ଶାସ୍ତ୍ରୀ ଜୟନ୍ତୀରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ ତମ ଜନ୍ମ ବାର୍ଷିକୀରେ ଆଜି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏକ ଟୁଇଟରେ କହିଛନ୍ତି ଯେ ଭାରତର ମହାନ ପୁତ୍ର ଲାଲ ବାହାଦୂର ଶାସ୍ତ୍ରୀ ଅତୁଳନୀୟ ଉତ୍ସର୍ଗୀକୃତ ହୋଇ ଦେଶ ସେବା କରିଥିଲେ। ସେ କହିଛନ୍ତି, ସବୁଜ ବିପ୍ଳବ, ଶ୍ୱେତ ବିପ୍ଳବ ଏବଂ ଯୁଦ୍ଧକାଳୀନ ନେତୃତ୍ୱରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୌଳିକଙ୍କ ଭୂମିକା ଦେଶକୁ ପ୍ରେରଣା ଯୋଗାଇବାରେ ଲାଗିଛି।

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କହିଛନ୍ତି, ଲାଲ ବାହାଦୂର ଶାସ୍ତ୍ରୀ ସରଳତା, ନମ୍ରତା ଏବଂ ଜ୍ଞାନର ଏକ ନିଚ୍ଛକ ଉଦାହରଣ। ଶ୍ରୀ ନାଇଡୁ କହିଛନ୍ତି ଯେ ସେ ତାଙ୍କ ଆଦର୍ଶ ଓ ନେତୃତ୍ୱ ସହିତ ଜଟିଳ ସମୟ ମଧ୍ୟରେ ଦେଶ ପରିଚାଳନା କରିଥିଲେ। ସେ କହିଛନ୍ତି, ଶାସ୍ତ୍ରୀ ଜୀଙ୍କ ଜୟ ଜୱାନ-ଜୟ କିସାନ ଡାକରା ସମଗ୍ର ଦେଶକୁ ଆଭ୍ୟନ୍ତରୀଣ ତଥା ବାହ୍ୟ ବିପଦକୁ ମୁକାବିଲା କରିବା ପାଇଁ ଶକ୍ତି ପ୍ରଦାନ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟୁଇଟରେ କହିଛନ୍ତି ଯେ ଲାଲ ବାହାଦୂର ଶାସ୍ତ୍ରୀ ଜୀ ନମ୍ର ଏବଂ ଦୃଢ ଥିଲେ। ସେ କହିଛନ୍ତି, ଶାସ୍ତ୍ରୀ ଜୀ ସରଳତାର ଉଦାହରଣ ଥିଲେ ଏବଂ ଆମ ଦେଶର କଲ୍ୟାଣ ପାଇଁ ସଂଗ୍ରାମ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପାଇଁ ସେ କରିଥିବା ସମସ୍ତ କାର୍ଯ୍ୟ ପାଇଁ ଆମେ ତାଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରୁଛୁ।

Comments are closed.