ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତଉକତେ” : ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଶକ୍ତି, ଟେଲି ଯୋଗାଯୋଗ, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସେବାର ରକ୍ଷଣାବେକ୍ଷଣ ସୁନିଶ୍ଚିତ କର : ପ୍ରଧାନମନ୍ତ୍ରୀ

-ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
-ସମ୍ଭାବ୍ୟ ଝଡ଼ବାତ୍ୟା ଦୃଷ୍ଟିରୁ ହସପିଟାଲରେ କୋଭିଡ଼ ପରିଚାଳନା, ଟିକାକରଣ, କୋଲ୍ଡ ଚେନ୍ ଏବଂ ଶକ୍ତିର ବ୍ୟାକ୍ ଅପ୍ ଏବଂ ସମ୍ଭାବ୍ୟ ପ୍ରଭାବିତ କ୍ଷେତ୍ରମାନଙ୍କ ସକାଶେ ଅତ୍ୟାବଶ୍ୟକ ଔଷଧ ମହଜୁଦ ରଖ : ମୋଦୀ

ନୂଆଦିଲ୍ଲୀ : ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତଉକତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି ଯେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା “ତଉକତେ”ଗୁଜରାଟର ପୋରବନ୍ଦର ଏବଂ ନଲିୟା ମଧ୍ୟରେ ୧୮ ତାରିଖ ଅପରାହ୍ଣ/ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁଲା ବେଳକୁ ଏହାର ଘଣ୍ଟାପ୍ରତି ବେଗ ପ୍ରାୟ ୧୭୫ କିଲୋମିଟର ହୋଇପାରେ ବୋଲି ପୂର୍ବନୁମାନ କରାଯାଇଛି । ଏହାର ପ୍ରଭାବରେ ଗୁଜରାଟର ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହ ଜୁନାଗଡ଼ ଓ ଗୀର ସୋମନାଥ ଅଞ୍ଚଳରେ ଅତି ପ୍ରବଳ ବର୍ଷା ଏବଂ ସୌରାଷ୍ଟ୍ର, କଚ୍ଛ ଓ ଡିଉର ଗୀର ସୋମନାଥ, ଡିଉ, ଜୁନାଗଡ଼, ପୋରବନ୍ଦର, ଦେବଭୂମି ଦ୍ୱାରକା, ଆମରେଲି, ଜାମନଗର ଆଦି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଘୂର୍ଣ୍ଣିବାତ୍ୟା ସମୟରେ ସମୁଦ୍ରରେ ୨-୩ ମିଟର ଉଚ୍ଚତାର ଜୁଆର ଉଠିବ ଏବଂ ତାହା ମୋରବୀ, କଚ୍ଛ, ଦେବଭୂମି ଦ୍ୱାରକା ଓ ଜାମନଗର ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବେଶ କରିପାରେ  । ସେହିଭଳି ପୋରବନ୍ଦର, ଜୁନାଗଡ଼, ଡିଉ, ଗୀର ସୋମନାଥ, ଆମରେଲି, ଭାବନଗର ଆଦି ଉପକୂଳରେ ୧- ୨ ମିଟର ଉଚ୍ଚତାର ଜୁଆର ଉଠିବ ଏବଂ ରାଜ୍ୟର ଅବଶିଷ୍ଟ ଜିଲ୍ଲାର ଉପକୂଳରେ ୦.୫ ମିଟର ଉଚ୍ଚତାର ଜୁଆର ସୃଷ୍ଟି ହେବ। ଏହି ଜୁଆର ମେ ୧୮ ତାରିଖ ଅପରାହ୍ନ / ସନ୍ଧ୍ୟାରେ ହିଁ ସୃଷ୍ଟି ହେବ । ଏହି ସମୟରେ ଘୂର୍ଣ୍ଣବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବାର ପୂର୍ବାନୁମାନ କରାଯାଇଛି ।
