ଲୋଧୀ ଇଷ୍ଟେଟ ସରକାରୀ ବାସଭବନ ଖାଲି କଲେ ପ୍ରିୟଙ୍କା

ଧାର୍ଯ୍ୟ ସମୟ ସୀମା ପୂରଣ ହେବା ଆଗରୁ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଖାଲି କରିଦେଇଛନ୍ତି। ୧୯୯୭ରୁ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀ ସ୍ଥିତ  ଲୋଧି ଇଷ୍ଟେଟ ବଙ୍ଗଳାରେ ରହୁଥିଲେ। ଜୁଲାଇ ୧ରେ କେନ୍ଦ୍ର ସରକାର ତାଙ୍କୁ ଅଗଷ୍ଟ ୧ ସୁଦ୍ଧା ଘର ଖାଲି କରିବାକୁ ନୋଟିସ ଦେଇଥିଲେ।ତେବେ ଆଜି ପ୍ରିୟଙ୍କା ଗାନ୍ଧି ନିଜର ସରକାରୀ ବାସଭବନ ଖାଲି କରିଦେଇଛନ୍ତି।

ଜୁଲାଇ ୧ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରିୟଙ୍କାକୁ ଅଗଷ୍ଟ ୧ ମଧ୍ୟରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୧୯୯୭ରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ଥ୍ରୀ-ରୁମ ଟାଇପ୍ ଭିଆଇ ବଙ୍ଗଳାରେ ରହୁଥିଲେ। ହେଲେ ପ୍ରିୟଙ୍କା ଠାରୁ କେନ୍ଦ୍ର ସରକାର ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନେବାରୁ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନିର୍ଦ୍ଦେଶ ମିଳିଥିଲା।
୨୦୧୯ ନଭେମ୍ବର ମାସରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସରକାର ଯୋଗାଇ ଦେଉଥିବା ଏସପିଜି ସୁରକ୍ଷା ବଳୟକୁ ପ୍ରତ୍ୟାହାର କରି ନେଇଥିଲେ। ଏହା ବଦଳରେ ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଛି। ନିୟମ ଅନୁସାରେ ଦେଶରେ ଯେଉଁମାନଙ୍କୁ ଏସପିଜି ସୁରକ୍ଷା ମିଳିବ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ରହିବା ପାଇଁ ବଙ୍ଗଳା ମଧ୍ୟ ମିଳିବ।

ଏବେ ପ୍ରିୟଙ୍କା ଗୁରୁଗାଓଁରେ କିଛି ଦିନ ରହିବେ। କିନ୍ତୁ ତାଙ୍କ ସାମଗ୍ରୀ ୧୦ ଜନପଥରେ ସୋନିଆଙ୍କ ବାସଭବନକୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀରେ ଭଡ଼ା ନିଆଯାଇଥିବା ଘରର ମରାମତି ଚାଲିଛି ଏବଂ ଏହାର କାର୍ଯ୍ୟ ସରିଲେ ସୋନିଆଙ୍କ ବାସଭବନରୁ ପ୍ରିୟଙ୍କା ସାମଗ୍ରୀ ଅଣାଯିବ ।

Comments are closed.