ମୋଦୀଙ୍କ ସହ ଲଢ଼ିପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ : ରାଜୀବ ତନୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୁଇ ମାସ ପୂର୍ବେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେଲାବେଳେ ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା। କଂଗ୍ରେସ ପର୍ଯ୍ୟାୟକ୍ରମେ ପ୍ରାର୍ଥିତାଲିକା ପ୍ରକାଶ କଲାବେଳେ ପ୍ରିୟଙ୍କାଙ୍କ ନାମକୁ ଏଥିରେ ଅନ୍ତର୍ଭୁକ୍ତ କରି ନ ଥିଲା। କଂଗ୍ରେସ ସମର୍ଥକ ତାଙ୍କ ପ୍ରାର୍ଥିତ୍ବ ନେଇ ଦ୍ବନ୍ଦ୍ବରେ ଥିବାବେଳେ ମା’ ସୋନିଆ ଓ ଭାଇ ରାହୁଲ ପରିବାରର ଦୁଇ ଗଡ଼ ଭାବେ ପରିଚିତ ରାଏ ବରେଲି ଓ ଆମେଥିରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହା ପରେ ପ୍ରିୟଙ୍କାଙ୍କ ପ୍ରାର୍ଥିତ୍ବ ଅଧିକ ଅସ୍ପଷ୍ଟ ହେବାରେ ଲାଗିଲା। ଅନେକ ବିଶ୍ବାସ କରୁଥିଲେ ଯେ ପ୍ରିୟଙ୍କା ଏଥର ପ୍ରାର୍ଥୀ ନ ହୋଇ କେବଳ ଦଳ ପାଇଁ ପ୍ରଚାର କରିବେ; କିନ୍ତୁ ଶନିବାର ଏହି ପ୍ରହେଳିକା ଉପରୁ ସାମାନ୍ୟ ପରଦା ହଟିଛି। ପ୍ରିୟଙ୍କା ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ଉତ୍ତରପ୍ରଦେଶର ଉତ୍ତରାଞ୍ଚଳ ପ୍ରଭାରୀ ପ୍ରିୟଙ୍କା ସିଧାସଳଖ ମୋଦୀଙ୍କ ବିପକ୍ଷରେ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ପ୍ରିୟଙ୍କାଙ୍କ ଏହି ତଥାକଥିତ ଇଚ୍ଛା ଯଦି କାର୍ଯ୍ୟକାରୀ ହୁଏ; ତେବେ ଚଳିତ ଲୋକସଭା ନିର୍ବାଚନରେ ବାରାଣସୀ ହେବ ସବୁଠୁ ଚର୍ଚ୍ଚିତ ମଇଦାନ। ପୁନଶ୍ଚ,
ଏହା ଯଦି ସମ୍ଭବ ହୁଏ; ତେବେ ସର୍ବପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ଜଣେ ସିଧାସଳଖ ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀଙ୍କ ସହିତ, ତାଙ୍କ ନିର୍ବାଚନ ମଣ୍ଡଳୀରୁ ହିଁ ଲଢ଼େଇରେ ଅବତୀର୍ଣ୍ଣ ହେବେ। ଉଲ୍ଲେଖଯୋଗ୍ୟ ଯେ ପ୍ରିୟଙ୍କାଙ୍କୁ ଗତ ମାର୍ଚ୍ଚରେ ଯେତେବେଳେ ରାଏ ବରେଲି କିମ୍ବା ଆମେଥି, କେଉଁଠାରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଦଳର କର୍ମୀମାନେ ପଚାରିଥିଲେ; ସେତେବେଳେ ସେ ହାଲ୍‌କା ଉତ୍ତର ଦେଇଥିଲେ ‘ବାରାଣସିରୁ କାହିଁକି ନୁହେଁ?’ ଦଳ ଯେଉଁଠୁ ଚାହିଁବ ସେ ଲଢ଼ିବେ ବୋଲି ସେତେବେଳେ ସେ ସ୍ପଷ୍ଟ କରିଥିଲେ।
ସୂଚନାନୁଯାୟୀ, ପ୍ରିୟଙ୍କା ଏ ନେଇ ଗୁରୁତର ସହିତ ଚିନ୍ତା କରୁଛନ୍ତି। ଦଳ​‌େ​‌ର ଥିବା ତାଙ୍କ ଶୁଭେଚ୍ଛୁମାନେ କହୁଛନ୍ତି ଯେ ପ୍ରିୟଙ୍କା ଯଦି ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହୁଅନ୍ତି; ତେବେ ଏହା କେବଳ ବାରାଣସୀ ନୁହେଁ; ଅନ୍ୟଠି ମଧ୍ୟ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବ। ପ୍ରିୟଙ୍କାଙ୍କ ପ୍ରତିଦ୍ବନ୍ଦ୍ବିତା ପ୍ରତୀକାତ୍ମକ ହେଲେ ମଧ୍ୟ ଦଳ ପାଇଁ ଏହା ବେଶ୍‌ ଖୋରାକ୍‌ ଯୋଗାଇବ; ତେବେ ଏହା ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେ​‌େ​‌ବ ବୋଲି ଜଣାପଡ଼ିଛି।
