ବିନା କୋଠାରେ ଚାଲିଛି ଶହେବର୍ଷର ବିଦ୍ୟାଳୟ

0

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଛି। ପିଲାଙ୍କୁ ନିରାପଦ କୋଠାଘରେ ପାଠ ପଢ଼ାଇବା, ବିଜୁଳି, ପାଣି ଆଦି ମୌଳିକ ସୁବିଧା ଯୋଗାଇବା ନିମନ୍ତେ ଆଇନରେ ବ୍ୟବସ୍ଥା ରହିଛି। ମାତ୍ର ଏସବୁ ନିୟମାବଳି ପ୍ରତି ଗୁରୁତ୍ୱ ଦିଆଯାଉନି। ବିଡ଼ମ୍ବନାର ବିଷୟ ହେଉଛି ୧୦୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଚାଲିଥିବା ବିଦ୍ୟାଳୟ ଘର ଏବେ ବିନା କୋଠାରେ ଚାଲିଛି। ଏଭଳି ସ୍କୁଲ ରହିଛି ଭଦ୍ରକ ଜିଲାରେ। ଜିଲା ଏକୀକୃତ ଶିକ୍ଷା ସୂଚନା ବ୍ୟବସ୍ଥା(ୟୁଡାଇସ) ଜରିଆରେ ସଂଗୃହୀତ ତଥ୍ୟରୁ ଏହା ଜଣାପଡ଼ିଛି। ଏହି ଜିଲାର ତିହିଡ଼ି ବ୍ଳକର ବିଲଣା ପ୍ରାଥମିକ ବିଦ୍ୟାଳୟ ୧୯୦୦ମସିହାରେ ପ୍ରତିଷ୍ଠା ହୋଇଥିଲା। ଏଠାରେ ଏବେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଚାଲିଥିବା ପ୍ରାଥମିକ ବିଦ୍ୟାଳୟରେ ୩୪ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ହେଲେ ୧୧୮ ବର୍ଷର ବିଦ୍ୟାଳୟରେ କୋଠାଘରଟିଏ ନାହିଁ।
ଅନୁରୂପ ଭାବେ ୧୯୪୮ରେ ସ୍ଥାପିତ ପୁରୀ ଡ଼େଲାଙ୍ଗ ବ୍ଳକର ଟାଙ୍ଗି ଭଁସର ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ୧୯୭୨ରେ ସ୍ଥାପିତ ବରଗଡ଼ ଜିଲା ଭଟଲି ବ୍ଲକର ରାସଲି ପ୍ରାଥମିକ ବିଦ୍ୟାଳୟ, ୧୯୮୮ରେ ଭଦ୍ରକ ତିହିଡ଼ି ବ୍ଳକ ତାଳପଦା ହରିଜନ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବିନା କୋଠାଘରେ ଚାଲିଛି। ପୁରୀ ଜିଲାରେ ୯ଟି, ଭଦ୍ରକରେ ୬ଟି, ବରଗଡ଼ ଓ ମୟୂରଭଞ୍ଜରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ବିନା କୋଠାଘରେ ଚାଲିଥିବା ଜଣାପଡ଼ିଛି। ଏସବୁ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ରାଜ୍ୟର ୧୭ଟି ବିଦ୍ୟାଳୟରେ ଆଦୌ କୋଠାଘର ନାହିଁ। ୧୪୪୭ଟି ବିଦ୍ୟାଳୟରେ ଥିବା କୋଠା ଭଙ୍ଗାଦଦରା ଅବସ୍ଥାରେ ଅଛି। ୟୁଡାଇସ ପକ୍ଷରୁ ମିଳିଥିବା ତଥ୍ୟ ବ୍ୟତୀତ ଆହୁରି ଅଧିକ ବିଦ୍ୟାଳୟ ଭଙ୍ଗା ଦଦରା ଅବସ୍ଥାରେ ଥିବାର ସମ୍ଭାବନା ରହିଛି। ଏ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରି ଚୂଡ଼ାନ୍ତ ରିପୋର୍ଟ ପଠାଇବା ନିମନ୍ତେ ଓପେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ସବୁ ଜିଲାର ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦେଶ ଦେଇଛନ୍ତି।
ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପିନ୍ଦ୍ର ସିଂ ପୁନିଆ ଜିଲା ପ୍ରକଳ୍ପ ସଂଯୋଜକମାନଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖି ରାଜ୍ୟର କେଉଁସବୁ ସରକାରୀ ବିଦ୍ୟାଳୟରେ କୋଠାଘର ନାହିଁ ଏବଂ କେଉଁ ବିଦ୍ୟାଳୟଗୁଡ଼ିକ ବିପଦସଙ୍କୁଳ ଦଦରା ଘରେ ଚାଲିଛି ତାହାର ତନଖି କରି ଜୁଲାଇ ୩୧ସୁଦ୍ଧା ରିପୋର୍ଟ ପଠାଇବାକୁ ନିର୍ଦେଶ ଦେଇଛନ୍ତି।

ଯାଞ୍ଚ ହେବ ବିଦ୍ୟାଳୟ ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟରେ ସୁରକ୍ଷା ନିୟମ ପାଳନ ଲାଗି ରାଜ୍ୟ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓପେପା) ପକ୍ଷରୁ ଜିଲା ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ବିଦ୍ୟାଳୟ ନିରାପତ୍ତା କମିଟି ଗଠନ ସହ ଏ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରିବା ଏବଂ ସୁରକ୍ଷା ନିୟମ ପାଳନ ଦିଗରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କାନ୍ଥ ପଡି କିମ୍ବା ପୋଖରୀରେ ବୁଡି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟୁଛି। ନିକଟରେ ଭଦ୍ରକ ଜିଲାରେ ଏକ ବିଦ୍ୟାଳୟର କାନ୍ଥ ଭୁଶୁଡି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଓପେପା ପକ୍ଷରୁ ବିଦ୍ୟାଳୟ ସୁରକ୍ଷା ନିୟମ ପାଳନ କରିବା ସହ ବିପଦସଂକୁଳ ସ୍ଥାନ ଚିହ୍ନଟ ଏବଂ ମରାମତି ଲାଗି ନିର୍ଦେଶ ଦିଆଯାଇଥିଲା। ଏ ସମ୍ପର୍କିତ ରିପୋର୍ଟ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିବା ଲାଗି ମଧ୍ୟ ସମସ୍ତ ବିଦ୍ୟାଳୟକୁ ନିର୍ଦେଶ ଦିଆଯାଇଥିଲା। ଏ ସମ୍ପର୍କରେ ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି ଯେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‍ଡମା)ନିୟମାବଳୀ ପାଳନ ଲାଗି ସମସ୍ତ ବିଦ୍ୟାଳୟକୁ ପରାମର୍ଶ ଦିଆଯାଇଛି।

Leave A Reply