ପ୍ରିୟଙ୍କାଙ୍କ ଦାଦାଙ୍କୁ ଛୁରୀ ଦେଖାଇ ଲୁଟିଲେ ଦୁର୍ବୃତ୍ତ; ଟ୍ୱିଟ୍ କରି ଏପରି କହିଲେ ଭଉଣୀ ମୀରା

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦାଦା ତଥା ମୀରା ଚୋପ୍ରାଙ୍କ ପିତାଙ୍କଠାରୁ ଛୁରୀ ଦେଖାଇ ଲୁଟ୍ କରିଛନ୍ତି କିଛି ଦୁର୍ବୃତ୍ତ। ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ଏହି ସୂଚନା ଦେଇଛନ୍ତି ମୀରା। ଏହାସହିତ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।
ମୀରା ଟ୍ୱିଟରରେ ଦିଲ୍ଲୀ ପୁଲିସ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ମୋ ବାପା କଲୋନୀରେ ବୁଲୁଥିବା ବେଳେ ହଠାତ ଦୁଇଜଣ ଯୁବକ ସ୍କୁଟରରେ ଆସି ତାଙ୍କୁ ଛୁରୀ ଦେଖାଇ ତାଙ୍କଠାରୁ ଫୋନ୍ ଛଡ଼ାଇ ନେଲେ । କଣ ଏହା ହେଉଛି ସୁରକ୍ଷିତ ଦିଲ୍ଲୀ ?’ ଏହାପରେ ସେ ଏକ ଟ୍ୱିଟରେ ଏଫଆଇଆର ନମ୍ବର ମଧ୍ୟ ଶେୟାର କରିଛନ୍ତି ।
ପରେ ତୁରନ୍ତ ପଦକ୍ଷେପ ନେଇଥିବାରୁ ମୀରା ଡିସିପିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆଉ ଏକ ଟ୍ୱିଟରେ ଲେଖିଛନ୍ତି, ‘ଏପରି ଶୀଘ୍ର କାର୍ୟ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ । ଯେତେବେଳେ ଆମେ ଆମର ପୁଲିସ ବିଭାଗ ଦ୍ୱାରା ସୁରକ୍ଷିତ ଅନୁଭବ କରୁ ସେତେବେଳେ ଆମେ ଗର୍ବିତ ଅନୁଭବ କରୁ। କେବଳ ଚୋରି କଥା ନୁହେଁ ଆମେ ବୟସ୍କମାନଙ୍କୁ ସୁରକ୍ଷା ଦେବା ମଧ୍ୟ ଜରୁରୀ ! ଦିଲ୍ଲୀ ପୁଲିସଙ୍କୁ ସମ୍ମାନ’।
ସୂଚନାଯୋଗ୍ୟ, ୨୦୧୪ରେ ମୀରା ‘ଗ୍ୟାଙ୍ଗ ଅଫ୍ ଘୋଷ୍ଟ’ ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପାଦ ଥାପିଥିଲେ। ପରେ ତାଙ୍କୁ ‘୧୯୨୦ ଲଣ୍ଡନ’ ଏବଂ ‘ସେକ୍ସନ୍ ୩୭୫’ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।