ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାର ୬୦ନଂରେ ପୃଥ୍ୱୀ ସ’

0

ଦୁବାଇ : ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାର ୬୦ନଂରେ ପହଞ୍ଚିଛନ୍ତି ଯୁବ ଭାରତୀୟ ଓପନର୍‍ ପୃଥ୍ୱୀ ସ’। ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ୍‍ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିଥିବା ପୃଥ୍ୱୀ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ ପୂର୍ବରୁ ମାନ୍ୟତାର ୭୩ନଂରେ ରହିଥିଲେ। ତେବେ ଦ୍ୱିତୀୟ ଟେଷ୍ଟରେ ସେ ୭୦ ଓ ଅପରାଜିତ ୩୩ ରନ୍‍ କରିଥିବାରୁ ମାନ୍ୟତାରେ ୧୩ଟି ସ୍ଥାନ ଉପରକୁ ଉଠି ୬୦ନଂରେ ରହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ପୂର୍ବପରି ଶୀର୍ଷ ମାନ୍ୟତା ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ରେ ୯୨ ରନ୍‍ ସଂଗ୍ରହ କରିଥିବା ୱିକେଟରକ୍ଷକ ଋଷଭ ପନ୍ତ୍‍ଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ସେ ୨୩ଟି ସ୍ଥାନ ଉପରକୁ ଉଠି ମାନ୍ୟତାର ୬୨ନଂରେ ରହିଛନ୍ତି। ସେହିପରି ଅଜିଙ୍କ୍ୟ ରାହାଣେ ୪ଟି ସ୍ଥାନ ଉପରକୁ ଉଠି ମାନ୍ୟତାରେ ୧୮ନଂରେ ରହିଛନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ରେ ୧୦ଟି ୱିକେଟ୍‍ ହାସଲ କରିଥିବା ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ୪ଟି ସ୍ଥାନ ଉପରକୁ ଉଠି ୨୫ନଂରେ ରହିଛନ୍ତି।
ୱେଷ୍ଟଇଣ୍ଡିଜ ଦଳର ଅଧିନାୟକ ଜାସନ୍‍ ହୋଲଡର୍‍ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ର ପ୍ରଥମ ଇନିଂସରେ ୫ଟି ୱିକେଟ୍‍ ହାସଲ କରିଥିବାରୁ ବୋଲିଂ ମାନ୍ୟତାରେ ୪ଟି ସ୍ଥାନ ଉପରକୁ ଉଠି ୯ନଂରେ ରହିଛନ୍ତି। ଏହା ତାଙ୍କ ଜୀବନର ଶ୍ରେଷ୍ଠ ମାନ୍ୟତା। ସେହିପରି ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବାରୁ ହୋଲଡର୍‍ ବ୍ୟାଟିଂ ମାନ୍ୟତାରେ ୩ଟି ସ୍ଥାନ ଉପରକୁ ଉଠି ୫୩ନଂରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ହୋଲଡର ୩ନଂରେ ରହିଛନ୍ତି। ୱେଷ୍ଟଇଣ୍ଡିଜର ରୋଷ୍ଟନ୍‍ ଚେଜ୍‍ ପ୍ରଥମ ଇନିଂସରେ ଶତକ ହାସଲ କରିଥିବାରୁ ବ୍ୟାଟିଂ ମାନ୍ୟତାରେ ୧୦ଟି ସ୍ଥାନ ଉପରକୁ ଉଠି ୩୧ନଂରେ ରହିଥିବା ବେଳେ ସାଇ ହୋପ୍‍ ୫ଟି ସ୍ଥାନ ଉପରକୁ ଉଠି ୩୫ନଂରେ ରହିଛନ୍ତି। ଦଳଗତ ମାନ୍ୟତାରେ ଭାରତୀୟ ଦଳ ଗୋଟିଏ ଅଧିକ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ୱେଷ୍ଟଇଣ୍ଡିଜ ପୂର୍ବପରି ୮ନଂରେ ରହିଛି।

Leave A Reply