ଘରୋଇ ଡାକ୍ତରଖାନାକୁ ନିର୍ଦ୍ଦେଶ, ଆକ୍ରାନ୍ତଙ୍କ ପାଇଁ ୫୦ ପ୍ରତିଶତ ଶଯ୍ୟା ରଖ

ଭୁବନେଶ୍ବର: ରାଜ୍ୟରେ ଦ୍ରୁତଗତିରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟବିଭାଗ ଘରୋଇ ଡାକ୍ତରଖାନା ଗୁଡିକୁ ଏକ ନିର୍ଦେଶନାମା ଜାରି କରିଛି। ଏଣିକି ସବୁ ଘରୋଇ ଡାକ୍ତରଖାନାରେ ୫୦ ପ୍ରତିଶତ ଶଯ୍ୟା, ନଚେତ୍ ୩୦ରୁ ଊର୍ଦ୍ଧ୍ବ ଶଯ୍ୟା କରୋନା ଆକ୍ରାନ୍ତଙ୍କ ପାଇଁ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି।

ଶ୍ରୀ ମହାପାତ୍ର ଏ ସଂକ୍ରାନ୍ତରେ ସବୁ ଜିଲାପାଳ, ମହାନଗର ନିଗମ କମିସନର ଓ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେକୌଣସି ଘରୋଇ ଡାକ୍ତରଖାନା କରୋନା ଆକ୍ରାନ୍ତଙ୍କୁ ଫେରାଇ ପାରିବେ ନାହିଁ। କେତେକ ଘରୋଇ ଡାକ୍ତରଖାନା ହାତଗଣତି ଶଯ୍ୟା କରୋନା ଆକ୍ରାନ୍ତଙ୍କ ପାଇଁ ରଖିଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ତୁରନ୍ତ ଉକ୍ତ ଡାକ୍ତରଖାନାଗୁଡିକ ତାଙ୍କର ଶଯ୍ୟା ବଢ଼ାଇବା ଦିଗରେ ପଦକ୍ଷେପ ନେବାପାଇଁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

ସେ ଦର୍ଶାଇଛନ୍ତି ଯେ ଏହି ଶଯ୍ୟାର ତଦାରଖ କରିବାପାଇଁ ଜିଲାସ୍ତରରେ ଏବଂ ମହାନଗରନିଗମ ସ୍ତରରେ ଜଣେ ଲେଖାଏଁ ଅଧିକାରୀ ନିୟୋଜିତ ହେବେ। ପ୍ରତ୍ୟେକଦିନ ଉକ୍ତ ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ଟିକିନିଖି ଖବର ଜଣାଇବେ। ତେବେ କେଉଁ ଶଯ୍ୟା ପାଇଁ କେତେ ଦେୟ ଦେବାକୁ ପଡ଼ିବ ସେ ସଂକ୍ରାନ୍ତରେ ନିର୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ସାଧାରଣ ଶଯ୍ୟା ପାଇଁ ସର୍ବନିମ୍ନ ୧୨ଶହ ଏବଂ ସର୍ବାଧିକ ୩ହଜାର ଟଙ୍କା ଦିନକୁ ରଖାଯାଇଛି। ଏଥିରେ ଡାକ୍ତରଖାନା କର୍ତ୍ତୃପକ୍ଷ ଶଯ୍ୟା ବିଶୋଧନ କରିବାଠାରୁ ଆରମ୍ଭ କରି ଖାଦ୍ୟ, ଔଷଧ, ଇସ୍ତ୍ରି ଦିଆ ବସ୍ତ୍ର, ପିପିଇ କିଟ୍ ପ୍ରଭୃତି ଯୋଗାଇବେ।

ସେହିପରି ସ୍ବତନ୍ତ୍ର ଯତ୍ନ କୋଠରି ପାଇଁ ଦୈନିକ ୨ହଜାରରୁ ୫ହଜାର ଟଙ୍କା ରଖାଯାଇଛି। ଏହାବାଦ୍ ଜଣେ ରୋଗୀ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବା ପାଇଁ ହେଲେ ତାକୁ ୮ହଜାରରୁ ୧୨ହଜାର ଟଙ୍କା ଦେବାକୁ ପଡ଼ିବ। ସ୍ବତନ୍ତ୍ର ଯତ୍ନ କୋଠରି ଏବଂ ଜୀବନ ରକ୍ଷାକାରୀ ବୈଜ୍ଞାନିକ ଯନ୍ତ୍ର ବ୍ୟବହାର ପାଇଁ ୧୦ହଜାରରୁ ୧୩ହଜାର ପର୍ଯ୍ୟନ୍ତ ରଖାଯାଇଛି। ଯଦି କୌଣସି ଆକ୍ରାନ୍ତ ଅଧିକ ଔଷଧ ସାମଗ୍ରୀ ବା ଅନ୍ୟ କୌଣସି ସୁବିଧା ଗ୍ରହଣ କରନ୍ତି ତେବେ ତାଙ୍କ କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ଅର୍ଥ ଧାର୍ଯ୍ୟ କରାଯିବ। ପ୍ରତ୍ୟେକ ଡାକ୍ତରଖାନାରେ ସହାୟତା କେନ୍ଦ୍ର ସାଙ୍ଗକୁ ରୋଗୀ ଏବଂ ସମ୍ପର୍କୀୟଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ବ୍ୟବସ୍ଥା କରାଇବା ଲାଗି ନିର୍ଦେଶନାମାରେ ଉଲ୍ଲେଖ ରହିଛି।

Comments
Loading...