ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ବିକାଶ ଉପରେ ସରକାରଙ୍କ ଗୁରୁତ୍ୱ

ଗାନ୍ଧିନଗର୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏକବିଂଶ ଶତାବ୍ଦୀରେ କେହି ଯେଭଳି କ୍ଷୁଦ୍ଧାର୍ତ୍ତ ରହିବେ ନାହି କିମ୍ବା କୁପୋଷଣର ଶିକାର ହେବେ ନାହିଁ, ତାହା ନିଶ୍ଚିତ କରିବା ହେଉଛି କୃଷି କ୍ଷେତ୍ର ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ। ଭିଡିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଗୁଜୁରାଟର ଗାନ୍ଧିନଗରଠାରେ ତୃତୀୟ ଆନ୍ତର୍ଜାତିକ ଆଳୁ ସମ୍ମିଳନୀକୁ ଉଦ୍‍ଘାଟନ କରି ସେ କହିଛନ୍ତି, କୃଷକମାନଙ୍କର ଚେଷ୍ଟା ଓ ସରକାରଙ୍କ ନୀତି ବିଭିନ୍ନ ଶସ୍ୟ ଓ ଖାଦ୍ୟପଦାର୍ଥ ଉତ୍ପାଦନ କ୍ଷେତ୍ରରେ ଭାରତକୁ ବିଶ୍ୱର ପ୍ରମୁଖ ୩ଟି ଦେଶ ମଧ୍ୟରେ ସ୍ଥାନ ପାଇବାର ସୁଯୋଗ ପ୍ରଦାନ କରିଛି। ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦୁଇ ଗୁଣ କରିବାପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ବିକାଶ ଦିଗରେ ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଏହି କ୍ଷେତ୍ରକୁ ଶତକଡ଼ା ୧୦୦ ଭାଗ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପାଇଁ ଉନ୍ମୁକ୍ତ କରିବା ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ମାଧ୍ୟମରେ ଗୁଣାବତ୍ତା ବୃଦ୍ଧି ଓ ଭାଲ୍ୟୁ ଚେନ୍‍ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସ ପ୍ରାରମ୍ଭରେ ଏକସଙ୍ଗରେ ୬ କୋଟି କୃଷକଙ୍କ ବ୍ୟାଙ୍କ ଜମାଖାତାକୁ ୧୨ ହଜାର କୋଟି ଟଙ୍କା ପଠାଯାଇ ଏକ ନୂଆ ରେକର୍ଡ଼ ସୃଷ୍ଟି କରାଯାଇଛି। ସେ କହିଛନ୍ତି, ପାରମ୍ପରିକ କୃଷିର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି। କାରଣ କୃଷକ ଓ ଖାଉଟିମାନଙ୍କ ମଧ୍ୟରେ ଥିବା ଦୂରତ୍ୱ କମ୍‍ କରିବା ପ୍ରତି ଗୁରୁତ୍ୱ ଦିଆଯାଉଛି। ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ସରକାର ମଧ୍ୟ କୃଷି ବୈଷୟିକ ଜ୍ଞାନଭିତ୍ତିକ ଷ୍ଟାର୍ଟ ଅପ୍‍ କମ୍ପାନୀଗୁଡ଼ିକ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି, ଯାହାଫଳରେ କୃଷକମାନଙ୍କର ଡାଟାବେସ୍‍ ଓ କୃଷିଜାତ ସାମଗ୍ରୀ ମହଜୁଦ୍‍ ପରିମାଣ ସହାୟତାରେ କୃଷିକାର୍ଯ୍ୟ ବିଜ୍ଞତାର ସହ ସମ୍ପନ୍ନ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ଷୁଦ୍ର ଜଳସେଚନ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ‘ବୁନ୍ଦାଏ ଜଳ, ଅଧିକ ଅମଳ’ର ମନ୍ତ୍ର ସହ କାର୍ଯ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଧୁନିକ ଜୈବ ବୈଷୟିକ ଜ୍ଞାନ, ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍‍ସ୍‍, ବ୍ଲକ୍‍ ଚେନ୍‍ ଓ ଡ୍ରୋନ୍‍ ବୈଷୟିକ ଜ୍ଞାନ ଭଳି ଆଧୁନିକ ଜ୍ଞାନକୌଶଳର କୃଷିକ୍ଷେତ୍ରରେ ବିନିଯୋଗ ଲାଗି କୃଷକମାନଙ୍କଦ୍ୱାରା ଦିଆଯାଉଥିବା ମତାମତ ଗୁରୁତ୍ୱ ବହନ କରେ।

Comments are closed.