ବିଶ୍ୱ ଜଳବାୟୁ ଶିଖର ବୈଠକରେ ଆଜି ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଜଳବାୟୁ ଶିଖର ବୈଠକରେ ଆଜି ଉଦବୋଧନ ଦେବେ। ଐତିହାସିକ ପ୍ୟାରିସ୍‍ ଜଳବାୟୁ ରାଜିନାମାର ପଞ୍ଚମ ବାର୍ଷିକୀ ଅବସରରେ ଏହି ଶିଖର ବୈଠକ ଅନୁଷ୍ଠିତ ହେଉଛି। ପ୍ୟାରିସ୍‍ ରାଜିନାମା ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା। ପ୍ରଥମଥର ପାଇଁ ଏ କ୍ଷେତ୍ରରେ ଏକ ରାଜିନାମା ବିଶ୍ୱର ସମସ୍ତ ଦେଶକୁ ଏହି ସମସ୍ୟାର ମୁକାବିଲା ପାଇଁ ଏକାଠି କରିପାରିଛି। ୨୦୧୫ ଡିସେମ୍ବର ୧୨ ତାରିଖରେ ବିଶ୍ୱର ୧୯୬ଟି ଦେଶ ଏହି ରାଜିନାମା ସ୍ୱାକ୍ଷର କରିଛନ୍ତି। ୨୦୧୬ ନଭେମ୍ବର ୪ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା।
ପ୍ୟାରିସ୍‍ ରାଜିନାମାର ୫ବର୍ଷ ପୂର୍ତ୍ତି ପାଳନର ଅବ୍ୟବହିତ ପୂର୍ବରୁ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଏକ ଭର୍ଚୁଆଲ ବିଶ୍ୱ ଜଳବାୟୁ ଶିଖର ବୈଠକ ପଇଁ ବ୍ରିଟେନ ଆହ୍ୱାନ ଦେଇଛି। ପ୍ରଧାନମନ୍ତ୍ରୀ ଏହି ଶିଖର ବୈଠକରେ ଅଂଶଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ଜାଭେଡକର କହିଛନ୍ତି ଜଳବାୟୁ ପରିବର୍ତ୍ତନ ଆଜିର ସମସ୍ୟା ନୁହେଁ ଓ ଦୀର୍ଘ
୧୦୦ ବର୍ଷ ଧରି ଏହାର ପରିବେଶ ଉପରେ ଘୋର ପ୍ରଭାବ ପଡ଼ିଆସୁଛି।
ମନ୍ତ୍ରୀ କହିଛନ୍ତି ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନର କାର୍ଯ୍ୟକଳାପ ଯୋଗୁଁ ଘଟୁନାହିଁ, ଐତିହାସିକ ଘଟଣାବଳୀ ଗୁଡ଼ିକର ଏହା ଉପରେ ଅନେକ ପ୍ରଭାବ ରହିଛି। ସେ କହିଛନ୍ତି ଆମେରିକା ଶତକଡା ୨୫ଭାଗ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବାବେଳେ ୟୁରୋପ୍‍ ଶତକଡା ୨୨ ଭାଗ ଓ ଚୀନ୍‍ ଶତକଡା ୧୩ ଭାଗ ଅଙ୍ଗାରକାମ୍ଳ ନିର୍ଗମନ କରୁଛି। ଯେତେବେଳେ କି ଭାରତ ମାତ୍ର ଶତକଡା ୩ ଭାଗ ଅଙ୍ଗାରକାମ୍ଳ ନିର୍ଗମନ କରୁଛି। ଶ୍ରୀ ଜାଭେଡକର କହିଛନ୍ତି ଜଳବାୟୁ ପରିବର୍ତ୍ତନ ପାଇଁ ଭାରତ କୌଣସି ମତେ ଦାୟୀ ନୁହେଁ। କିନ୍ତୁ ଏକ ଦାୟିତ୍ୱବାନ ରାଷ୍ଟ୍ରଭାବେ ଜଳବାୟୁର ମୁକାବିଲା ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଭାରତ ସର୍ବଦା ନିଜର ସମର୍ଥନ ଦେଇଆସୁଛି। ଅଙ୍ଗାରକାମ୍ଳ ନିର୍ଗମନରେ ଭାରତ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ପଛରେ ରହିଛି। ମନ୍ତ୍ରୀ କହିଛନ୍ତି ବିଶ୍ୱର ମୋଟ୍‍ ଅଙ୍ଗାରକାମ୍ଳ ନିର୍ଗମନର ଶତକଡା ୬ ଦଶମିକ ୮ ଭାଗ କେବଳ ଭାରତରୁ ହେଉଛି। ପ୍ୟାରିସ୍‍ ଜଳବାୟୁ ରାଜିନାମାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା କିଛି ହାତଗଣତି ଦେଶ ମଧ୍ୟରେ ଭାରତର ସ୍ଥାନ
ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.