ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍‍ ପଡ଼ିଲେ ପୃଥ୍ୱୀ

0

ସିଡ଼ନୀ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ଡିସେମ୍ବର ୬ରୁ ଆଡିଲେଡ୍‍ରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‍ରେ ଭାରତ ପକ୍ଷରୁ ଯୁବ ଓପନର୍‍ ପୃଥ୍ୱୀ ସ’ ଖେଳିପାରିବେ ନାହିଁ। ସିଡନୀରେ କ୍ରିକେଟ୍‍ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଖେଳାଯାଉଥିବା ଅଭ୍ୟାସ ମ୍ୟାଚ୍‍ର ତୃତୀୟ ଦିନରେ ପୃଥ୍ୱୀ ଆଘାତପ୍ରାପ୍ତ ହୋଇଥିଲେ। ତାଙ୍କ ଗୋଇଠିରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।
ଅଭ୍ୟାସ ମ୍ୟାଚ୍‍ର ୩ୟ ଦିନରେ ପୃଥ୍ୱୀ ମିଡ୍‍ୱିକେଟ୍‍ ବାଉଣ୍ଡ୍ରିରେ ଫିଲଡିଂ କରୁଥିଲେ। କ୍ରିକେଟ୍‍ ଏକାଦଶ ବ୍ୟାଟସମ୍ୟାନ୍‍ ମ୍ୟାକ୍‍ସ ବ୍ରାଏଣ୍ଟ ମାରିଥିବା ସଟ୍‍ରେ ବାଉଣ୍ଡ୍ରିରେ କ୍ୟାଚ୍‍ ଧରିବାକୁ ପ୍ରୟାସ କରିବାକୁ ସମୟରେ ପୃଥ୍ୱୀଙ୍କ ଗୋଇଠିରେ ଆଘାତ ଲାଗିଥିଲା। ତାଙ୍କୁ ପଡ଼ିଆ ମଧ୍ୟକୁ ଆସି ଭାରତୀୟ ଦଳର ଫିଜିଓ ଚିକିତ୍ସା କରିଥିଲେ। ତେବେ ଯନ୍ତ୍ରଣାର ଉପଶମ ନ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ କହୁଣୀର ଫଟୋ ଉଠାଇବା ପରେ ମାଂସପେଶୀରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଯାଇଥିଲା। ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବାରୁ ପୃଥ୍ୱୀ ପ୍ରଥମ ଟେଷ୍ଟ ମ୍ୟାଚ୍‍ରେ ଖେଳିପାରିବେ ନାହିଁ ବୋଲି ବିସିସିଆଇ ତରଫରୁ ସ୍ପଷ୍ଟ କରି ଦେଇଥିଲେ। ପ୍ରଥମ ଟେଷ୍ଟ ମ୍ୟାଚ୍‍ ଶେଷ ହେବାର ୪ ଦିନ ପରେ ଦୁଇ ଦେଶ ମଧ୍ୟରେ ପର୍ଥରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ ଖେଳାଯିବ। ଏହି ମ୍ୟାଚ୍‍ ଆରମ୍ଭ ବେଳକୁ ପୃଥ୍ୱୀ ସୁସ୍ଥ ହୋଇଥିଲେ ଦଳରେ ସ୍ଥାନ ପାଇବେ।
ଅଭ୍ୟାସ ମ୍ୟାଚ୍‍ରେ ଭଲ ପ୍ରଦର୍ଶନ କରିଥିବା ପୃଥ୍ୱୀ ପ୍ରଥମ ଟେଷ୍ଟ ମ୍ୟାଚ୍‍ରେ ଭାରତୀୟ ଦଳ ତରଫରୁ ବ୍ୟାଟିଂ ଓପନ୍‍ କରିବା ନିଶ୍ଚିତ ଥିବା ବେଳେ ତାଙ୍କ ଅନୁପସ୍ଥିତି ଦଳର ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି କେଏଲ୍‍ ରାହୁଲ ଭଲ ଫର୍ମରେ ନ ଥିବାରୁ ବିଜୟଙ୍କ ସହ କିଏ ବ୍ୟାଟିଂ ଓପନ୍‍ କରିବ ତାହା ଦେଖିବାକୁ ବାକି ରହିଛି।

Leave A Reply