ଆଜିର ସମୀକ୍ଷା ବୈଠକରେ କରାଯାଇଥିବା ଆଲୋଚନା ଅନୁସାରେ କ୍ୟାବିନେଟ୍ ସଚିବ ଘୂର୍ଣ୍ଣିବାତ୍ୟା ସଂପର୍କରେ ସମସ୍ତ ଉପକୂଳବର୍ତୀ ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ/ ଏଜେନ୍ସିମାନଙ୍କ ସହିତ ନିରବଚ୍ଛିନ୍ନ ଭାବେ ସମ୍ପର୍କରେ ରହିବେ ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୂର୍ଣ୍ଣିବାତ୍ୟା “ତଉକତେ” ସମ୍ପର୍କରେ ଅହୋରାତ୍ର ସମୀକ୍ଷା କରାଯାଉଛି ଏବଂ ସଂପୃକ୍ତ ରାଜ୍ୟ / କେନ୍ଦ୍ରଶାସିତ କ୍ଷେତ୍ର ସରକାର ତଥା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହିତ ପରିସ୍ଥିତିର ସମୀକ୍ଷା କରାଯାଉଛି । ଜାତୀୟ ବିପର୍ୟ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ଇତି ମଧ୍ୟରେ ସଂପୃକ୍ତ ଛଅଟି ଉପକୂଳବର୍ତୀ ରାଜ୍ୟର ବିଭିନ୍ନ ସ୍ଥାନରେ ୪୨ଟି ଦଳଙ୍କୁ ଆଗୁଆ ମୁତୟନ କରାଯାଇଛି ଏବଂ ସେମାନଙ୍କ ନିକଟରେ ବୋଟ, ଗଛକଟା ଯନ୍ତ୍ର, ଟେଲିକମ୍ ଉପକରଣ ଆଦି ମହଜୁଦ ରଖାଯାଇଛି । ଏହା ବ୍ୟତୀତ ଅନ୍ୟ ୨୬ଟି ଦଳଙ୍କୁ ଅତିରିକ୍ତ ଭାବେ ସଜାଗ କରି ରଖାଯାଇଛି ।
ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ରିଲିଫ, ଖୋଜା ଏବଂ ଉଦ୍ଧାର କାର୍ୟ୍ୟ ନିମନ୍ତେ ଜାହାଜ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ବାୟୁସେନା ଏବଂ ସ୍ଥଳସେନାର ଇଂଜିନିୟର ଟାସ୍କ ଫୋର୍ସ ୟୁନିଟକୁ ବୋଟ୍, ଉଦ୍ଧାରକାରୀ ସରଞ୍ଜାମ ସହିତ ପ୍ରସ୍ତୁତ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ତୁରନ୍ତ ମୁତୟନ କରାଯାଇପାରିବ । ଅପର ପକ୍ଷରେ ପଶ୍ଚିମ ତଟରେ ସାତଟି ଜାହାଜକୁ ମାନବୀୟ ସହାୟତା ଏବଂ ବିପର୍ୟ୍ୟୟ ରିଲିଫ ୟୁନିଟ ଭାବେ ପ୍ରସ୍ତୁତ ରଖାଯାଇଛି । ପଶ୍ଚିମ ଉପକୂଳ ସାରା ସର୍ଭେଲାନ୍ସ ବିମାନ ଏବଂ ହେଲିକପ୍ଟରଗୁଡି଼କ ଅହୋରାତ୍ର ପହରା ଦେଉଛନ୍ତି । ଏହା ବ୍ୟତୀତ ପଶ୍ଚିମ ଉପକୂଳର ତ୍ରିଭେନ୍ଦ୍ରମ୍, କନ୍ନୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିପର୍ୟ୍ୟୟ ରିଲିଫ ଦଳ (ଡିଆରଟି) ତଥା ମେଡ଼ିକାଲ ଟିମ୍ (ଏମଟି)ଙ୍କୁ ଅହୋରାତ୍ର ପ୍ରସ୍ତୁତ ରଖାଯାଇଛି ।
