ରାଜସ୍ଥାନରୁ ରାଜ୍ୟସଭାକୁ ଯିବେ ପ୍ରିୟଙ୍କା !

ଜୟପୁର : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟସଭାକୁ ଯିବେ ? କିଛି ଦିନ ଏନେଇ ନାନା ପ୍ରକାର ଆଲୋଚନା ଚାଲିଛି। ତେବେ ତାଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଯିବା ନେଇ ରାଜ୍ୟ ପ୍ରଭାରୀ ଅବିନାଶ ପାଣ୍ଡେ କହିଛନ୍ତି। ରାଜସ୍ଥାନର ସମସ୍ତ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ପ୍ରିୟଙ୍କାଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ କହିଛନ୍ତି ପ୍ରିୟଙ୍କା ଜୀ (ପ୍ରିୟଙ୍କା ଗାନ୍ଧୀ ଭଦ୍ରା) ହେଉଛନ୍ତି ଦଳର ଜଣେ ସର୍ବମାନ୍ୟ ନେତା। ଏଥର ରାଜସ୍ଥାନରୁ ୨ଟି ରାଜ୍ୟସଭା ଆସନ ଖାଲି ପଡୁଛି। ତେଣୁ ଦଳର ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତା ତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଅବିନାଶ ପାଣ୍ଡେ କହିଛନ୍ତି ଯେ, ସବୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଚାହୁଁଛନ୍ତି ଯେ, ପ୍ରିିୟଙ୍କା ଜୀ ରାଜ୍ୟସଭାକୁ ଯାଆନ୍ତୁ। ରାଜ୍ୟସଭାର ୫୧ ସଦସ୍ୟ ପଦ ଖାଲି ପଡୁଥିବା ବେଳେ ଏଥିପାଇଁ ଅପ୍ରେଲ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଏହି ପରିସ୍ଥିତିରେ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ଦଳରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
ଅନ୍ୟ ପକ୍ଷରେ ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇବା ପାଇଁ କିଛି ନେତା ପ୍ରସ୍ତାବ ଦେଇଛନ୍ତି। ତେବେ ବିଧିବଦ୍ଧ ଭାବେ ଦଳ ପକ୍ଷରୁ ଏ ନେଇ କିଛି ନିଷ୍ପତ୍ତି ନିଆଯାଇ ନାହିଁ।

Comments are closed.