ଭୁଶୁଡ଼ିଲାଣି ପ୍ରାଥମିକ ଶିକ୍ଷା; ନେଟ୍‌ୱର୍କ ଅପହଞ୍ଚ, କାମ ଦେଉନି ଅନ୍‌ଲାଇନ ପାଠ

-ବିକଳ୍ପ ବ୍ୟବସ୍ଥା ନାହିଁ; ୫୦ଭାଗ ପିଲା ପଢ଼ାରୁ ବଞ୍ଚିତ -୯୦ଭାଗ ପିଲା ୪୦ଭାଗ ପାଠ ପଢ଼ିପାରିନାହାନ୍ତି: ରିପୋର୍ଟ

ଭୁବନେଶ୍ୱର: ୬ ମାସ ହେଲା ସ୍କୁଲ ବନ୍ଦ। ପିଲାଙ୍କ ପାଠରେ ଡ଼ୋରି। ପଢ଼ିବାର ଏକମାତ୍ର ମାଧ୍ୟମ ଅନ୍‌ଲାଇନ କ୍ଲାସ। ଏଥିପାଇଁ ଲୋଡ଼ା ଦାମିକିଆ ଆଣ୍ଡ୍ରଏଡ ହାଣ୍ଡସେଟ ମୋବାଇଲ ଏବଂ ପିଲା ପାଢ଼ ପଢ଼ୁଥିବା ଅଞ୍ଚଳରେ ନେଟୱର୍କ। କିନ୍ତୁ ଓଡ଼ିଶା ଭଳି ପଛୁଆ ରାଜ୍ୟରେ ଏସବୁ ସମ୍ଭବ ହୋଇପାରୁନି, ପିଲା ପାଠ ପଢ଼ିପାରୁନାହାନ୍ତି।
କଲେଜ ପିଲା ଯେତେବେଳେ ଅନଲାଇନ ମାଧ୍ୟମରେ ପଢ଼ିବାର ସୁଯୋଗ ପାଉନାହାନ୍ତି ସେତେବେଳେ ପ୍ରାଥମିକ ବିଦ୍ୟାଳୟରୁ ବିଦ୍ୟାରମ୍ଭ କରିବାକୁ ନାମ ଲେଖାଇଥିବା କୁନି କୁନି ପିଲା କି ପ୍ରକାର ଶିକ୍ଷା ପାଉଥିବେ ତାହା ସହଜରେ ଅନୁମେୟ। କୋଭିଡ଼ ଜନଜୀବନକୁ ବିପଦ ଭିତରକୁ ଠେଲିଦେବା ସହିତ ଆମ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ସେମାନଙ୍କ ପାଇଁ ଏବେ ପାଠ ପଢ଼ିବା ମୁସ୍କିଲ। ତେଣୁ ପିଲାଙ୍କ ମୂଳଦୁଆ ତିଆରି ହେଉଥିବା ପ୍ରାଥମିକ ଶିକ୍ଷା କ୍ଷେତ୍ରଟି ଏବେ ଭୁଶୁଡ଼ି ପଡ଼ିଲାଣି।

ଗତ ମାର୍ଚ୍ଚ ୧୬ରୁ ସ୍କୁଲ ହେବାର ଦୀର୍ଘ ୪ ମାସ ପରେ ଜୁଲାଇରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓପେସା ଜରିଆରେ ପ୍ରଥମରୁ ଅଷ୍ଟମ ପିଲାଙ୍କ ପାଠପଢ଼ା ନିମନ୍ତେ ସଂଯୋଗ ଅନଲାଇନରେ କ୍ଲାସ ଆରମ୍ଭ ହୋଇଥିଲା। କିନ୍ତୁ ବାସ୍ତବରେ ପିଲା ପାଠ ପଢ଼ୁଛନ୍ତି କି ନା ତାହାର କେହି ମୂଲ୍ୟାୟନ କରୁନାହାନ୍ତି। କାରଣ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଛୋଟ ପିଲା ଯିଏ କଲମ ବା ଖଡ଼ି ଧରିବା ଶିଖି ନାହାନ୍ତି ସେମାନେ ମୋବାଇଲ ଧରି କେଉଁ ଆପ୍‌ରେ କି ପାଠ ପଢ଼ିବେ? ଆଉ ଯଦି ଅଭିଭାବକଙ୍କ ଜରିଆରେ ଏହା କରିବାକୁ କୁହାଯାଉଥାଏ ତେବେ ଆମର ତଫସିଲଭୁକ୍ତ, ଆଦିବାସୀ ଅଧ୍ୟୁଷିତ, ଦୁର୍ଗମ ତଥା ନିପଟ ଗ୍ରାମାଞ୍ଚଳରେ ଥିବା ଅଭିଭାବକ କେତେ ମାତ୍ରାରେ ମୋବାଇଲ ବ୍ୟବହାର କରନ୍ତି ତାହା ସମସ୍ତଙ୍କୁ ଜଣା।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୪୬,୧୫୪। ଏଥିସହିତ ୧୮୮୭ଟି ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ଏବଂ ସରସ୍ୱତୀ, ବିବେକାନନ୍ଦ ଭଳି ବିଦ୍ୟାଳୟକୁ ମିଶାଇଲେ ୫୮୫୨ ବେସରକାରୀ ବିଦ୍ୟାଳୟ ରହିଛି। ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବା ଯୋଜନାରେ ଇତିମଧ୍ୟରେ ୫୧୨୦ଟି ବିଦ୍ୟାଳୟ ବନ୍ଦ ହୋଇସାରିଥିବାବେଳେ ଆହୁରି ୯୦୦ ବନ୍ଦ ପାଇଁ ପ୍ରକ୍ରିୟା ଚାଲିଛି। ଏସବୁ ବିଦ୍ୟାଳୟରେ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢ଼ୁଛନ୍ତି।

