ପ୍ରିୟଙ୍କାଙ୍କ ସୁରକ୍ଷାରେ ତ୍ରୁଟି ହୋଇନି: ସିଆରପିଏଫ୍‌

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ହୋଇ ନ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ପକ୍ଷରୁ ସଫେଇ ଦିଆଯାଇଛି। ଡିସେମ୍ବର ୨୮ରେ ପ୍ରିୟଙ୍କା ଉତ୍ତରପ୍ରଦେଶ ଲକ୍ଷ୍ନୌ ଗସ୍ତ ସମୟରେ ପୁଲିସ ତାଙ୍କୁ ଅଟକାଇବା ସହ ଠେଲାପେଲା କରିଥିବା ଅଭିଯୋଗ କରିଥିଲେ। ଏପରିକି ଜଣେ ମହିଳା ପୁଲିସ ତାଙ୍କ ବେକକୁ ଜାବୁଡି ଧରିଥିବା ପ୍ରିୟଙ୍କା ଅଭିଯୋଗ କରିଥିଲେ। ପ୍ରିୟଙ୍କାଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ସିଆରପିଏଫ୍ ଅଧିକାରୀଙ୍କୁ ସମନ ପୂର୍ବକ ରିପୋର୍ଟ ତଲବ କରାଯାଇଥିଲା। ସିଆରପିଏ କହିଛି ଯେ ଡିସେମ୍ବର ୨୮ରେ ପ୍ରିୟଙ୍କାଙ୍କ ଗସ୍ତ କେବଳ ଲକ୍ଷ୍ନୌସ୍ଥିତ ଦଳୀୟ କାର୍ଯ୍ୟାଳୟ ପାଇଁ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଆଗୁଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦଳୀୟ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ କେଉଁ ସ୍ଥାନକୁ ପ୍ରିୟଙ୍କା ଗସ୍ତ କରିବାର ଥିଲା ତାହା ସ୍ଥାନୀୟ ପୁଲିସକୁ ଅବଗତ କରାଯାଇ ନ ଥିଲା। ପୁଲିସକୁ ସୂଚନା ନ ଦେଇ ପ୍ରିୟଙ୍କା ଲକ୍ଷ୍ନୌର ବିଭିନ୍ନ ସ୍ଥାନକୁ ଗସ୍ତ କରି ସୁରକ୍ଷା ନିୟମ ଭଙ୍ଗ କରିଥିଲେ। ପ୍ରଥମତଃ ପ୍ରିୟଙ୍କା ଗସ୍ତ ସମ୍ପର୍କରେ ସୂଚନା ଦେଇ ନଥିଲେ। ଦ୍ବିତୀୟରେ ଯାତ୍ରା ସମୟରେ ବୁଲେଟପ୍ରୁଫ୍‌ ଗାଡି ବ୍ୟବହାର କରି ନ ଥିଲେ। ତୃତୀୟରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ସାଥିରେ ନ ନେଇ ଯାତ୍ରା କରିଥିଲେ।

Comments are closed.