଦିରରେ ଉପସ୍ଥିତ ଥିଲେ।
ପାଳିଆ ସେବାୟତ ଅସୁସ୍ଥତା ଦର୍ଶାଇ ମନ୍ଦିର ଆସିନଥିଲେ। ଏଥିପାଇଁ ମନ୍ଦିର ପ୍ରଶାସନ ତଦାରଖ କରି ତାଙ୍କ ବଦଳରେ ଆଉଜଣେ ସେବାୟତଙ୍କୁ ନିଯୁକ୍ତି କରିବା କଥା କିନ୍ତୁ ତାହା ମନ୍ଦିର ପ୍ରଶାସନ କରିନଥିବାରୁ ଏଭଳି ଅଚଳାବସ୍ଥା ଜାରି ହୋଇଥିବା ସେ କହିଛନ୍ତି।
ଉପବାସରେ ସେବାୟତ
କପିଳେଶ୍ବର ମନ୍ଦିର ତାଲା ଖୋଲିନଥିବାରୁ ମଲିଆ ସେବାୟତଙ୍କ ୩୫୦ ଘରେ ଆଜି ଚୁଲି ଜଳିନି। ଅଧିକାଂଶ ସେବାୟତ ଉପବାସ ରହିଛନ୍ତି। ଦିଅଁଙ୍କ ଖାଇବା ପରେ ଅନ୍ନ ଗ୍ରହଣ କରିବେ ବୋଲି କହିଛନ୍ତି। ଦିନସାରା ମନ୍ଦିର ତାଲା ଝୁଲିଥିବାରୁ ସେମାନଙ୍କ ପେଟକୁ ଦାନା ଯାଇନି ବୋଲି ନିଯୋଗ ସମ୍ପାଦକ କହିଛନ୍ତି। ସେହିପରି ଖୁଣ୍ଟିଆ ସେବାୟତ ୬ବର୍ଷ ପରେ ଦିଅଁଙ୍କ ସେବା ଲାଗି ସୁଯୋଗ ମିଳିଥିବାରୁ ଉତ୍ସାହର ସହ ମନ୍ଦିରକୁ ଯାଇଥିଲେ। ଏଭଳି ଅଚଳାବସ୍ଥା ଯୋଗୁଁ ମନ୍ଦିର ନିକଟରେ ଉପବାସ ରହି ଅପେକ୍ଷା କରିଥିବା ବିରଞ୍ଚି ଖୁଣ୍ଟିଆ କହିଛନ୍ତି।

ହାଣ୍ଡିଭଙ୍ଗା ଯାତ୍ରା ନେଇ ଅନିଶ୍ଚିତତା
ଶୃଙ୍ଖଳିତ ହେଲାନି କପିଳେଶ୍ବରଙ୍କ ନୀତିକାନ୍ତି। ଖୁଣ୍ଟିଆ ସେବାୟତ ସେବାପୂଜା କରିବାରୁ ବଞ୍ଚିତ ହୋଇଛନ୍ତି। ମନ୍ଦିରରେ ତାଲା ପଡି ଅଚଳାବସ୍ଥା ଜାରି ହୋଇଛି। ଶ୍ରୀଜୀଉ ଉପବାସରେ ରହିଛନ୍ତି। ଦୀର୍ଘ ୬ବର୍ଷ ପରେ ଆସନ୍ତାକାଲି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେବା ନେଇ ଆଶା କରାଯାଉଥିଲା ା ମାତ୍ର ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ ଏବେ ଯାତ୍ରାକୁ ନେଇ ଆଶଙ୍କାରେ ରହିଛନ୍ତି।
ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ କହିଛନ୍ତି, କପିଳେଶ୍ବର ସେବାୟତଙ୍କ ବିବାଦର ସମାଧାନ ଉପରେ ଆସନ୍ତାକାଲି ଯାତ୍ରା ହେବ କି ନାହିଁ ତାହା ନିର୍ଭର କରୁଛି ା ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି ଏତେଦିନ ପରେ ହାଣ୍ଡିଭଙ୍ଗା ଯାତ୍ରା ହେବାକୁ ଯାଉଥିବାରୁ ସମସ୍ତ ନିଯୋଗ ଉଲ୍ଲସିତ ଥିଲେ। ମାତ୍ର ସ୍ଥିତି ନସୁଧୁରିଲେ ଏହି ଯାତ୍ରା ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।

Comments are closed.