ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଭ୍ରୃକ୍ଷେପ ନାହିଁ, ଫି ଆଦାୟ ପାଇଁ ବେସରକାରୀ ସ୍କୁଲର ଅଭିଭାବକଙ୍କୁ ଚାପ

ସମ୍ବଲପୁର: ଏବେ ଦେଶ କରୋନା ପାଇଁ ଲକ ଡାଉନ ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କରୋନା ପାଇଁ ସମସ୍ତଙ୍କୁ ନିଜର ସାମର୍ଥ୍ୟ ମତେ ପରସ୍ପରକୁ ସହଯୋଗ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି। କରୋନା ସଙ୍କଟ ଯୋଗୁଁ ଲକ ଡାଉନ ପାଇଁ ସମସ୍ତ ବ୍ୟବସ୍ଥା ଠପ ହୋଇଯାଇଛି। ଯାହା ଫଳରେ ଲୋକେ ବ୍ୟାପକ ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ଏଣୁ ଏପ୍ରିଲ ମାସରେ ସମ୍ବଲପୁରର ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ ଲକ ଡାଉନ ମାର୍ଚ୍ଚରୁ ଜୁନ ମାସ ଅଥବା ସ୍କୁଲ ଆରମ୍ଭ ନ ହେବା ପର୍ଯ୍ୟନ୍ତ ବେସରକାରୀ ସ୍କୁଲ ମାନଙ୍କୁ ଫିସ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି। ଏହା ମାମଲାର ଶୁଣାଣିରେ ମାନ୍ୟବର ହାଇକୋର୍ଟ ଓଡିଶା ସରକାରଙ୍କୁ ନୋଟିସ ଜାରି କରି ଓଡିଶା ସରକାରଙ୍କୁ ପକ୍ଷ ରଖିବା ପାଇଁ କହିଛନ୍ତି। ଆଇନଜୀବୀ ଅନସାରୀଙ୍କ ଜନସ୍ୱାର୍ଥ ମାମଲା ପରେ ସ୍କୁଲ ଫିସ ଛାଡ, ବେସରକାରୀ ସ୍କୁଲ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା, ବିଜୁଳି ମାଫ ଇତ୍ୟାଦି ବିଷୟକୁ ନେଇ ଆହୁରୀ ଜନସ୍ୱାର୍ଥ ମାମଲା ଗୁଡିକ ହାଇକୋର୍ଟରେ ଦାଖଲ କରାଯିବାରୁ ମାନ୍ୟବର ହାଇକୋର୍ଟ ସମସ୍ତ ମାମଲା ଗୁଡିକୁ ଏକତ୍ରିତ କରି ଏକା ସାଙ୍ଗରେ ଶୁଣାଣି ଜାରି ରଖିଛନ୍ତି। ଏହି ମାମଲାରେ ଗତ ୨୬ ତାରିଖରେ ଶୁଣାଣି ପରେ ଆଗାମୀ ୧୧ ତାରିଖରେ ଶୁଣାଣି ହେବ ବୋଲି ହାଇକୋର୍ଟ ତାରିଖ ସ୍ଥିର କରିଛନ୍ତି। ଯାହା ଫଳରେ ସ୍କୁଲ ଫିସ ଛାଡକୁ ନେଇ ଏବେ ମଧ୍ୟ ସ୍ଥିତି ଅସ୍ପଷ୍ଟ ରହିଛି।

