ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ବାର୍ତ୍ତା- ଜାତୀୟ ପତାକା ଏବଂ ସମ୍ବିଧାନ ପ୍ରତି ଆମେ ସମ୍ମାନ ଓ ଆସ୍ଥା ବ୍ୟକ୍ତ କରିବା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦବୋଧନ ଦେବା ସହିତ ଅନେକ ବାର୍ତ୍ତା ପ୍ରଦାନ କରିଛନ୍ତି। ବିଶ୍ଵର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ୭୨ ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ସମସ୍ତଙ୍କୁ ରାଷ୍ଟ୍ରପତି ଶୁଭକାମନା ଜଣାଇବା ସହିତ ଦେଶ ପ୍ରତି କୃଷକଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକ, ଯବାନଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟକର୍ମୀ, ଡାକ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, ଆମର ଏହି ଦେଶରେ ବିବିଧତାରେ ସମୃଦ୍ଧ ଆମ ଜାତୀୟ ଉତ୍ସବକୁ ସମସ୍ତେ ବଡ଼ ଦେଶଭକ୍ତିର ସହ ପାଳନ କରନ୍ତି। ଗଣତନ୍ତ୍ର ଦିବସର ରାଷ୍ଟ୍ରୀୟ ପର୍ବକୁ ମଧ୍ୟ ଆମେ ସମ୍ପୂର୍ଣ୍ଣ ଉତ୍ସାହ ସହିତ ପାଳନ କରିବା ଏବଂ ଆମ ଜାତୀୟ ପତାକା ତଥା ସମ୍ବିଧାନ ପ୍ରତି ସମ୍ମାନ ଓ ଆସ୍ଥା ବ୍ୟକ୍ତ କରିବା।

 

କରୋନା ଭୂତାଣୁ ବିରୋଧୀ ଲଢ଼େଇ ପାଇଁ ଆମ ବୈଜ୍ଞାନିକମାନେ ଦିନ ରାତି ପରିଶ୍ରମ କରି ବହୁ କମ୍‌ ସମୟ ମଧ୍ୟରେ କରୋନା ଟିକା ପ୍ରସ୍ତୁତ କରିଛନ୍ତି। ପୂରା ମାନବଜାତିର କଲ୍ୟାଣ ପାଇଁ ସେମାନେ ଇତିହାସ ରଚିଛନ୍ତି। ଆମର ସମସ୍ତ କୃଷକ, ଯବାନ ଏବଂ ବୈଜ୍ଞାନିକମାନେ ସ୍ବତନ୍ତ୍ର ଭାବେ ଶୁଭେଚ୍ଛାର ପାତ୍ର ଏବଂ କୃତଜ୍ଞ ରାଷ୍ଟ୍ର ଗଣତନ୍ତ୍ର ଦିବସର ଶୁଭ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ କରୁଛି ବୋଲି ରାଷ୍ଟ୍ରପତି କୋବିନ୍ଦ କହିଥିଲେ।

ସେ ଆହୁରି କହିଥିଲେ ଯେ, ଗତବର୍ଷ ଯେତେବେଳେ ସମଗ୍ର ମାନବଜାତି ଏକ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା, ସେତେବେଳେ ମୁଁ ଭାରତୀୟ ସମ୍ବିଧାନର ମୌଳିକ ଉପାଦାନଗୁଡ଼ିକ ଉପରେ ଧ୍ୟାନ ଦେଇଥିଲି। ମୋର ବିଶ୍ୱାସ ଯେ, କେବଳ ଆମର ଭ୍ରାତୃଭାବର ସାମ୍ବିଧାନିକ ଆଦର୍ଶର ଶକ୍ତି ବଳରେ ଏହି ସଙ୍କଟର ମୁକାବିଲା କରିବା ସମ୍ଭବ ହୋଇଛି।

ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ସେବା ପ୍ରଶାସକ ଏବଂ ପରିମଳ କର୍ମଚାରୀ ନିଜ ଜୀବନକୁ ବିପଦରେ ପକାଇ ଦେଶବାସୀଙ୍କ ଦେଖାଶୁଣା କରିଛନ୍ତି। ଅନେକେ ନିଜର ପ୍ରାଣ ତ୍ୟାଗ ମଧ୍ୟ କରିଛନ୍ତି। ଏହି ମହାମାରୀ ଦେଶର ପ୍ରାୟ ଦେଢ଼ଲକ୍ଷ ନାଗରିକଙ୍କ ଜୀବନ ନେଇଛି। ସେମାନଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ରାଷ୍ଟ୍ରପତି ଗଭୀର ସମବେଦନା ଜଣାଇଥିଲେ। ଏହି ମହାମାରୀ ଯୋଗୁ ଆମ ପିଲା ଏବଂ ଯୁବ ପିଢ଼ିର ଶିକ୍ଷା ପ୍ରକ୍ରିୟାରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। କିନ୍ତୁ ଆମର ଅନୁଷ୍ଠାନ ଏବଂ ଶିକ୍ଷକମାନେ ଶୀଘ୍ର ନୂତନ ଜ୍ଞାନକୌଶଳ ଗ୍ରହଣ କଲେ ଛାତ୍ରମାନଙ୍କ ଶିକ୍ଷା ଜାରି ରହିବ ବୋଲି ସେ କହିଛନ୍ତି।

ନିକଟରେ ଜିଏସଟି ସଂଗ୍ରହରେ ରେକର୍ଡ ପରିମାଣରେ ବୃଦ୍ଧି ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଏକ ଆକର୍ଷଣୀୟ ଅର୍ଥନୀତି ଭାବରେ ଭାରତର ଆବିର୍ଭାବ ଆମର ଦ୍ରୁତ ଅର୍ଥନୈତିକ ପୁନରୁଦ୍ଧାରର ସୂଚକ ଅଟେ। କୋବିନ୍ଦ କହିଥିଲେ, ଆମେ ଭାରତୀୟମାନେ ମାନବିକତା ପାଇଁ ବଞ୍ଚୁ ଏବଂ ମାନବିକତା ପାଇଁ ଜୀବନ ଦେଉ। ମୋ ମତରେ ୨୦୨୦ ବର୍ଷକୁ ଶିକ୍ଷାର ବର୍ଷ ଭାବରେ ବିବେଚନା କରାଯିବା ଉଚିତ୍। ଗତ ବର୍ଷ ମଧ୍ୟରେ ପ୍ରକୃତି ଖୁବ୍ କମ୍ ସମୟ ମଧ୍ୟରେ ପୁନର୍ବାର ସ୍ୱଚ୍ଛ ଏବଂ ଶାନ୍ତ ରୂପ ଧାରଣ କରିଥିଲା ଏତେ ପରିଷ୍କାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୀର୍ଘ ସମୟ ପରେ ଦେଖିବାକୁ ମିଳିଥିଲା।

ମୁଁ ନିଶ୍ଚିତ ଯେ ଭବିଷ୍ୟତରେ ଏଭଳି ମହାମାରୀର ବିପଦକୁ ପ୍ରତିହତ କରିବା ଲକ୍ଷ୍ୟରେ ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ। ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟକୁ ଏକ ସୁଯୋଗରେ ପରିଣତ କରି ଆତ୍ମନିର୍ଭରଶୀଳ ଭାରତ ଅଭିଯାନ‘ର ଆହ୍ବାନ କରିଛନ୍ତି। ଆମର ଜୀବନ୍ତ ଗଣତନ୍ତ୍ର, ଆମର ପରିଶ୍ରମୀ ତଥା ଦକ୍ଷ ଦେଶବାସୀ- ବିଶେଷକରି ଆମର ଯୁବ ଜନସଂଖ୍ୟା- ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଆମର ଉଦ୍ୟମକୁ ଶକ୍ତି ପ୍ରଦାନ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ।

Comments are closed.