ପ୍ରାଥମିକ ଶିକ୍ଷା : ବ୍ୟବସ୍ଥା ଢିଲା,ପାଠ ଛାଡ଼ୁଛନ୍ତି ପିଲା

‘ସୁବର୍ଣ୍ଣପୁରର ସମ୍ପର୍କ ଯୋଡୁଛି ‘ଶିକ୍ଷା ସେତୁ’, ଗାଁକୁ ଯାଇ ଅଭିଭାବକଙ୍କୁ ବୁଝାଇବାକୁ ଡିଇଓଙ୍କୁ ନିର୍ଦେଶ

ଭୁବନେଶ୍ବର  : କରୋନା କେବଳ ଜନଜୀବନକୁ ପ୍ରଭାବିତ କରିନାହିଁ ବରଂ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି। ସଂକ୍ରମଣ ଭୟରେ ଦୀର୍ଘ ପ୍ରାୟ ଦୁଇ ବର୍ଷ ଧରି ବିଦ୍ୟାଳୟ ବନ୍ଦ ଥିବାରୁ ପ୍ରାଥମିକ ବିଦ୍ୟାଳୟ ମାଟି ମାଡ଼ିନାହାନ୍ତି ଛାତ୍ରଛାତ୍ରୀ। ସରକାର ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚିନ୍ତନ ଓ ମନ୍ଥନ କରୁଥିଲେ ମଧ୍ୟ ବିଦ୍ୟାଳୟ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇପାରୁନି। ଏଭଳି ସ୍ଥିତିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧାରୁ ପାଠ ଛାଡ଼ିବା ପିଲାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିନ୍ତା ବଢୁଥିବାବେଳେ ଗାଁକୁ ଯାଇ ଘରକୁ ଘର ବୁଲି ଅଭିଭାବକଙ୍କୁ ସଚେତନ କରିବାକୁ ସବୁ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲା ପ୍ରଶାସନର ଅଭିନବ ପଦକ୍ଷେପ ଯୋଗୁଁ ଅଧାରୁ ପାଠପଢା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ସହ ‘ଶିକ୍ଷା ସେତୁ’ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ନୂଆ ସମ୍ପର୍କ ଯୋଡ଼ିଛି।
ରାଜ୍ୟରେ ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ଥିବାରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଢିଲା ହେଉଥିବାବେଳେ ବିଦ୍ୟାଳୟରେ ତାଲା ଝୁଲି ରହିଛି। ସେଥିଯୋଗୁଁ ସମଗ୍ର ରାଜ୍ୟରେ ଅଧାରୁ ପାଠଛଡ଼ା(ଡ୍ରପ୍‌ଆଉଟ୍‌) ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅହେତୁକ ଭାବେ ବଢିବାରେ ଲାଗିଛି। ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷା ଦାନ ଆରମ୍ଭ ହୋଇନି। ପ୍ରାୟ ୧୯ ମାସ ମଧ୍ୟରେ ଛାତ୍ରଛାତ୍ରୀଙ୍କର କୌଣସି ପାଠପଢା ଶ୍ରେଣୀଗୃହରେ ହୋଇନି। ରାଜ୍ୟରେ ପ୍ରାୟ ୧ ଲକ୍ଷ ୧୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧାରୁ ପାଠଛାଡ଼ିଥିବା ନେଇ ବିଭାଗ ତଥ୍ୟ ପାଇଛି। ଏହି ତଥ୍ୟ ମିଳିବା ପରେ ବିଭାଗର ମୁଣ୍ଡ ବିନ୍ଧା ବଢିଥିବାବେଳେ ଡିଇଓଙ୍କୁ ଏ ଦିଗରେ କଡ଼ା ନିର୍ଦେଶ ଦିଆଯାଇଛି। ଗାଁକୁ ଯାଇ ପାଠ ଛାଡ଼ିଥିବା ପିଲା ଓ ଅଭିଭାବକଙ୍କୁ ବୁଝାଇବା ସହ ସେମାନଙ୍କୁ ପୁନର୍ବାର ବିଦ୍ୟାଳୟ ଆଣିବାକୁ କୁହାଯାଇଛି। କେତେ ପିଲା ପୁନର୍ବାର ଶିକ୍ଷାନୁଷ୍ଠାନରେ ନାମ ଲେଖାଇଲେ ଓ ପାଠପଢା ସହ ଜଡ଼ିତ ହେଲେ ତା’ର ତଥ୍ୟ ବିଭାଗ ନିକଟରେ ଦାଖଲ କରିବାକୁ କୁହାଯାଇଛି। ରାଜ୍ୟରେ ପ୍ରାୟ ୪୫% ଛାତ୍ରଛାତ୍ରୀ ସଞ୍ଚାର ଜରିଆରେ(ଅନ୍‌ଲାଇନ୍‌) ପାଠ ପଢୁଥିବାବେଳେ ୫୫% ବଞ୍ଚିତ ହେଉଛନ୍ତି। ସବୁ ପିଲାଙ୍କୁ ନିକଟରେ ଅନ୍‌ଲାଇନ୍‌ ପାଠପଢା ପହଞ୍ଚିପାରୁନି। ବିଦ୍ୟାଳୟ ଖୋଲିବା ସପକ୍ଷରେ କିଛି ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଅଭିଭାବକ ମତପୋଷଣ କରୁଥିଲେ ମଧ୍ୟ ବିଭାଗ କୌଣସି ନିଷ୍ପତ୍ତି ନେଇପାରୁନି। ସବୁଠାରୁ ବଡ଼କଥା ହେଲା ଅନ୍ୟ ଉପାନ୍ତ ଅଞ୍ଚଳ ବ୍ୟତୀତ ଉପକୂଳରେ ମଧ୍ୟ ସମାନ ସ୍ଥିତି ସାମ୍ନାକୁ ଆସିଛି।
ତେବେ ସୁବର୍ଣ୍ଣପୁର ଜିଲାରେ ଜିଲାପାଳ ଆବୋଲି ସୁନିଲ ନାରବାନେ ଆରମ୍ଭ କରିଛନ୍ତି ‘ଶିକ୍ଷା ସେତୁ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ଗାଁକୁ ଯାଇ ବିଦ୍ୟାର୍ଥୀ ଓ ଅଭିଭାବକଙ୍କୁ ଭେଟୁଛନ୍ତି। ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଇବା ସହ ପଢ଼ା ଜାରି ରଖିବାକୁ ସଚେତନ କରୁଛନ୍ତି। ଘରେ ପାଠପଢା ଜାରି ରଖିବାକୁ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ନିୟମିତ ବ୍ୟବଧାନରେ ପିଲାଙ୍କ କଥା ବୁଝୁଛନ୍ତି। ସେଥିଯୋଗୁଁ ଜିଲାରେ ଡ୍ରପ୍‌ଆଉଟ୍‌ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରିଛି। ତେବେ ଗଣଶିକ୍ଷା ବିଭାଗ ସୁବର୍ଣ୍ଣପୁର ଜିଲାର ସଫଳତାକୁ ଅନୁଧ୍ୟାନ କରୁଛି। ତେବେ ରାଜ୍ୟରେ ଏହା ଲାଗୁ ହେବ କି ନାହିଁ ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଅଧାରୁ ପାଠଛାଡୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା କମାଇବାକୁ ବିଭାଗ ପକ୍ଷରୁ ବିବିଧ ପଦକ୍ଷେପ ନିଆଯାଉଛି। ଡିଇଓଙ୍କୁ ଅଭିଭାବକଙ୍କୁ ସଚେତନ କରାଇବା ସହ ପାଠ ଛାଡ଼ିଥିବା ପିଲାଙ୍କୁ ପୁନର୍ବାର ଶିକ୍ଷା ସହ ଯୋଡ଼ିବାକୁ କୁହାଯାଇଛି। କରୋନା ଯୋଗୁଁ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହି ସଙ୍କଟ ସମୟରେ କିଭଳି ଅଧାରୁ ପାଠଛଡ଼ା ରୋକାଯିବ ସେ ଦିଗରେ ଆମେ କାମ କରୁଛୁ ବୋଲି ସେ କହିଛନ୍ତି।

Comments are closed.