ଗ୍ରାମାଞ୍ଚଳରେ କୋଭିଡ ମୁକାବିଲାକୁ ସୁଦୃଢ଼ କରିବା ଲାଗି ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସଶକ୍ତ କରିବା ଉଚିତ୍ : ପ୍ରଧାନମନ୍ତ୍ରୀ

– ସ୍ଥାନୀୟ କଣ୍ଟେନମେଣ୍ଟ ରଣନୀତି ବର୍ତ୍ତମାନ ସମୟର ଆବଶ୍ୟକତା : ପ୍ରଧାନମନ୍ତ୍ରୀ
-ଅଧିକ ପଜିଟିଭିଟି ହାର ଥିବା କ୍ଷେତ୍ରରେ ପରୀକ୍ଷା ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
-ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ପରୀକ୍ଷା ଓ ନିରୀକ୍ଷଣ ଉପରେ ଗୁରୁତ୍ବ ଦେବା ଲାଗି ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବୃଦ୍ଧି କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
– ଗ୍ରାମାଞ୍ଚଳରେ ଅକ୍ସିଜେନ ଯୋଗାଣର ଉପଯୁକ୍ତ ବିତରଣ ସୁନିଶ୍ଚିତ କରିବା ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ
-ଭେଣ୍ଟିଲେଟର ଓ ଅନ୍ୟ ସରଞ୍ଜାମ ପରିଚାଳନା ପାଇଁ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଯୋଗାଇ ଦିଆଯିବା ଉଚିତ୍ : ମୋଦୀ 

ନୂଆଦିଲ୍ଲୀ : ଦେଶରେ କୋଭିଡ ଓ ଟିକାକରଣ ସଂକ୍ରାନ୍ତ ପରିସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ କୋଭିଡ ସଂକ୍ରାନ୍ତ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ମାର୍ଚ୍ଚ ପ୍ରାରମ୍ଭରେ ନମୁନା ପରୀକ୍ଷା ସଂଖ୍ୟା ସାପ୍ତାହିକ ୫୦ ଲକ୍ଷ ଥିବା ବେଳେ ଏହା ବର୍ତ୍ତମାନ ୧.୩ କୋଟିକୁ ବୃଦ୍ଧି ପାଇଛି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି। ପଜିଟିଭିଟି ହାର ଧୀରେ ଧୀରେ କମୁଥିବା ଏବଂ ଆରୋଗ୍ୟ ହାର ଧୀରେ ଧୀରେ ବଢ଼ୁଥିବା ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ଦୈନିକ ୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସ୍ବାସ୍ଥ୍ୟ କର୍ମୀ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରୟାସର ଫଳ ସ୍ବରୂପ ଏହି ସଂଖ୍ୟା ବର୍ତ୍ତମାନ ହ୍ରାସ ପାଇଛି । ଅଧିକାରୀମାନେ ରାଜ୍ୟ ଓ ଜିଲ୍ଲାସ୍ତରରେ କୋଭିଡ, ପରୀକ୍ଷା,ଅମ୍ଳଜାନ ଉପଲବ୍ଧତା, ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଟିକାକରଣ ପ୍ରସ୍ତୁତି ଉପରେ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଲ୍ଲା ସ୍ତରରେ ପଜିଟିଭିଟି ହାର ଅଧିକ ରହୁଥିବା ରାଜ୍ୟଗୁଡ଼ିକ ପାଇଁ ସ୍ଥାନୀୟ ଆବଦ୍ଧାଞ୍ଚଳ ରଣନୀତି ଲାଗୁ କରିବା ବର୍ତ୍ତମାନ ସମୟର ଆବଶ୍ୟକତା। ପରୀକ୍ଷା ଆହୁରି ବଢ଼ାଇବାର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପଜିଟିଭିଟି ହାର ଥିବା ଅଞ୍ଚଳରେ ଉଭୟ ଆରଟି-ପିସିଆର ଓ ରାପିଡ ଟେଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟଗୁଡ଼ିକ ବିନା ଚାପରେ ଚିହ୍ନଟ ହେଉଥିବା ଅଧିକ ସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟାକୁ ପ୍ରଦର୍ଶିତ କରିବା ଆବଶ୍ୟକ। ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ପରୀକ୍ଷା ଓ ନିରୀକ୍ଷଣ ପାଇଁ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସମସ୍ତ ଉପକରଣ ସହିତ ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କୁ ସଶକ୍ତ କରିବା ସମ୍ପର୍କରେ ମତ ମଧ୍ୟ ସେ ଦେଇଥିଲେ। ଗ୍ରାମାଞ୍ଚଳରେ ଗୃହ ସଙ୍ଗରୋଧ ଏବଂ ଚିକିତ୍ସା ପାଇଁ ଚିତ୍ର ସହିତ ସହଜ ଭାଷାରେ ମାର୍ଗଦର୍ଶିକା ଉପଲବ୍ଧ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଅକ୍ସିଜେନ ସାନ୍ଧ୍ରକ ବ୍ୟବସ୍ଥା ସମେତ, ଗ୍ରାମାଞ୍ଚଳରେ ଅକ୍ସିଜେନ ଯୋଗାଣ ସୁନିଶ୍ଚିତ କରିବା ଲାଗି ଏକ ବିତରଣ ଯୋଜନା ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମେଡ଼ିକାଲ ଉପକରଣର ସୁଗମ ପରିଚାଳନା ନିମନ୍ତେ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
କେତେକ ରାଜ୍ୟରେ ଭେଣ୍ଟିଲେଟର ଉପଯୋଗ ହୋଇନପାରି ଷ୍ଟୋର ରୁମରେ ପଡ଼ି ରହୁଥିବା ସମ୍ପର୍କରେ ଆସିଥିବା ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଭେଣ୍ଟିଲେଟର ସଂଯୋଗ ଓ ପରିଚାଳନା ନିମନ୍ତେ ଏକ ଅଡିଟ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦରକାର ହେଲେ ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କୁ ସଠିକ ଭାବେ ଭେଣ୍ଟିଲେଟର ଉପଯୋଗ କରିବା ନିମନ୍ତେ ରିଫ୍ରେସର ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ।
କୋଭିଡ ବିରୋଧରେ ଭାରତର ଲଢ଼େଇ ଆରମ୍ଭରୁ ଆଜି ପର୍ୟ୍ୟନ୍ତ ବୈଜ୍ଞାନିକ ଓ ବିଷୟ ବିଶେଷଜ୍ଞମାନଙ୍କ ନିର୍ଦ୍ଦେଶରେ ପରିଚାଳିତ ହୋଇଆସିଛି ଏବଂ ଏହା ଆଗକୁ ମଧ୍ୟ ସେମାନଙ୍କ ମାର୍ଗଦର୍ଶନରେ ଜାରି ରହିବ ବୋଲ ପ୍ରଧାନମନ୍ତ୍ରୀ କହିଥିଲେ ।
ଅଧିକାରୀମାନେ ଟିକାକରଣ ଅଗ୍ରଗତି ଏବଂ ରାଜ୍ୟଓ୍ବାରୀ ୪୫+ ଜନସଂଖ୍ୟାଙ୍କୁ ଏଥିରେ ସାମିଲ କରିବା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ଭବିଷ୍ୟତରେ ଟିକା ଉପଲବ୍ଧତା ପାଇଁ ରୋଡମ୍ୟାପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଟିକାକରଣର ଗତି ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ ସହିତ ଅଧିକ ସମନ୍ବୟ ସ୍ଥାପନ କରି କାର୍ୟ୍ୟ କରିବା ନିମନ୍ତେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.