ଯଶସ୍ବୀ ପ୍ରିୟଙ୍କା : ଲକ୍ଷ୍ୟଥିଲା ଶିକ୍ଷାଦାନ କରି ଉତ୍ତମ ଛାତ୍ରଛାତ୍ରୀ ଗଢ଼ିବା

ଦିଗପହଣ୍ଡି (ଗଜାନନ ତ୍ରିପାଠୀ) :  ଆଶା ରଖିଥିଲେ ନିଷ୍ଠାର ସହ ବିଦ୍ୟାଳୟରେ ଶିକ୍ଷାଦାନ କରି ଉତ୍ତମ ଛାତ୍ରଛାତ୍ରୀ ଗଢ଼ିବା ସହ ପରିବାରର ଯଶ ରଖିଥା’ନ୍ତେ। ବିଧିର ବିଧାନ କିନ୍ତୁ ଥିଲା ଅଲଗା। ସ୍ବପ୍ନବିଭୋର ଯାତ୍ରାପଥରେ ଅଚାନକ ମାଡ଼ିଆସିଲା ବିପର୍ଯ୍ୟୟ। ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଦୀର୍ଘଦିନ ଧରି ମୃତ୍ୟୁ ସହ ଲଢ଼େଇ କଲେ; ଶେଷରେ ଆଖି ବୁଜିଲେ। କିନ୍ତୁ ମୃତ୍ୟୁ ପୂର୍ବରୁ ତାଙ୍କ ଅବଚେତନ ମନ ପରିବାର ସଦସ୍ୟଙ୍କୁ ଏମିତି ଏକ ନିଷ୍ପତ୍ତି ନେବାକୁ ପ୍ରେରିତ କରିଥିଲା, ଯାହାକି ତାଙ୍କୁ ଆଜି ଅମର କରିଦେଲା। ତାଙ୍କୁ ଅକାଳରେ ନେଇଯାଇ କାଳ ସିନା ଜିତିଗଲା; ସେ କିନ୍ତୁ ଏମିତି କାମ କରିଗଲେ ଯେଉଁଥିପାଇଁ ସେ ହୋଇଗଲେ କାଳଜୟୀ ଆଉ ଯଶସ୍ବୀ। ଏମିତି ଜଣେ ବିରଳ ଯଶର ଅଧିକାରିଣୀ ହୋଇଛନ୍ତି ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସିର ରାଣୀସାହି ନିବାସୀ ପ୍ରିୟଙ୍କା ଓରଫ୍‌ ଶ୍ରୀମତୀ ପି. ନମିତା ରାଜୁ। ପ୍ରିୟଙ୍କାଙ୍କ ଅବର୍ତ୍ତମାନରେ ତାଙ୍କ ପ୍ରଦତ୍ତ ଦୁଇ କିଡ୍‌ନୀ(ମୃତ୍ୟୁ ପର)ରେ ନୂଆ ଜୀବନ ପାଇଛନ୍ତି ଦୁଇ ରୋଗୀ, ଆଉ ଏହାପରେ ଏହି ଦୁଇ ରୋଗୀଙ୍କ ସମେତ ସେମାନଙ୍କ ସଂପର୍କୀୟ ଏବଂ ସର୍ବୋପରି ସମଗ୍ର ଓଡ଼ିଶାବାସୀଙ୍କ ଶୁଭ ଆଶିଷ ପୁଷ୍ପାର୍ଘ୍ୟସମ ଅଜାଡ଼ି ହୋଇପଡ଼ିଛି ପ୍ରିୟକାଙ୍କ ଅମର ଆତ୍ମା ଉପରେ।

ବୋହୂ ପ୍ରିୟକାଙ୍କ ଅଙ୍ଗକୁ ପ୍ରତିରୋପଣ ଜରିଆରେ ଆଉ ଦୁଇଟି ଜୀବନ ବଞ୍ଚାଇପାରିବା ଭଳି ଏକ ମହତ କାମ କରି ସମଗ୍ର ରାଜ୍ୟ ପାଇଁ ସଚେତନତାର ବାର୍ତ୍ତାବହ ସାଜିଛନ୍ତି ଦିଗପହଣ୍ଡିର ଭି. ଧର୍ମା ରାଜୁଙ୍କ ପରିବାର। ଦିଗପହଣ୍ଡି ଏନ୍‌ଏସିର ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ରାଣୀସାହିନିବାସୀ ତଥା ରକ୍ତଦାନରେ ସମର୍ପିତ ରାଜୁ ପରିବାର ନିଜ ମଝିଆ ବୋହୂର ମୃତ୍ୟୁ ପରେ ଶରୀରର ଦୁଇଟି ଯାକ କିଡ୍‌ନୀ, ଆଖି ଏବଂ ଆବଶ୍ୟକ ହେଉଥିବା ଅଙ୍ଗଦାନ ପାଇଁ ସମ୍ମତି ପ୍ରକାଶ କରି ସମଗ୍ର ଓଡ଼ିଶାରେ ଏକ ସ୍ବତନ୍ତ୍ର ସଚେତନତାର ବାର୍ତ୍ତା ଦେଇ ଜୀବନକୁ ସାର୍ଥକ କରିପାରିଛନ୍ତି ଏହି ପରିବାର।