ତେବେ ଏହାର ପ୍ରସ୍ତୁତି ସ୍ବରୂପ ପ୍ରିୟଙ୍କା ନିକଟରେ ପ୍ରୟାଗରାଜଠାରୁ ବାରାଣସୀ ପର୍ଯ୍ୟନ୍ତ ୧୪୦କିମି ତିନି ଦିନିଆ ‘ଗଙ୍ଗା ଯାତ୍ରା’ ଶେଷ କରିଛନ୍ତି। ‘ସାଞ୍ଚି ବାତ୍‌, ପ୍ରିୟଙ୍କା କେ ସାଥ୍‌’ ମାଧ୍ୟମରେ ସେ ଜନତାଙ୍କ ସହିତ ଭାବ ବିନିମୟ କରିଥିଲେ। ମୋଦୀ ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ବି ଗାଁ ପରିଦର୍ଶନ କରି ନଥିବା ନେଇ ସେ ସମାଲୋଚନା କରିଥିଲେ। ମୋଦୀ ବାରାଣସୀ ଆସିଲେ କେବଳ କିଛି ସଭାରେ ଭାଷଣ ଦେଇ ଫେରିଯାଆନ୍ତି ବୋଲି ଲୋକେ ତାଙ୍କୁ କହିଥିବା ପ୍ରିୟଙ୍କା କହିଥିଲେ।
ବାରାଣସୀ ହେଉଛି ବିଜେପିର ଏକ ଗଡ଼। ଏଠାରେ କେବଳ ୨୦୦୪କୁ ବାଦ୍‌ ଦେଇ ୧୯୯୧ରୁ କ୍ରମାଗତ ଭାବେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଆସୁଛନ୍ତି। ୨୦୧୪ରେ ମୋଦୀ ଏଠାରୁ ୩ଲକ୍ଷ ୭୧ହଜାର ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରିଥିଲାବେଳେ ତାଙ୍କୁ ମିଳିଥିଲା ୫ ଲକ୍ଷ ୮୧ ହଜାର ଭୋଟ୍‌। ଦ୍ବିତୀୟ ସ୍ଥାନରେ ଥିଲେ ଆମ୍‌ ଆଦ୍‌ମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ। ତାଙ୍କୁ ୨ ଲକ୍ଷ ୯ ହଜାର ଭୋଟ୍‌ ମିଳିଥିଲା​‌େ​‌ବଳେ କଂଗ୍ରେସର ଅଜୟ ରାଏ ୭୫ହଜାର ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏଭଳି ସ୍ଥିତିରେ ବିରୋଧୀ ଦଳ ମିଳିତ ଭାବେ ମୋଦୀଙ୍କ ବିରୋଧରେ ଲଢ଼ିଲେ ଜିତିବା ଅସମ୍ଭବ ମନେ ହୁଏ; କିନ୍ତୁ ପ୍ରିୟଙ୍କା ପ୍ରାର୍ଥୀ ହେଲେ ପରିସ୍ଥିତି ଭିନ୍ନ ହେବ ବୋଲି ଆକଳନ କରାଯାଉଛି। ବାରାଣସୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲପୁର ଓ ପ୍ରୟାଗରାଜ ଏକଦା କଂଗ୍ରେସର ଗଡ଼ ଥିଲା; ଏବେ ମଧ୍ୟ ଏଠାରେ ଦଳର ବହୁ ସମର୍ଥକ ଅଛନ୍ତି; ଯାହା ଦଳ ପାଇଁ ପୁଞ୍ଜି ବୋଲି କୁହାଯାଉଛି। ଚଳିତ ନିର୍ବାଚନରେ ବାରାଣସୀରୁ ଭୀମ୍‌ ଆର୍ମି ମୁଖ୍ୟ ତଥା ଦଳିତ ନେତା ଚନ୍ଦ୍ରଶେଖର ଆଜାଦ, ବିବାଦୀୟ ଅବସରପ୍ରାପ୍ତ ବିଚାରପତି ସି.ଏସ୍‌ କର୍ଣ୍ଣନ୍‌, ୧୧୧ ତାମିଲନାଡୁ କୃଷକଙ୍କ ସହିତ ପ୍ରାୟ ୧୨୧ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ରାହୁଲ ଗାନ୍ଧୀଙ୍କୁ ଆମେଥି ସହିତ କେରଳର ବୟାନାଡ଼ରୁ ପ୍ରାର୍ଥୀ କରି କଂଗ୍ରେସ ରାଜନୈତିକ ପଣ୍ଡିତମାନଙ୍କୁ ବିସ୍ମିତ କରିଛି। ନିର୍ବାଚନର ଠିକ୍‌ ପୂର୍ବରୁ ପ୍ରିୟଙ୍କାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣି କଂଗ୍ରେସ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଗୋଟି ଚଳାଇଥିଲା। ଏବେ ପ୍ରିୟଙ୍କା ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହେଲେ ଆଉ ଏକ ଚମକ୍‌ପ୍ରଦ ରାଜନୈତିକ ଗୋଟିଚାଳନା ହେବ।

Comments are closed.