ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ

ରାଜ୍ୟପାଳମାନଙ୍କ ୫୦ତମ ବାର୍ଷିକ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

 ଯୁବପିଢ଼ିଙ୍କ ମଧ୍ୟରେ ଗାନ୍ଧୀ ବିଚାରର ପ୍ରସାର ପାଇଁ ରାଜ୍ୟପାଳମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ରାଜ୍ୟପାଳମାନଙ୍କ୫୦ତମ ବାର୍ଷିକ ସମ୍ମିଳନୀ ଶନିବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଉଦଘାଟନୀ ଅଧିବେଶନ ସହ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳମାନେ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିଥିବା ୧୭ ଜଣ ରାଜ୍ୟପାଳ ଓ ଉପରାଜ୍ୟପାଳ ସାମିଲ ଅଛନ୍ତି । ଏଥିସହିତ ସମ୍ମିଳନୀରେ ନବଗଠିତ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଉପରାଜ୍ୟପାଳ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଜଳ ଶକ୍ତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ ୧୯୪୯ ଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଦୀର୍ଘ ଇତିହାସ ଉପରେ ଆଲୋକପାତ କରିଥିଲେ । ଚଳିତ ଥର ୫୦ତମ ସଂସ୍କରଣ ଏହି ସମ୍ମିଳନୀର ବିଗତ ସଂସ୍କରଣର ଉପଲବ୍ଧି ଏବଂ ପରିଣାମର ମୂଲ୍ୟାଙ୍କନ କରିବା ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଲାଗି ଏକ ଅଭିନବ ଅବସର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ସହକାରୀ ଏବଂ ପ୍ରତିଦ୍ୱନ୍ଦ୍ୱୀ ସଂଘୀୟ ବ୍ୟବସ୍ଥାକୁ ସାକାର କରିବାରେ ରାଜ୍ୟପାଳ ପଦବୀର ବିଶେଷ ଭୂମିକା ରହିଛି। ଏହି ସମ୍ମିଳନୀ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ପାଇଁ ବିଚାର ଆଦାନ-ପ୍ରଦାନ କରିବା, ପରସ୍ପରର ଅଭିଜ୍ଞତାରୁ ଶିକ୍ଷା ଲାଭ କରିବା ସହିତ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱତନ୍ତ୍ର ତଥା ବିବିଧ ଆବଶ୍ୟକତା ଏବଂ ସେମାନଙ୍କ ଅନୁକୂଳ ସର୍ବୋତମ ଅନ୍ତର୍ଜାତୀୟ ପ୍ରଚଳନକୁ ଆପଣାଇବା ଲାଗି ସୁଯୋଗ ପ୍ରଦାନ କରିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏମାନଙ୍କ ପ୍ରଶାସନିକ ଢାଂଚା କାରଣରୁ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ବିକାଶ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୨ରେ ଦେଶ ନିଜ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବ ଏବଂ ୨୦୧୭ରେ ୧୦୦ବର୍ଷ ପୂର୍ତ୍ତି ପାଳନ କରିବ । ଏପରି ସ୍ଥଳେ ପ୍ରଶାସନିକ କଳକୁ ଦେଶର ଲୋକମାନଙ୍କ ନିକଟତର କରିବା ଏବଂ ସେମାନଙ୍କୁ ସଠିକ ମାର୍ଗ ଦେଖାଇବାରେ ରାଜ୍ୟପାଳମାନଙ୍କ ଭୂମିକା ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମେ ଭାରତୀୟ ସମ୍ବିଧାନ ଲାଗୁ ହେବାର ୭୦ତମ ବର୍ଷପୂର୍ତ୍ତି ପାଳନ କରିବାକୁ ଯାଉଛୁ । ଏପରି ସ୍ଥିତି ରାଜ୍ୟପାଳ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଭାରତୀୟ ସମ୍ବିଧାନର ବିଭିନ୍ନ ସେବା ଦିଗ, ବିଶେଷ କରି ନାଗରିକଙ୍କ କର୍ତ୍ତବ୍ୟ ଏବଂ ଉତ୍ତରଦାୟିତ୍ୱ ଦିଗରେ ମଧ୍ୟ କାମ କରିବା ଆବଶ୍ୟକ । ଏହାଦ୍ୱାରା  ପ୍ରକୃତରେ ସମସ୍ତଙ୍କ ଭାଗିଦାରୀ ଆଧାରିତ ଶାସନ ପ୍ରତିଷ୍ଠା କରିବାରେ ସହାୟତା ମିଳିପାରିବ ।