ଏବେ ଲକ ଡାଉନ ସମୟରେ ଫିସ ଆଦାୟକୁ ନେଇ ମାମଲା ହାଇକୋର୍ଟରେ ଥିବା ବେଳେ କିନ୍ତୁ ବେସରକାରୀ ସ୍କୁଲ ମାନେ ବିଭିନ୍ନ ଉପାୟରେ ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ଫିସ ଆଦାୟ କରିବାରେ ଜୁଟି ଯାଇଛନ୍ତି। ଏଣୁ ଅଭିଭାବକ ମାନେ କିଂବିମୁଢ଼ କର୍ତ୍ତବ୍ୟ ହୋଇ ବସି ରହିଛନ୍ତି। ଗୋଟିଏ ପଟରେ ଛୁଆର ପାଠପଢ଼ା ବ୍ୟାଘ୍ରାତ ସହିତ ଭବିଷ୍ୟତ ଚିନ୍ତା ଲାଗି ରହିଥିବା ବେଳେ ଅନଲାଇନ ମାଧ୍ୟମରେ ଯେଭଳି ପାଠ୍ୟକ୍ରମ ଆଗେଇବା କଥା ତାହା ହୋଇ ପାରୁ ନାହିଁ। ଅନ୍ୟ ପଟରେ ଆର୍ଥିକ ବୋଝ ଦିନକୁ ଦିନ ବ ଢ଼ି ଚାଲିଥିବା ବେଳେ ବେସରକାରୀ ସ୍କୁଲ ମାନଙ୍କର ଫିସ ଆଦାୟ ନୋଟିସ ସେମାନଙ୍କୁ ହରଡ ଘଣାରେ ପକାଇଦେଇଛି। ସ୍କୁଲ କତ୍ତୃପକ୍ଷ ମାନେ ମୋବାଇଲ ମେସେଜ, ହ୍ୱାଟସଅଫ ମେସେଜ ଇତ୍ୟାଦି ଡିଜିଟାଲ ମାଧ୍ୟମରେ ଅଭିଭାବକ ମାନଙ୍କୁ ସ୍କୁଲ ଫିସ ପଇଠ କରିବା ପାଇଁ ନୋଟିସ ଜାରି କରୁଛନ୍ତି। ଏହା ସହିତ ନୋଟିସ ମେସେଜରେ ସ୍କୁଲ କତ୍ତୃପକ୍ଷଙ୍କ ବ୍ୟାଙ୍କ ଆକାଉନ୍ଟ ନଂ ଥିବା ଆଳରେ କାହାରିକୁ କିଛି ନ ଜଣାଇବା ପାଇଁ ମଧ୍ୟ ଉଲ୍ଲେଖ୍ୟ କରୁଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ସ୍କୁଲ ମାନେ ମାନ୍ୟବର ହାଇକୋର୍ଟଙ୍କ ଫଇସଲା ପୁର୍ବରୁ ଯେ କୌଣସି ମତେ ଟଙ୍କା ଆଦାୟ କରିବା ପାଇଁ ଚାହୁଁଛନ୍ତି। ସାଧାରଣତଃ କୋର୍ଟରେ କୌଣିସ ମାମଲା ଅଥବା ଜନସ୍ୱାର୍ଥ ମାମଲା ଚାଲୁ ରହିଥିଲେ ସେହି ସର୍ମ୍ପକିତ କୌଣସି ପଦକ୍ଷେପ ନିଆଯାଇ ନ ଥାଏ। ତେବେ ଏହି ମାମଲାରେ ସାରା ଓଡିଶାରୁ ୫ରୁ ଉର୍ଦ୍ଧ ଜନସ୍ୱାର୍ଥ ମାମଲା ରୁଜୁ ହେବା, ଓଡିଶା ସରକାରଙ୍କ ସହିତ ୧୦ ରୁ ଉର୍ଦ୍ଧ ପାର୍ଟି ରହିଥିବା ବେଳେ ବେସରକାରୀ ସ୍କୁଲ କତ୍ତୃପକ୍ଷ ମାନେ କିନ୍ତୁ ସମସ୍ତ ବିଷୟକୁ ଖୋଲାଖୋଲି ଉଲ୍ଲଂଘନ କରି ସେମାନଙ୍କର ସ୍ୱାର୍ଥ ସାଧାନରେ ଲାଗି ପଡିଛନ୍ତି। ଅଭିଭାବକ ମାନଙ୍କର ଛୁଆ ମାନଙ୍କ ପ୍ରତି ରହିଥିବା ଦୁର୍ବଳତାର ସୁଯୋଗକୁ ସ୍କୁଲ କତ୍ତୃପକ୍ଷ ମାନେ ଅସ୍ତ୍ର ରୁପେ ବ୍ୟବହାର କରି ଫିସ ଆଦାୟ ପାଇଁ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି। ବିଗତ ଦିନରେ ସାରା ରାଜ୍ୟରେ ଓଡିଶା ଅଭିଭାବକ ସଂଘ ସମେତ ଅନ୍ୟାନ୍ୟ ଅଭିଭାବକ ସଂଘ ମାନେ ‘ନୋ ସ୍କୁଲ ନୋ ଫିସ’ କ୍ୟାମ୍ପେନ ଚଳାଇ ବେସରକାରୀ ସ୍କୁଲ ମାନଙ୍କର ଜୋରଜବରଦସ୍ତ ଫିସ ଆଦାୟକୁ ବିରୋଧ କରି ସ୍କୁଲ ମାନଙ୍କ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ସ୍କୁଲ ମାନଙ୍କ ବାରମ୍ବାର ଅଭିଭାବକ ମାନଙ୍କୁ ନୋଟିସ ଦେଇ ଫିସ ଦାଖଲ କରିବା ପାଇଁ ଚାପ ସୃଷ୍ଟି କରିବାରୁ ସ୍ପଷ୍ଟ ଜଣାପଡୁଛି ଯେ ସେମାନେ ନା ମାନ୍ୟବର ହାଇକୋର୍ଟକୁ ଖାତିର କରୁଛନ୍ତି ନାହିଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଭ୍ରୃକ୍ଷେପ କରୁ ନାହାନ୍ତି। ଦିଲ୍ଲୀ, ଉତ୍ତରପ୍ରଦେଶ, ଝାରଖଣ୍ଡ ଆଦି ରାଜ୍ୟ ସରକାର ମାନେ ଫିସ ଛାଡ ପାଇଁ ନିର୍ଦ୍ଦେଶ ଦେଇ ସାରିଥିବା ବେଳେ ବାରମ୍ବାର ଅଭିଭାବକ ମାନଙ୍କ ଦ୍ୱାରା ଦାବୀ ସତ୍ୱେ ସରକାର କେବଳ ଅପିଲ କରି ଚୁପ ରହିଯିବା ଦ୍ୱାରା ସ୍କୁଲ କତ୍ତୃପକ୍ଷ ମାନେ ତାର ଫାଇଦା ଉଠାଉଥିବାର ଅଭିଯୋଗ କରୁଛନ୍ତି। ସ୍କୁଲ କତ୍ତୃପକ୍ଷ କେବଳ ଫିସ ମାମଲାରେ ନୁହେଁ ଅନ୍ୟ ମାମଲା ଗୁଡିକରେ ମଧ୍ୟ ସରକାରୀ ନିର୍ଦ୍ଦେଶାନାମାକୁ ଖୋଲା ଖୋଲି ଉଲ୍ଲଂଘନ କରୁଥିବାରୁ ମଧ୍ୟ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ଏଣୁ ତୁରନ୍ତ ସରକାର ଲାଗି ରହିଥିବା ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।

Comments are closed.