ଘରୋଇ ନର୍ସିଂହୋମ ସିଲ, ଡ଼ାକ୍ତର-ନର୍ସଙ୍କ ସହ କ୍ବାରେଣ୍ଟାଇନରେ ୩୪

ସମ୍ବଲପୁର: ଫାର୍ମରୋଡ଼ରେ ଥିବା ସଂଜୀବନୀ ନର୍ସିଂହୋମକୁ ଗୁରୁବାର ୫ ଦିନ ପାଇଁ ସିଲ୍ କରି ବିଶୋଧିତ କରାଯାଉଥିବା ଜଣାପଡ଼ିଛି। ସୂଚନାନୁଯାୟୀ ଗତ ୧୬ରୁ ୧୮ ତାରିଖ ମଧ୍ୟରେ ସେଠାରେ ଜଣେ କ୍ୟାନସର ରୋଗୀ ଭର୍ତ୍ତି ହୋଇଥିଲେ। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରକୁ ପଠାଯିବା ପୂର୍ବରୁ ତାଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ଗୁରୁବାର ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିବା ପରେ ଜିଲା ପ୍ରଶାସନ ପକ୍ଷରୁ ନର୍ସିଂହୋମକୁ ସିଲ୍ କରିଦିଆଯାଇଛି। ସେଠାରେ ୱାର୍ଡରେ ଭର୍ତ୍ତି ସମସ୍ତ ରୋଗୀଙ୍କୁ ଡିସଚାର୍ଜ କିମ୍ବା ଅନ୍ୟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଉକ୍ତ କରୋନା ପଜିଟିଭ ରୋଗୀ ରହୁଥିବା ୱାର୍ଡ ସହିତ ଘରୋଇ ଡାକ୍ତରଖାନା ପରିସରକୁ ବିଶୋଧନ କରାଯିବ। ଚିକିତ୍ସକ ଡା. କବୀରଦାସ ପୁରୋହିତ ଓ ଡା. ପୁରୁଷୋତ୍ତମ ଅଗ୍ରୱାଲଙ୍କ ସହିତ ୩୪ ଜଣ କର୍ମଚାରୀ ସେଲ୍ଫ କ୍ବାରେନ୍‌ଟାଇନ୍‌ରେ ରହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଦିନ ସମସ୍ତଙ୍କ ସ୍ବାବ ସଂଗ୍ରହ ହୋଇ ପରୀକ୍ଷା କରାଯିବ ବୋଲି ବିଶେଷଜ୍ଞ ଡା. ପୁରୋହିତ କହିଛନ୍ତି। ତେବେ, କାହାରି କରୋନା ଲକ୍ଷଣ ନାହିଁ, ସମସ୍ତେ ସୁସ୍ଥ ଅଛନ୍ତି ଏବଂ ସ୍ବାବ ପରୀକ୍ଷା ପରେ ସଠିକ ଜଣାପଡ଼ିବ ବୋଲି ସେ କହିଛନ୍ତି।

Comments are closed.