ଦୁର୍ଘଟଣାଜନିତ ମୃତ୍ୟୁ ପରେ ଅଙ୍ଗଦାନ କରାଯାଇଥିବା ଶ୍ରୀମତୀ ପି. ନମିତା ଓରଫ ପ୍ରିୟଙ୍କା ଭି.ଧର୍ମା ରାଜୁଙ୍କ ମଧ୍ୟମ ପୁତ୍ର ସମୀର ରାଜୁଙ୍କୁ ୯ ବର୍ଷ ତଳେ ଅର୍ଥାତ୍ ୨୦୧୨ ମସିହା ଡିସେମ୍ବର ୭ ତାରିଖରେ ବିବାହ କରିଥିଲେ। ଅଙ୍ଗଦାତ୍ରୀ ପ୍ରିୟଙ୍କା ଜଣେ ଉଚ୍ଚ ଶିକ୍ଷିତା। ସେ ବିଏସି ବିଏଡ୍‌ ଶିକ୍ଷା ସମାପ୍ତ କରିବା ପରେ ଶିକ୍ଷୟିତ୍ରୀ ହେବାକୁ ଇଚ୍ଛୁକ ଥିଲେ; ହେଲେ ତାଙ୍କ ଇଚ୍ଛା ଅପୂରଣ ରହିଗଲା ବୋଲି କୋହଭରା କଣ୍ଠରେ କହିଛନ୍ତି ସ୍ବାମୀ ଭି.ସମୀର ରାଜୁ। ଭି.ଧର୍ମା ରାଜୁ ଦିଗପହଣ୍ଡି ଏନ୍‌ଏସିର ଦୁଇ ଦୁଇଥର କାଉନ୍‌ସିଲର। ଜଣେ ଦଲିଲ୍‌ ଲେଖକ(ମୋହରିର) ଭାବେ ଦିଗପହଣ୍ଡି, ପାଟପୁର, ଶେରଗଡ଼, ଚିକିଟି ପାତ୍ରପୁର, ମୋହନା, ହିଞ୍ଜିଳି, ଧରାକୋଟ ଭଳି ପରିବ୍ୟାପ୍ତ ଅଞ୍ଚଳରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ରକ୍ତଦାନରେ ସମର୍ପିତ ଧର୍ମା ରାଜୁ ଏଥିପାଇଁ ଜିଲା ପ୍ରଶାସନଠାରୁ ସମ୍ମାନିତ। ଦିଗପହଣ୍ଡିରେ ଗଢ଼ି ଉଠିଥିବା ଖେମୁଣ୍ଡି ରକ୍ତଦାତା ସଂଘର ସଂପ୍ରତି ସେ ସଭାପତି ଅଛନ୍ତି। ସେ ଦିଗପହଣ୍ଡିରେ ବିଭିନ୍ନ ଅନୁଷ୍ଠାନ ସହ ମନପ୍ରାଣ ଦେଇ ସହଯୋଗ କରିଥା’ନ୍ତି। ବୟସ ୬୦ ଡେଇଁଲାଣି; ତଥାପି ରକ୍ତଦାନ ଭଳି ଏକ ମହତ କାମରୁ ସେ ଅବସର ନେଇନାହାନ୍ତି। ଗାଁ ଗାଁରେ ଲୋକଙ୍କୁ ରକ୍ତଦାନ ପାଇଁ ସଚେତନ କରାଇ ଆସୁଛନ୍ତି। ତାଙ୍କ ଧର୍ମପତ୍ନୀ ଭି. ଭାରତୀ ରାଜୁ ମଧ୍ୟ କୌଣସି ଗୁଣରେ କମ୍‌ ନୁହନ୍ତି। ନିଜେ ଅନେକ ଥର ରକ୍ତଦାନ କରି ସ୍ବାମୀ ଧର୍ମା ରାଜୁଙ୍କୁ ପ୍ରେରଣା ଯୋଗାଇ ଆସୁଥିବା ଶ୍ରୀମତୀ ଭି. ଭାରତୀ ମଧ୍ୟ ଦିଗପହଣ୍ଡି ଏନ୍‌ଏସିର ପୂର୍ବତନ କାଉନସିଲର। ବହୁ ମହିଳା ଅନୁଷ୍ଠାନ ସହ ସେ ଜଡ଼ିତ ଅଛନ୍ତି।

ଭି. ଧର୍ମା ରାଜୁଙ୍କ ବାପା ସ୍ବର୍ଗତ ଭି. ବାଲାଜୀ ରାଜୁଙ୍କର ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଥିଲା। ସେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ଭତ୍ତା ପାଉଥିଲେ। ସଂଗ୍ରାମୀ ବାଲାଜୀ ରାଜୁଙ୍କ ଉଦ୍ୟମରେ ଦିଗପହଣ୍ଡିରେ ଅନେକ ଅନୁଷ୍ଠାନ ଗଢ଼ି ଉଠିଛି। ସଂଗ୍ରାମୀ ବାଲାଜୀଙ୍କ ଧର୍ମପତ୍ନୀ ସ୍ବର୍ଗୀୟା ଭି. ମହାଲକ୍ଷ୍ମୀ ରାଜୁଙ୍କର ମଧ୍ୟ ସମାଜକୁ ଅନେକ ଅବଦାନ ରହିଛି। ମୃତ୍ୟୁ ପରେ ତାଙ୍କ ଦୁଇ ଚକ୍ଷୁରେ ଦୁଇଜଣ ଦୃଷ୍ଟିହୀନ ଦୁନିଆକୁ ଦେଖିବାର ସୁଯୋଗ ପାଇଛନ୍ତି।

Comments are closed.