ବିଶ୍ୱରେ ସବୁଠୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସର୍ଭେ ତାଲିକାରେ ୧ ନମ୍ବର

ନୂଆଦିଲ୍ଲୀ : ବିଶ୍ୱରେ ଏକ ନମ୍ବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ଲୋକପ୍ରିୟତା ନେଇ ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦି ଏକ ନମ୍ବର ଥିବା ଜଣାପଡ଼ିଛି । ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବର୍ତ୍ତମାନ ବିଜେପି ପାଇଁ ଏହା ଏକ ବଡ଼ ଖୁସି ନେଇ ଆସିଛି । ପୁଣିଥରେ ମୋଦି ଆମେରିକା ଓ ରୁଷିଆ ସହିତ ବହୁ ୟୁରୋପୀୟ କ୍ଷମତାଶାଳୀ ରାଷ୍ଟ୍ରନେତାଙ୍କୁ ପଛରେ ପକାଇଦେଇଛନ୍ତି । ସୂଚନା ମୁତାବକ ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ନେଇ ଆମେରିକୀୟ ସଂସ୍ଥା ‘ମର୍ଣ୍ଣିଂ କନସଲ୍ଟ’ ଏକ ସର୍ଭେ କରିଥିଲା । ଯେଉଁଥିରେ ମୋଦୀ ଏହି ତାଲିକାର ଶୀର୍ଷରେ ରହିଥିବା ଜଣାପଡ଼ିଛି । ସର୍ଭେରେ ମୋଦୀଙ୍କ ଲୋକପ୍ରିୟତାକୁ ନେଇ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୧ ପ୍ରତିଶତ ରହିଛି । ଯାହାକି ବିଶ୍ବର ଅନ୍ୟ ଯେକୌଣସି ନେତାଙ୍କ ତୁଳନାରେ ସବୁଠୁ ଅଧିକ।

ତାଲିକାରେ ମୋଟ ୧୩ ଜଣ ଲୋକପ୍ରିୟ ଓ କ୍ଷମତାଶାଳୀ ନେତା ରହିଛନ୍ତି । ୧୩ ଜଣଙ୍କ ମଧ୍ୟରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍, ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସ ପ୍ରମୁଖ ଅଛନ୍ତି । ମୋଦୀଙ୍କ ପଛକୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ୬୬ ପ୍ରତିଶତ ରେଟିଂ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି । ପରେ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘି, ତାଙ୍କର ରେଟିଂ ପଏଣ୍ଟ ୬୦ ପ୍ରତିଶତ ରହିଛି । ସେହିପରି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ରେଟିଂ ପଏଣ୍ଟ ୪୩ ପ୍ରତିଶତ ରହିଥିବା ବେଳେ ସେ ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି। ବାଇଡେନଙ୍କ ପଛକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୭ମ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ୪୧ ପ୍ରତିଶତ ରେଟିଂ ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛନ୍ତି।

Comments are closed.