ଏମ୍.ଡ଼ିଙ୍କ ଶବ ଘରେ ପହଞ୍ଚାଇବା ପାଇଁ ଘରୋଇ କମ୍ପାନୀ ଭଡ଼ା ନେଲା ୧୮୦ ସିଟର ବିମାନ

ଇନ୍ଦୋର:  କମ୍ପାନୀରେ କାମ କରୁଥିବା ଜଣେ ଦରମାପ୍ରାପ୍ତ ପରିଚାଳନା ନିର୍ଦେଶକଙ୍କ ଅକସ୍ମାତ ମୃତ୍ୟୁ ଓ ଏହାପରେ କମ୍ପାନୀ ତାଙ୍କର ମର ଶରୀରକୁ ତାଙ୍କ ଘରେ ପହଞ୍ଚାଇବା ପରି ଘଟଣା ଅତି ସାଧାରଣ ଘଟଣା । ଏପରି ଘଟଣା ଅନେକ ଘଟିଥିବା ଦେଖାଯାଇଛି । ମାତ୍ର ଇନ୍ଦୋରର ଏକ କମ୍ପାନୀ ସେହିପରି ଏକ ସାଧାରଣ କାର୍ଯ୍ୟକୁ ଏପରି ଅସାଧାରଣ ଭାବରେ ସମ୍ପାଦନ କରିଛି ଯେ ଏହା ଦେଶବ୍ୟାପୀ ଚର୍ଚା ଆରମ୍ଭ ହୋଇଛି । ବିସୁବିୟସ ଇଣ୍ଡିଆ ଲିଃ ନାମକ ଏହି କମ୍ପାନୀ ନିଜର ଜଣେ ପରିଚାଳନା ନିର୍ଦେଶକଙ୍କ ମର ଶରୀରକୁ ତାଙ୍କ ଘରକୁ ପଠାଇବା ପାଇଁ  ୧୮୦ ଆସନ  ଏକ ଘରୋଇ ବିମାନ ଭଡ଼ାରେ ନେବା ବେଶ୍ ଚର୍ଚିତ ହୋଇଛି । କେବଳ ସେତିକି ନୁହେଁ କମ୍ପାନୀର କିଛି କର୍ମଚାରୀ ଇନ୍ଦୋରରେ ତାଙ୍କର ଶବ ସତ୍କାର କାର୍ଯ୍ୟ ପାଇଁ ୩ ଦିନ ଡ଼େରା ପକାଇ ରହିବା ଓ ସମସ୍ତ କାର୍ଯ୍ୟ ଶେଷ ପରେ ବାହୁଡ଼ିବା ମୃତ ଏମଡ଼ିଙ୍କ ପରିବାର ସୂଚନା ଦେଇଛନ୍ତି ।

