ଲୋକସଭା ନିର୍ବାଚନ ପରାଜୟର ସମୀକ୍ଷା କରିବେ ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍ଗା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରେ ଦଳକୁ ଲୋକସଭା ନିର୍ବାଚନରେ ମିଳିଥିବା ବଡ଼ ପରାଜୟର ସମୀକ୍ଷା କରିବେ ବୋଲି ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି।
ସୂଚନା ଅନୁସାରେ ପ୍ରିୟଙ୍କା ଜୁନ ୭ ସନ୍ଧ୍ୟାରେ ଦୁଇ ଦିନିଆ ଗସ୍ତରେ ଯାଇ ପ୍ରୟାଗରାଜରେ ପହଞ୍ଚିବେ ଓ ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିବେ। ସେ ୮ରେ ଲୋକସଭା ନିର୍ବାଚନରେ ପରାଜୟ ଲାଭ କରିଥିବା ପୂର୍ବାଞ୍ଚଳର ୪୦ ପ୍ରାର୍ଥୀଙ୍କ ସହ ଏକ ସମୀକ୍ଷା ବୈଠକ କରିବେ। ଏହି ସମୀକ୍ଷା ପରେ କଂଗ୍ରେସ ଦଳରେ ବଡ଼ ଧରଣର ଅଦଳବଦଳ ହେବ ବୋଲି କୁହାଯାଉଛି।
ପ୍ରକାଶ ଯେ ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ କଂଗ୍ରେସ କେବଳ ଗୋଟିଏ ଆସନରେ ବିଜୟୀ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପାରମ୍ପରିକ ଅମେଠି ଲୋକସଭା ଆସନରୁ ହାରି ଯାଇଛନ୍ତି। ଏଠାରେ ବିଜେପି ୬୨, ଏସପି-ବିଏସପି ମେଣ୍ଟ ୧୫ଟି ଆସନରେ ବିଜୟୀ ହୋଇଛନ୍ତି।
ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍ଗା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶର ପୂର୍ବାଞ୍ଚଳର ରାଜ୍ୟର ଦାୟିତ୍ୱ ଦେଇଥିଲେ। ଏହି ଗସ୍ତରେ ପ୍ରିୟଙ୍କା ସମସ୍ତ ଜିଲା କଂଗ୍ରେସର ସଭାପତିଙ୍କୁ ଭେଟି ପରାଜୟର କାରଣ ପଚାରି ବୁଝିବେ ବୋଲି କୁହାଯାଉଛି।

Comments are closed.