ନିର୍ବାଚନ ଆଚରଣବିଧ ଉଲ୍ଲଙ୍ଘନ ଅଭିଯୋଗ, ପ୍ରିନ୍ସପାଲ ଓ ଏସଡିପିଓଙ୍କୁ ନିଲମ୍ବନ ନିର୍ଦେଶ

ଭୁବନେଶ୍ବର: ମହାକାଳପଡ଼ା ମା’ ତାରିଣୀ କଲେଜରେ ଆଚରଣବିଧି ଉଲ୍ଲଙ୍ଘନ ପ୍ରସଙ୍ଗରେ କଲେଜର ପ୍ରିନ୍ସପାଲ ଓ ସାଲେପୁର ଏସଡିପିଓଙ୍କୁ ନିଲମ୍ବନ ପାଇଁ ନିର୍ଦେଶ ଦିଆଯାଇି। ଜିଲାପାଳଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ କଲେଜ ପ୍ରିନ୍ସପାଲ ଓ ସାଲେପୁର ଏସ୍‌ଡିପିଓଙ୍କୁ ନିଲମ୍ବନ ପାଇଁ ନିର୍ଦେଶ ଦେଇଛନ୍ତି। ପ୍ରିନ୍ସପାଲ ବିକାଶ ଦାଶଙ୍କୁ ନିଲମ୍ବନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସୁପାରିଶ କରାଯାଇଥିବାବେଳେ ବିକାଶଙ୍କ ନାମରେ ଏଫଆଇଆର ଦାଖଲ ପାଇଁ ମଧ୍ୟ ଜିଲାପାଳଙ୍କୁ କୁହାଯାଇଛି। ସେହିପରି ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ ପାଇଁ ପୁଲିସ ମହାନିର୍ଦେଶକଙ୍କୁ ସୁପାରିଶ କରିଛନ୍ତି ରାଜ୍ୟ ନିର୍ବାଚନ ଆୟେଗ। ପ୍ରଶାନ୍ତ ମାଝୀଙ୍କୁ ମୁଖ୍ୟାଳୟରେ ରଖିବାକୁ କୁହାଯାଇଛି।

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରି ଗତ ରବିବାର ମା’ତାରିଣୀ କଲେଜରେ ଆୟୋଜିତ ହୋଇଥିଲା ନିର୍ବାଚନୀ ସଭା। ଏହି ସଭାରେ ୨ଶହରୁ ଅଧିକ ଲୋକ ଏକାଠି ହୋଇଥିଲେ। ଗଡ଼ରୋମିତ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ (ଜଣେ ମହିଳା)ଙ୍କୁ ଜିତାଇବା ପାଇଁ ଏହି ସଭା ଆୟୋଜିତ ହୋଇଥିଲା। ପ୍ରିନ୍ସିପାଲ ବିକାଶ ଦାଶ ଓ ଏସ୍‌ଡିପିଓ ପ୍ରଶାନ୍ତ ମାଝୀ ଉକ୍ତ ପଞ୍ଚାୟତର ବାସିନ୍ଦା ହୋଇଥିବାରୁ ସେମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆଉ ଗତକାଲି ଏହାର ଭିଡିଓ ଭାଇରାଲ ହେବା ପରେ ଦୁହେଁ ଚର୍ଚ୍ଚାକୁ ଆସିଥିଲେ। ଏହି ଘଟଣା ନେଇ ଗତକାଲି ରାଜ୍ୟ ନିର୍ବାଚନ କମିଶନର କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ରିପୋର୍ଟ ମାଗିଥିଲେ। ଆଉ ଜିଲାପାଳଙ୍କ ରିପୋର୍ଟ ଆଧାରରେ ଉଭୟ ସରକାରୀ ଅଧିକାରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସୁପାରିଶ କରିଛନ୍ତି।

Comments are closed.