ମାସ୍କର ଦାମ୍ ୧୧ କୋଟି ଟଙ୍କା! ୧୮ କ୍ୟାରେଟ୍ ସୁନା ଉପରେ ହୀରା ଛାଉଣି

ଜେରୁଜେଲମ: କରୋନାରୁ ରକ୍ଷା ପାଇବା ନିମନ୍ତେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଓ ଅନ୍ୟ ସ୍ବାସ୍ଥ୍ୟ ବିଭାଗଗୁଡ଼ିକ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । କିଛି ସ୍ଥାନରେ ମାସ୍କ ନ ପିନ୍ଧିଲେ ଜେଲ ଓ ଜୋରିମାନା ବ୍ୟବସ୍ଥା ମଧ୍ୟ କରାଯାଇଛି । ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ମାସ୍କ ପିନ୍ଧୁଥିବା ଦେଖାଯାଉଛି । କଟକରେ ଓ ବାଙ୍ଗାଲୁରୁରେ ଜଣେ ଦୁଇଜଣ ଲୋକ ସୁନା ମାସ୍କ ପିନ୍ଧିିଥିବା ନଜରକୁଆସିଛି । ମାତ୍ର ଏକ କମ୍ପାନୀ ତ ଏତେ ମହଙ୍ଗା ମାସ୍କ ପ୍ରସ୍ତୁତ କରିଛି ଯେ ତାହାକୁ ସାଧାରଣ ଲୋକ ତ ଦୂରର କଥା ବିଲ୍ ଗେଟ୍ସ କିମ୍ବା ଅମ୍ବାନୀ ପରି ପରିବାର ଲୋକ କିଣିବାର କ୍ଷମତା ରଖିଛନ୍ତି ।

ସୂଚନା ଅନୁସାରେ ଇସ୍ରାଏଲର ଗହଣା ପ୍ରସ୍ତୁତକାରୀ କମ୍ପାନୀ ‘ୟୁଭେଲ ଇନ୍ ମୋଟଜା’ (ୱାଇଆଇଏମ୍) ବିଶ୍ଵର ସବୁଠାରୁ ମହଙ୍ଗା ମାସ୍କ ପ୍ରସ୍ତୁତ କରିଛି ।  ସୁନା ଓ ହୀରାରେ ଏହି ମାସ୍କ ନିର୍ମାଣ ହୋଇଛି । ଏହାର ଭିତର ପାର୍ଶ୍ଵରେ ଏନ୍-୯୯ ଫିଲ୍ଟର ଲଗାଯାଇଛି । ୧୮କ୍ୟାରେଟ ସୁନା ଉପରେ ୩୬୦୦ କଳା-ଧଳା ହୀରା ଲଗାଯାଇ ଏହି ମାସ୍କ ନିର୍ମାଣ ହୋଇଛି । ଜଣେ ଗ୍ରାହକଙ୍କ ବରାଦ ଅନୁସାରେ ଏହି କମ୍ପାନୀ ଏହି ମାସ୍କ ପ୍ରସ୍ତୁତ କରିଛି ବୋଲି କୁହାଯାଉଛି ।

ଏହି ମାସ୍କ ବରାଦ କରିଥିବା ବ୍ୟକ୍ତି ନିଜ ପରିଚୟ ପ୍ରକାଶ କରିବାକୁ ଚାହିଁ ନାହାନ୍ତି । ତେବେ ସେ ଦୁନିଆଁର ସବୁଠାରୁ ମହଙ୍ଗା ମାସ୍କ ପ୍ରସ୍ତୁତ କରିବାକୁ କହିଥିଲେ ଓ ତାହା ଆମେ କରିପାରିଛୁ । ତେବେ ସେ ଜଣେ ଚୀନା ବ୍ୟବସାୟୀ, ଯିଏ କି ଆମେରିକାରେ ରହୁଛନ୍ତି ବୋଲି କମ୍ପାନୀ ସୂଚନା ଦେଇଛି । ମାସ୍କ ନିର୍ମାଣରେ ୧.୨ ନିୟୁତ ଡ଼ଲାର (ଭାରତୀୟ ମୁଦ୍ରାରେ ୧୧ କୋଟି ୨୬ ଲକ୍ଷ ଟଙ୍କା) ବ୍ୟୟ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Comments are closed.