ଶକ୍ତି ମନ୍ତ୍ରଣାଳୟ ମଧ୍ୟ ନିଜର ଆପାତକାଳୀନ କାର୍ୟ୍ୟବ୍ୟବସ୍ଥାକୁ ସକ୍ରିୟ କରିଛି ଓ ଟ୍ରାନ୍ସଫର୍ମର, ଡିଜି ସେଟ୍ ଓ ଅନ୍ୟାନ୍ୟ ଉପକରଣମାନ ମହଜୁଦ ରଖିଛି ଯଦ୍ୱାରା ଘୂର୍ଣ୍ଣିବାତ୍ୟାରେ ବିଜୁଳି ଲାଇନ କ୍ଷୟକ୍ଷତି ହେଲେ ତାହାକୁ ତୁରନ୍ତ ମରାମତି କରାଯାଇପାରିବ । ଅପର ପକ୍ଷରେ ଟେଲିକମ୍ ବିଭାଗ ମଧ୍ୟ ଟେଲିକମ୍ ଟାୱାର ଓ ଏକ୍ସଚେଞ୍ଜଗୁଡ଼ିକ ଉପରେ ନିରବଚ୍ଛିନ୍ନ ଭାବେ ନିଘା ରଖିଛନ୍ତି ଓ ସମ୍ଭାବ୍ୟ କ୍ଷୟକ୍ଷତିକୁ ତୁରନ୍ତ ସଜାଡ଼ିବା ନିମନ୍ତେ ଜାଗତିଆର ରହିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କୁ ଯେଉଁମାନେ କି ଏହି ଘୂର୍ଣ୍ଣିବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ସେମାନଙ୍କୁ ଉପଦେଶାବଳୀ ଜାରି କରାଯାଇଛି ଓ ସେଥିରେ ସ୍ୱାସ୍ଥ୍ୟ କ୍ଷେତ୍ର ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ତଥା କୋଭିଡ଼ ଉପଦ୍ରୁତ କ୍ଷେତ୍ରରେ ଚିକିତ୍ସା ଓ ଅନ୍ୟାନ୍ୟ କାର୍ୟ୍ୟ ଯଥାରୀତି ସମ୍ପାଦନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ୧୦ଟି କୁଇକ୍ ରେସପନ୍ସ ମେଡ଼ିକାଲ ଟିମ୍ ଏବଂ ୫ଟି ସ୍ୱାସ୍ଥ୍ୟ ସେସପନ୍ସ ଟିମକୁ ପ୍ରସ୍ତୁତ ରଖାଯାଇଛି ଯେଉଁମାନେ ଜରୁରି ପରିସ୍ଥିତିରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ । ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜାହାଜଗୁଡ଼ିକର ସୁରକ୍ଷା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ବନ୍ଦରମାନଙ୍କରେ ଜରୁରି ନୌକା ମାନ ଜାଗତିଆର ରଖାଯାଇଛି ।
ଏନଡ଼ିଆରଏଫ ବିପର୍ୟ୍ୟୟ ପ୍ରସ୍ତୁତି କାର୍ୟ୍ୟରେ ରାଜ୍ୟ ଏଜେନ୍ସିମାନଙ୍କୁ ସହାୟତା ଯୋଗାଇ ଦେଉଛି ଏବଂ ଘୂର୍ଣ୍ଣବାତ୍ୟା ପରେ କ୍ଷତିଗ୍ରସ୍ତ ଲୋକମାନଙ୍କ କିଭଳି ଭାବେ କ୍ଷତିଗ୍ରସ୍ତ ସ୍ଥାନମାନଙ୍କରୁ ଉଦ୍ଧାର ଓ ସ୍ଥାନାନ୍ତର କରାଯିବ ସେଥି ନିମନ୍ତେ ସହାୟତା ପରାମର୍ଶ ଦିଆଯାଉଛି । ଏହା ବ୍ୟତୀତ ସମ୍ଭାବ୍ୟ ଘୂର୍ଣ୍ଣବାତ୍ୟାର ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ଜନସାଧାରଣଙ୍କୁ ଲଗାତାର ଭାବେ ପ୍ରଚାର ଅଭିଯାନ ମାଧ୍ୟମରେ ସଚେତକ କରାଯାଉଛି ।
ଏହି ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଲୋକମାନଙ୍କ ନିରାପତ୍ତା ନିମନ୍ତେ ସକଳ ପ୍ରକାର ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରନ୍ତୁ ଏବଂ କିଭଳି ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ ସେ ସଂପର୍କରେ ରାଜ୍ୟ ସରକାରମାନଙ୍କ ସହିତ ଯୋଗାଯୋଗରେ ରହନ୍ତୁ ।

Comments are closed.