ଇନ୍ଦୋରର ଉଷାନଗର ଅଞ୍ଚଳରେ ରହୁଥିବା ରୀତେଶ ଡ଼ୁଙ୍ଗରୱାଲ କଲକତାରେ ବିସୁଭିୟସ ଇଣ୍ଡିଆ କମ୍ପାନୀରେ ପରିଚାଳନା ନିର୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ଗତ ୨ ବର୍ଷ ଧରି ସେ ଏହି ପଦରେ ଥିଲେ । ଗତ ୧୯ ତାରିଖରେ ହୃଦଘାତ ଯୋଗୁଁ କଲକତାରେ ରୀତେଶଙ୍କର ପରଲୋକ ହୋଇ ଯାଇଥିଲା । ଇନ୍ଦୋରରେ ଥିବା ତାଙ୍କର ପରିବାର ପାଇଁ ବଡ଼ ସମସ୍ୟା ଥିଲା କେମିତି ତାଙ୍କ ଶବ ନେଇ ପାରିବେ । ମାତ୍ର କମ୍ପାନୀ ଏହି ସମୟରେ ଏକ ବଡ଼ ପଦକ୍ଷେପ ନେଇଥିଲା । କମ୍ପାନୀ ପକ୍ଷରୁ ୩୦ କର୍ମଚାରୀଙ୍କୁ ତାଙ୍କର ଘରକୁ ପଠାଇ ଦେଇଥିଲା । ଏହାପରେ ରୀତେଶଙ୍କ ମରଶରୀର ନେବା ପାଇଁ ଏକ ବିମାନ ଖୋଜିବା ଆରମ୍ଭ କରିଥିଲା । କଲକତାରେ ବିମାନ ମିଳିଲା ନାହିଁ, ତେଣୁ କମ୍ପାନୀ କର୍ତ୍ତୃପକ୍ଷ ଦିଲ୍ଲୀରୁ ଏକ ୧୮୦ ଆସନ ବିଶିଷ୍ଟ ବିମାନ ଭଡ଼ାରେ ଆଣିଲେ । ଏହି ବିମାନ ଦିଲ୍ଲୀରୁ କଲକତା ଆସି ରୀତେଶଙ୍କ ମର ଶରୀର ନେଇ ଇନ୍ଦୋର ଯାତ୍ରା କରିଥିଲା ଓ ସେଠାରୁ ପୁଣି ଦିଲ୍ଲୀ ଫେରିଥିଲା ।
ରୀତେଶଙ୍କ ପରିବାର ଏହାକୁ ନେଇ ବେଶ୍ ଆଶ୍ବସ୍ତ ହୋଇଛନ୍ତି । ତାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ ହୁଏତ ରୀତେଶ କମ୍ପାନୀ ନିମନ୍ତେ ବହୁତ କିଛି କାମ କରିଥିବେ, ମାତ୍ର ମୃତ୍ୟୁ ପରେ ତାଙ୍କ କମ୍ପାନୀ ଯେଉଁ ଉଦାହରଣ ସୃଷ୍ଟି କଲା ତାହା ବିରଳ । ଏହି ପୁରା ପ୍ରକ୍ରିୟାରେ ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବୋଲି ରୀତେଶଙ୍କ ଶଳା କହିଛନ୍ତି । ସାଧାରଣତଃ ଆମ ଦେଶରେ ଥରେ ବିମାନ ଯାତ୍ରା ପାଇଁ ପ୍ରତି ଆସନକୁ ୫ରୁ ୬ ହଜାର ଟଙ୍କା ଭଡ଼ା ଲାଗେ । ତେଣୁ ୩ଟି ଭିନ୍ନଭିନ୍ନ ସ୍ଥାନରୁ ୧୮୦ସିଟ୍ ବାଲା ବିମାନ ଉଡ଼ାଣ କରିବା ଓ ଖାଲି ବିମାନ ପୁଣି ଦିଲ୍ଲୀ ଫେରିବାରେ ନିଶ୍ଚିତ ବହୁତ ଟଙ୍କା ଖର୍ଚ ହୋଇଥିବ । କମ୍ପାନୀର ଏହି ପଦକ୍ଷେପ ଆମର କଳ୍ପନା ବାହାରେ ଥିଲା ।
ରୀତେଶଙ୍କ ଭାଇ ସୌରଭ ଡ଼ୁଙ୍ଗରୱାଲ କହିଛନ୍ତି ଯେ ଆମେ ଚାହୁଁ ନ ଥିଲୁ ଯେ କଲକତାରେ ଭାଇର ଅନ୍ତିମ ସଂସ୍କାର ହେଉବୋଲି । ଇନ୍ଦୋର ତାଙ୍କର କର୍ମଭୂମି ଥିଲା । ତେଣୁ ଏଠାରେ ଅନ୍ତିମ ସଂସ୍କାର ପାଇଁ ସମସ୍ତେ ଇଚ୍ଛା କରିଥିଲେ । ଆରମ୍ଭରେ ଆମେ ଏକ ଛୋଟ ଘରୋଇ ବିମାନ ଖୋଜୁଥିଲୁ, ଯେଉଁଥିରେ ଭାଇଙ୍କ ଶବ ସହ ଭାଉଜ ଓ ଦୁଇ ପିଲା ଆସି ପାରିବେ  । ମାତ୍ର ଏହା ବିଶେଷ ଅଗ୍ରଗତି ହୋଇ ନ ଥିଲା । ଏହାମଧ୍ୟରେ କମ୍ପାନୀ ଗୋଟିଏ ପୁରା ଉଡ଼ାଜାହାଜ ବୁକ୍ କରିଦେଇଥିଲା । କମ୍ପାନୀର ଏହି ପଦକ୍ଷେପ ବାସ୍ତବରେ ଆମ ପାଇଁ ବହୁତ ବଡ଼ କଥା ବୋଲି ସୌରଭ କହିଛନ୍ତି ।

Comments are closed.