ବିଦ୍ୟାଳୟରେ ପଢ଼ାଇବାର ତରିକା ହେଉଛି ଶିକ୍ଷକମାନେ ପାଠ୍ୟ ବିଷୟବସ୍ତୁକୁ ଭିଡ଼ିଓ ଆକାରରେ ପ୍ରସ୍ତୁତ କରି ପିଲାଙ୍କ ମୋବାଇଲ ଆପ୍‌ରେ ପଠାଉଛନ୍ତି। ଅନଲାଇନରେ ରୋଲ କଲ କରିବା ସହିତ
ଗୀତ, ନାଚ ମାଧ୍ୟମରେ ଭିଡ଼ିଓ କରି ପଠାଉଛନ୍ତି।

ଏସବୁ ଭିତରେ ବାସ୍ତବ କଥାଟି ହେଲା ୫୦ପ୍ରତିଶତ ପିଲାଙ୍କ ପାଖରେ ପାଠ ପହଞ୍ଚିପାରୁନି। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତା, ଅଭିଭାବକ ଓ ପିଲାମାନେ ଏଥିନେଇ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ଗ୍ରାମାଞ୍ଚଳରେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦୁର୍ଗମ ଅଞ୍ଚଳରେ ଯେଉଁଠି ମୋବାଇଲ ନେଟୱାର୍କ ସ୍ୱପ୍ନ ସେଠିକାର ପିଲା ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଆସନ୍ତା ନଭେମ୍ବରରୁ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ। ସରକାର ପାଠ୍ୟକ୍ରମର ଆକାର ୩୦ପ୍ରତିଶତ ହ୍ରାସ ମଧ୍ୟ କରିଛନ୍ତି। ହେଲେ ଶିକ୍ଷକ ସଙ୍ଗଠନଗୁଡ଼ିକ ପାଠ୍ୟକ୍ରମ ୪୦ ପ୍ରତିଶତ ହ୍ରାସ କରିବା ସହିତ ନଭେମ୍ବରରୁ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ଦାବି ରଖିଛନ୍ତି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ମହାସଚିବ ଅମୀୟକୁମାର ଦାଶ କହିଛନ୍ତି ଯେ ଏବେ ୩୦ପ୍ରତିଶତ ପାଠ୍ୟକ୍ରମ କମାଯାଇଥିଲେ ହେଁ ଆମେ ୪୦ ପ୍ରତିଶତ କମାଇବାକୁ ଦାବି ରଖିଛୁ। ଏହାଛଡ଼ା ନଭେମ୍ବରରୁ ଶିକ୍ଷା ବର୍ଷ ଆରମ୍ଭ କରିବା, ସ୍କୁଲ ଖୋଲିଲେ ବିଶୋଧନ କରିବା, ପିଲାଙ୍କୁ ମାସ୍କ ଯୋଗାଇବା, ବିଶୋଧନ ଯନ୍ତ୍ର ଯୋଗାଇବାକୁ ମଧ୍ୟ ଦାବି ରଖାଯାଇଛି। କୋଭିଡ଼ ପ୍ରଭାବ ନକମିଲେ ଅଡ଼ ଓ ଇଭିନ ପ୍ରଣାଳୀରେ କ୍ଲାସ ଆରମ୍ଭ କରିବାକୁ ମଧ୍ୟ ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ତେବେ ଅନ୍‌ଲାଇନ ପାଠପଢ଼ାରେ କେତେ ପିଲା ଉପକୃତ ହେଉଛନ୍ତି ସେ ବିଷୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଜିଲା ଓ ବ୍ଳକ ଶିକ୍ଷା ଅଧିକାରୀଙ୍କଠାରୁ ରିପୋର୍ଟ ମଗାଯାଇଥିବାବେଳେ ଏଥିନେଇ ନୈରାଶ୍ୟଜନକ ରିପୋର୍ଟ ଆସିଛି। କିଛି ବ୍ଳକ ଶିକ୍ଷା ଅଧିକାରୀ ବିଭାଗ ନିକଟକୁ ଲେଖିଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ରହିବା ଫଳରେ ଚଳିତ ଶିକ୍ଷାବର୍ଷର ପାଠ୍ୟକ୍ରମ ମଧ୍ୟରୁ ୯୦ପ୍ରତିଶତ ଛାତ୍ରଛାତ୍ରୀଙ୍କର ୪୦ପ୍ରତିଶତ ପାଠ ମାଡ଼ ଖାଇଛି। ଇଣ୍ଟରନେଟ ଓ ମୋବାଇଲ ସେବା ଅଭାବରୁ ଏପରି ଘଟୁଛି। ସେସବୁ ପାଠ ଭରଣା ପାଇଁ ଉଦ୍ୟମ କରାଯିବ। ସମ୍ପୂର୍ଣ୍ଣ ଭାବେ ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି।

Comments
Loading...