ଦରଦାମ ବୃଦ୍ଧି ମୋଦୀ ସରକାରଙ୍କୁ ମହଙ୍ଗା ପଡ଼ିପାରେ : ରାମଦେବ

0

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ରବିବାର ଦେଶରେ ଦରଦାମ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହାସହ ଦରଦାମ ବୃଦ୍ଧିକୁ ଶୀଘ୍ର ନିୟନ୍ତ୍ରଣକୁ ଅଣା ନ ଗଲେ ଏହା ୨୦୧୯ ସାଧାରଣ ନିର୍ବାଚନରେ ମୋଦୀ ସରକାରଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି ରାମଦେବ କହିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ଭଳି ୨୦୧୯ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ନାହିଁ ବୋଲି ରାମଦେବ ସୂଚନା ଦେଇଛନ୍ତି। ଏନ୍‍ଡିଟିଭି ଯୁବା କାର୍ଯ୍ୟକ୍ରମରେ ଯୋଗଦେଇ ରାମଦେବ କହିଥିଲେ ଯେ ମୋଦୀ ସରକାରଙ୍କ ବିଭିନ୍ନ ନୀତିର ଅନେକ ପ୍ରଶଂସା କରୁଛନ୍ତି, କିନ୍ତୁ କେତେକ ନୀତିରେ ସଂଶୋଧନ ଆବଶ୍ୟକ। ଦରଦାମ ବୃଦ୍ଧି ଏବେ ଚିନ୍ତାର ବିଷୟ ହୋଇଛି। ଦରଦାମ ବୃଦ୍ଧିକୁ ଶୀଘ୍ର ନିୟନ୍ତ୍ରଣକୁ ଅଣାନଗଲେ ଏହା ମୋଦୀ ସରକାରଙ୍କୁ ମହଙ୍ଗା ପଡିପାରେ। ସେହିପରି ସେ ୨୦୧୯ରେ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ଓ ସେ ସମସ୍ତ ରାଜନୈତିକ ଦଳ ସହ ଅଛନ୍ତି ବୋଲି କହିଛନ୍ତି। ଏହି ଅବସରରେ ସେ ମୋଦୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଭଳି କେତେକ ନୀତିର ପ୍ରଶଂସା କରିଥିଲେ। ପେଟ୍ରୋଲ ଓ ଡିଜେଲକୁ ଜିଏସ୍‍ଟି ପରିସର ଭୁକ୍ତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବଳାତ୍କାର ବୃଦ୍ଧିକୁ ନେଇ ସେ ଉଦ୍‍ବେଗ ପ୍ରକାଶ କରିବା ସହ ଯୋଗ ଦ୍ୱାରା ଏହାକୁ ରୋକିହେବ ବୋଲି ମତବ୍ୟକ୍ତ କରିଛନ୍ତି।

Leave A Reply