ସ୍କୁଟରରେ ଗଲେ ପ୍ରିୟଙ୍କା : ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ

କଂଗ୍ରେସର ୧୩୫ତମ ଜନ୍ମଦିନ

ନୂଆଦିଲ୍ଲୀ/ଲକ୍ଷ୍ନୌ : କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ ଶନିବାର ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ରାଜ୍ୟରେ ପାଳିତ ହୋଇଛି। ଦଳ ପକ୍ଷରୁ ଏହାକୁ ‘ସମ୍ବିଧାନ ବଞ୍ଚାଅ-ଭାରତ ବଞ୍ଚାଅ’ ଦିବସ ଭାବେ ପାଳନ କରିବା ସହ ଦେଶବ୍ୟାପୀ ପତାକା ଶୋଭାଯାତ୍ରା ଆୟୋଜନ କରିଛି। ଏହି ଅବସରରେ ପ୍ରତି ପ୍ରଦେଶ ସଭାପତିମାନେ ପତାକା ଉତ୍ତୋଳନ କରିବା ସହ ନିଜ ମାତୃଭାଷାରେ ସମ୍ବିଧାନର ମୁଖବନ୍ଧ ପାଠ କରିଛନ୍ତି। ସିଏଏ ଓ ଏନ୍‌ଆରସି ବିରୋଧରେ ମଧ୍ୟ ସେମାନେ ସଚେତନତା ସୃଷ୍ଟି କରିଛନ୍ତି।
କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷ୍ନୌଠାରେ ଜନ୍ମ ଦିନ ଉତ୍ସବରେ ଯୋଗଦେଇଥିଲେ। ସୁରକ୍ଷା ବ୍ୟବସ୍ଥା ଭଙ୍ଗ ପୂର୍ବକ ଜଣେ କର୍ମୀ ମଞ୍ଚ ଉପରକୁ ଚଢ଼ିଯିବା ସହ ତାଙ୍କ ନିକଟରେ ପହଞ୍ଚିବା ଉଦ୍ୟମ କରିଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଧରି ନେଉଥିବାବେଳେ ପ୍ରିୟଙ୍କା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ଦେଇଥିଲେ ଓ ତାଙ୍କ ସହିତ ହାତ ମିଳାଇଥିଲେ। ଏହି ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରିୟଙ୍କା କହିଥିଲେ ଯେ ଦେଶ ସମ୍ପ୍ରତି ଆଦର୍ଶବାଦର ଲଢ଼େଇ ଲଢ଼ୁଛି। ବର୍ତ୍ତମାନର କେନ୍ଦ୍ର ସରକାର ଦେଶବାସୀଙ୍କ ସହ ବ୍ରିଟିଶ ଶାସକଙ୍କ ଭଳି ବ୍ୟବହାର କରୁଛନ୍ତି। ସରକାର ଲୋକଙ୍କ ସ୍ବର ଚପାଇଦେବା ଉଦ୍ୟମ କରୁଛି। ସବୁଆଡ଼େ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟିହୋଇଛି। ସମ୍ବିଧାନ ସମ୍ପ୍ରତି ବିପଦରେ ପଡ଼ିଛି। ଏହା ବିରୋଧରେ କଂଗ୍ରେସ କର୍ମୀମାନେ ସ୍ବର ଉତ୍ତୋଳନ ନ କଲେ ଲୋକେ ଭୀରୁ ବୋଲି ଆକ୍ଷେପ କରିବା ନେଇ ପ୍ରିୟଙ୍କା ଚେତାଇ ଦେଇଥିଲେ।
ଅପରପକ୍ଷରେ ପ୍ରିୟଙ୍କା ସିଏଏ ବିରୋଧୀ ବିକ୍ଷୋଭରେ ସାମିଲ ହୋଇ ଜେଲ୍‌ରେ ଥିବା ସାମାଜିକ କର୍ମୀ ତଥା ଅଭିନେତ୍ରୀ ସଦଫ ଜାଫରଙ୍କ ଘରକୁ ଯିବାବେଳେ ପୁଲିସ ତାଙ୍କୁ ରାସ୍ତାରେ ଅଟକାଇବା ସହ ଫେରାଇ ଦେଇଥିଲା। ଜାଫର ଗତ ୧୯ରୁ ଜେଲ୍‌ରେ ଅଛନ୍ତି। ପରେ ପ୍ରିୟଙ୍କା ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଏସ୍‌ଆର ଦାରାପୁରୀଙ୍କ ଘରକୁ ଯାଇଥିଲେ। କର୍କଟ ରୋଗାକ୍ରାନ୍ତ ୭୬ ବର୍ଷୀୟ ଦାରାପୁରୀଙ୍କୁ ପୁଲିସ ଗିରଫ କରିଥିଲା ଓ ସେ ଜେଲ୍‌ରେ ଅଛନ୍ତି। ପୁଲିସ ତାଙ୍କ ଗାଡ଼ି ଯିବା ପାଇଁ ଅନୁମତି ନ ଦେବାରୁ ପ୍ରିୟଙ୍କା ଏକ ସ୍କୁଟର ପଛରେ ବସି ଇନ୍ଦିରା ନଗର ପର୍ଯ୍ୟନ୍ତ ଯାଇଥିଲେ। ଏହି ଅବସର​ରେ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। କଂଗ୍ରେସ ପକ୍ଷରୁ ଏହାକୁ ପୁଲିସର ଗୁଣ୍ଡାଗିରି ବୋଲି ଦର୍ଶାଯାଇଛି।
ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆସାମର ଗୁଆହାଟୀଠାରେ ଏକ ବିରାଟ ଜନସମାବେଶକୁ ଉଦ୍‌ବୋଧନ ଦେଇ ବିଜେପି ତଥା କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ଆସାମ ରାଜିନାମା ଦ୍ବାରା ରାଜ୍ୟରେ ଶାନ୍ତି ବିରାଜମାନ କରିଥିଲା; କିନ୍ତୁ କେନ୍ଦ୍ର ଓ ରାଜ୍ୟରେ ଶାସନ କରୁଥିବା ବିଜେପି ସରକାର ଏହାକୁ ଧ୍ବଂସ କରିଛନ୍ତି। ଆରଏସ୍‌ଏସ୍‌ ପରିଚାଳିତ ଶାସନ ଦ୍ବାରା ରାଜ୍ୟର ସଂସ୍କୃତି ଓ ପରମ୍ପରା ଧ୍ବଂସ ହୋଇଛି। ଏନ୍‌ଆରସି ଓ ସିଏଏ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ। ଲୋକେ ଏହାକୁ ବିରୋଧ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।

Comments are closed.