ବାଇକକୁ ଧକ୍କା ଦେଇ ଓଲଟିଲା ବସ୍‌: ବାଇକ ଚାଳକ ମୃତ, ୧୯ ଯାତ୍ରୀ ଆହତ

ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥରେ ଦୁର୍ଘଟଣା

ସାକ୍ଷୀଗୋପାଳ/ସୁଆଣ୍ଡୋ: ସତ୍ୟବାଦୀ ଥାନା ସାକ୍ଷୀଗୋପାଳ ନିକଟ ବୀରଗୋବିନ୍ଦପୁରଠାରେ ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ପୁରୀରୁ ଭୁବନେଶ୍ଵର ଯାଉଥିବାବେଳେ ଜାତୀୟ ରାଜପଥରେ ଏକ ବାଇକ୍‌କୁ ପଛପଟୁ ଧକ୍କା ଦେଇ ରାସ୍ତାପାର୍ଶ୍ଵକୁ ଓଲଟି ପଡ଼ିବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୧୯ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ପହଞ୍ଚି ବସ୍‌ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଦୁର୍ଘଟଣାରେ ବାଇକ ଚାଳକଙ୍କର ଚିକିତ୍ସାଳୟରେ ମୃତ୍ୟୁ ଘଟିଥିବାବେଳେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ସମସ୍ତେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତ ବାଇକ ଚାଳକଙ୍କ ପରିଚୟ ମିଳିପାରି ନାହିଁ। ଆହତମାନେ ହେଲେ ବିଳାସିନୀ ନାୟକ, ସଂଯୁକ୍ତା ଲେଙ୍କା, ପ୍ରୀତିଶଜ୍ଞା ନାୟକ, ଦୀପକ ଝା, ରାଜକମାଳ ସ୍ବାଇଁ, ଜ୍ୟୋତିପ୍ରକାଶ ନାୟକ ଓ ପୂର୍ଣ୍ଣିମା ନାୟକ। ଅନ୍ୟ ୧୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ଖବର ପାଇ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ ଏବଂ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାଜାମ ହୋଇଥିଲା। ପୁଲିସ ଟ୍ରାଫିକ ବ୍ୟବସ୍ଥା ସୁଧାର କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।

Comments are closed.