image Credit : PTI

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ ଆମେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ୧୫୦ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ । ସେଥିପାଇଁ ରାଜ୍ୟପାଳ ଏବଂ ଉପରାଜ୍ୟପାଳ ଗାନ୍ଧୀବାଦୀ ବିଚାର ଏବଂ ଆଦର୍ଶର ପ୍ରାସଙ୍ଗିକତା ବିଷୟରେ କହିବା ଲାଗି ଏହି ଅବସରର ଲାଭ ଉଠାଇପାରିବେ । ଏହା ଆମ ସମ୍ବିଧାନର ଗୁରୁତ୍ୱପୂର୍ଣ୍ଣ ଆଧାର । ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଜ ଭୂମିକାରେ ରାଜ୍ୟପାଳ ଆମ ଯୁବପିଢ଼ିଙ୍କ ମଧ୍ୟରେ ରାଷ୍ଟ୍ର ନିର୍ମାଣର ମୂଲ୍ୟବୋଧକୁ ବିକଶିତ କରିବା ଏବଂ ସେମାନଙ୍କୁ ଅଧିକରୁ ଅଧିକ ଉପଲବ୍ଧି ଦିଗରେ ଅନୁପ୍ରାଣିତ କରିବାରେ ସହାୟତା ମଧ୍ୟ କରିପାରିବେ ।

ପ୍ରଧାନମନ୍ତ୍ରୀ ନିଜ ଉଦବୋଧନ ଶେଷରେ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ସମୟରେ ସାଧାରଣ ଜନତାଙ୍କ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଅନ୍ତୁ । ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ଯେ ସେ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ, ମହିଳା ଓ ଯୁବପିଢ଼ିଙ୍କ ସହିତ ଦୁର୍ବଳ ଶ୍ରେଣୀର ଲୋକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରନ୍ତୁ । ସେଥିପାଇଁ ସେମାନେ ରାଜ୍ୟ ସରକାରଙ୍କ ସହିତ ମିଶି  କାମ କରିବା ବ୍ୟତୀତ ବର୍ତ୍ତମାନର ଯୋଜନା ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଉପରେ ଧ୍ୟାନ ଦେଇପାରିବେ । ଅଧିକ ନିଯୁକ୍ତି ସୁଯୋଗ ଏବଂ ଗରିବ ଓ ଦଳିତଙ୍କ କଲ୍ୟାଣ ପାଇଁ ନୂତନ ଅବସର ଥିବା କ୍ଷେତ୍ର ଯଥା ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଉପଯୋଗ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯେପରିକି ଯକ୍ଷ୍ମା ବିଷୟରେ ସଚେତନତା ସୃଷ୍ଟି ଏବଂ ୨୦୨୫ ସୁଦ୍ଧା ଭାରତକୁ ରୋଗରୁ ମୁକ୍ତ କରିବା ଦିଗରେ କରାଯିବା ଉଚିତ ।

ଚଳିତ ବର୍ଷର ସମ୍ମିଳନୀରେ ଆଦିବାସୀ ପ୍ରସଙ୍ଗ, କୃଷି କ୍ଷେତ୍ରରେ ସୁଧାର, ଜଳଜୀବନ ମିଶନ, ନୂତନ ଶିକ୍ଷା ନୀତି ଏବଂ ଜୀବନଧାରଣ ସୁଗମତା ପାଇଁ ପ୍ରଶାସନ ଭଳି ପ୍ରସଙ୍ଗ ଏବଂ ସମସ୍ୟା ଆଦି ପାଞ୍ଚଟି ଉପ ସମୂହରେ ବ୍ୟାପକ ଆଲୋଚନା ହେବ । ଏହାର ରିପୋର୍ଟ ପରେ ସମସ୍ତ ଅଂଶଗ୍ରହଣକାରୀ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ଦ୍ୱାରା ବଡ଼ ଫର୍ମାଟରେ ଆଲୋଚନା କରାଯିବାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

Comments are closed.